ନନ୍ଦନକାନନ ସଫାରିରେ ଗଡ଼ିଲା ବସ୍‌

ବାରଙ୍ଗ/ତ୍ରିଶୁଳିଆ : ଦୀର୍ଘ ୧୭ ମାସ ପରେ ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସି ଖବର। ବନ୍ଦ ରହିଥିବା ସଫାରି ବସ୍‌ ସୋମବାରଠାରୁ ପୁଣି ଗଡ଼ିଛି। ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜିତ୍‌ କୁମାର ସୋମବାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ୨ଟି ବସ୍ ଗଡ଼ିଛି। ପରେ ପର୍ଯ୍ୟଟକଙ୍କ ଆଗମନ ଦେଖି ଅଧିକ ବସ୍‌ ଗଡ଼ିବ ବୋଲି ସୂଚନା ଦିଆଯାଇଛି।

ମାସିକ ସାଢ଼େ ଛଅ ଲକ୍ଷ ଟଙ୍କା ହିସାବରେ ଠିକା ନେଇଥିବା ସଂସ୍ଥା ଟିକେଟ୍‌ର ମୂଲ୍ୟ ୬୦ ଟଙ୍କା ରଖିଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଥରେ ବୁଲି ଆସିବା ପରେ ବସ୍‌କୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଆଜିଠାରୁ ପର୍ଯ୍ୟଟକମାନେ ସଫାରି ବସ୍‌ରେ ବସି ପ୍ରାକୃତିକ ଜଙ୍ଗଲ ପରିବେଶ ଭିତରେ ବାଘ, ସିଂହ, ଭାଲୁ ଓ ତୃଣଭୋଜି ପ୍ରାଣୀମାନଙ୍କୁ ଦେଖିବାର ସୁଯୋଗ ପାଇଛନ୍ତି। ସଫାରି ଭିତରେ ମୁକ୍ତ ଭାବେ ବିଚରଣ କରୁଥିବା ବାଘ, ସିଂହ, ଭାଲୁ, ହରିଣ, କୁଟୁରା, ସମ୍ବର, ଗୁରାଣ୍ଟି ଓ ମୟୂରଙ୍କୁ ଦେଖି ମଜା ଉଠାଇଛନ୍ତି।

ସୋମବାର ଦିନ ବସ୍‌ ଚଳାଚଳ ଶୁଭାରମ୍ଭ ଅବସରରେ ଜିଲ୍ଲା ପରିଷଦ ସଭ୍ୟ କୁନାଲ୍‌ ରାଉତ, ଏସିଏଫ୍ ଅମୂଲ୍ୟ କୁମାର ପରିଡ଼ା, ରେଞ୍ଜ୍‌ ଅଫିସର ସୁଦୀପ୍ତ ପଣ୍ଡା ଓ ସଫାରି ବସ୍‌ ପରିଚାଳକ ତପନ କୁମାର ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ କରୋନା ମହାମାରୀ ପାଇଁ ୨୦୨୦ ମାର୍ଚ୍ଚ ୩ ଠାରୁ ୧୭ ମାସ ଧରି ପର୍ଯ୍ୟଟକଙ୍କ ଲାଗି ସଫାରି ବସ୍‌ ବନ୍ଦ ଥିଲା। କାଞ୍ଜିଆ ହ୍ରଦରେ ଦଳ ସଫା କାର୍ଯ୍ୟ ଚାଲିଛି ଓ ଖୁବ୍‌ ଶୀଘ୍ର ପର୍ଯ୍ୟଟକମାନଙ୍କୁ ବୋଟିଂ ମଜା ମିଳିବ ବୋଲି ସୂଚନା ମିଳିଛି। ସେହିଭଳି ଟୟ ଟ୍ରେନ୍‌ର ଟ୍ରାଏଲ୍‌ ଚାଲିଛି।

ସମ୍ବନ୍ଧିତ ଖବର