ସରକାର ଓଏଚ୍‌ଏମ୍‌ଏସ୍‌ କ୍ୟାଡର ପୁନର୍ବିନ୍ୟାସ କରନ୍ତୁ: ଓମ୍‌ସା

ଭୁବନେଶ୍ବର : ରାଜ୍ୟର ଥିବା ଓଏଚ୍‌ଏମ୍‌ଏସ୍‌ କ୍ୟାଡର୍‌ ପଦର ପୁନର୍ବିନ୍ୟାସ ପାଇଁ ନିବେଦନ କରିଛି ରାଜ୍ୟ ମେଡିକାଲ ସେବା ସଂଘ(ଓମ୍‌ସା)। ଓଏଏସ୍‌ କ୍ୟାଡର୍‌ ପୁନର୍ଗଠନ ଅନୁପାତରେ ଏହି ପୁନର୍ବିନ୍ୟାସ କରିବା ଲାଗି ଓମ୍‌ସା ପକ୍ଷରୁ କୁହାଯାଇଛି। ଏହାସହ ଓମ୍‌ସା କ୍ୟାଡର୍‌ଙ୍କୁ ସିଜିଏଚ୍‌ଏସ୍‌ ଶୈଳୀରେ ଡିଏସିପି ପଡ଼ୋଶୀ ରାଜ୍ୟ ବିହାର ଭଳି ଲାଗୁ କରିବା ଦାବିକୁ ଓମ୍‌ସା ପୁଣିଥରେ ଦୋହରାଇଛି।

ଅପରପକ୍ଷେ ସରକାରଙ୍କ ପକ୍ଷରୁ ଡାକ୍ତରଙ୍କ ଅବସର ବୟସସୀମା ୬୨ରୁ ୬୫କୁ ବୃଦ୍ଧି କରାଯିବାକୁ ସଂଘ ବିରୋଧ କରିଛି। ପ୍ରଶାସନିକ ଦାୟିତ୍ବ ୬୨ବର୍ଷ ପର୍ଯ୍ୟନ୍ତ ସୀମିତ ରଖିବା ସହିତ ୬୫ବର୍ଷ ପର୍ଯ୍ୟନ୍ତ ରୋଗୀ ସେବାରେ ବ୍ୟବସ୍ଥା କରାଯାଉ। ଫଳରେ ରାଜ୍ୟର ସାଧାରଣ ଲୋକମାନେ ଉପକୃତ ହୋଇପାରିବେ। ଏହାସହ ରାଜ୍ୟ ସରକାରଙ୍କ ସହ ପୂର୍ବରୁ ହୋଇଥିବା ଆଲୋଚନାରେ ଦନ୍ତ ଚିକିତ୍ସକଙ୍କ କ୍ୟାଡର୍‌ ପୁନର୍ବିନ୍ୟାସ କରିବାକୁ ଦାବି କରାଯାଇଛି। ଯେଉଁ ଡାକ୍ତରମାନଙ୍କ ବୟସ ସୀମା ପାର୍‌ ହୋଇଗଲାଣି, ସେମାନଙ୍କୁ ନିୟମିତ କରିବା ଲାଗି ସଂଘ ଦାବି କରିଛି।

ଏସବୁ ଦାବି ନେଇ ୩ ମାସ ତଳେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଓମ୍‌ସାର ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା। ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ, ସ୍ବତନ୍ତ୍ର ସଚିବ ଓ ସ୍ବାସ୍ଥ୍ୟ ନିର୍ଦେଶକଙ୍କ ଆଲୋଚନା ପରେ ଦାବି ପୂରଣ ହେବା ନେଇ ପ୍ରତିଶ୍ରୁତି ମିଳିଥିଲା। ତେଣୁ ଓମ୍‌ସା ଆନ୍ଦୋଳନରୁ ଓହରିଯିବାକୁ ନେଇ ନିଷ୍ପତ୍ତି ନେଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇ ରହିଯାଇଛି। ତେଣୁ କରୋନା ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧାଙ୍କ ଦାବି ପୂରଣ କରିବା ଲାଗି ଓମ୍‌ସାର ସଭାପତି ଡା. ନାରାୟଣ ରାଉତ ଓ ସଂପାଦକ ଡା.ବିଶ୍ବଜିତ ସାମଲ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର