ଅପରେସନ୍ ହେବ ବେଡ୍‌ରେ ଟଙ୍କା ରଖ : କ୍ୟାପିଟାଲ ହସ୍ପିଟାଲ ଟଙ୍କାଖିଆ ସର୍ଜରି ୱାର୍ଡ

ଭୁବନେଶ୍ବର : ସୁଧୁରୁ ନାହାନ୍ତି କ୍ୟାପିଟାଲ ହସ୍ପିଟାଲର ଟଙ୍କାଖିଆ ଡାକ୍ତର। ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଛି, ହସ୍ପିଟାଲ କର୍ତୃପକ୍ଷ ତଦନ୍ତ କରୁଛନ୍ତି ତଥାପି ଟଙ୍କା କାରବାର ପୂର୍ବରୁ ଯେମିତି ଚାଲିଥିଲା ସେମିତି ଚାଲିଛି। କେବଳ ସର୍ଜରି ବିଭାଗରେ ରୋଗୀଙ୍କୁ ଏଭଳି ସିଧାସଳଖ ଟଙ୍କା ମଗାଯାଉଛି। ଯିଏ ଦେଉଛି ତାଙ୍କର ଅସ୍ତ୍ରୋପଚାର ହେଉଛି ନ ହେଲେ ନାହିଁ। ଆଜି ପରୀକ୍ଷିତ ବାରିକ ନାମକ ଜଣେ ବ୍ୟକ୍ତି ସର୍ଜରି ୱାର୍ଡରେ ଏପରି ଶୋଷଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଟଙ୍କା ନ ଦେଇପାରିବାରୁ ଅସ୍ତ୍ରୋପଚାର ତାଲିକାରୁ ତାଙ୍କ ନାଁ କାଟି ଦିଆଯାଇଥିଲା। ଘଣ୍ଟା ଘଣ୍ଟା ବସାଇବା ପରେ ଅସ୍ତ୍ରୋପଚାର ନ କରି ତାଙ୍କୁ ଫେରାଇ ଦିଆଯାଇଛି। ଏ ସଂକ୍ରାନ୍ତରେ ସେ ହସ୍ପିଟାଲ ନିର୍ଦେଶକଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପରୀକ୍ଷିତ ହାର୍ଣ୍ଣିଆ ଅସ୍ତ୍ରୋପଚାର ପାଇଁ ଗତ ୨୫ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ଆଜି ସକାଳେ ୱାର୍ଡ ବୟ ତାଙ୍କୁ ଅସ୍ତ୍ରୋପଚାର କରାଯିବ ବୋଲି କହି ସକାଳ ୬ଟାରୁ ଓଟିକୁ ନେଇଥିଲେ। ପରୀକ୍ଷିତଙ୍କ ଭଳି ୭ଜଣ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ତାଲିକା ପ୍ରସ୍ତୁତ ହୋଇଥିଲା। ପରୀକ୍ଷିତ ଓଟି ଭିତରକୁ ଯିବା ସମୟରେ ସେଠାରେ ଉପସ୍ଥିତ ଥିବା ଆଟେଣ୍ଡାଣ୍ଟ ତାଙ୍କୁ ବେଡ୍ ଉପରେ ୫ହଜାର ଟଙ୍କା ରଖିବାକୁ କହିଥିଲେ। ହେଲେ ହସ୍ପିଟାଲରେ ସବୁକିଛି ମାଗଣାରେ ହେଉଥିବା ବେଳେ ଟଙ୍କା କ’ଣ ଦେ‌ବି ବୋଲି ସେ ପ୍ରଶ୍ନ କରିଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ଆଟେଣ୍ଡାଣ୍ଟ ଟଙ୍କା ନଦେଲେ ଅସ୍ତ୍ରୋପଚାର ହୋଇପାରିବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ। ଏପରିକି ଅସ୍ତ୍ରୋପଚାର ପାଇଁ ହୋଇଥିବା ତାଲିକାରୁ ତାଙ୍କ ନାଁ କଟି ଯାଇଥିଲା। ଶେଷରେ ଅପରାହ୍ଣ ଗୋଟାଏରେ ଆଜି ଅସ୍ତ୍ରୋପଚାର ହୋଇପାରିବ ନାହିଁ ବୋଲି କହି ଫେରାଇ ଦିଆଯାଇଥିଲା। ପରୀକ୍ଷିତ ଯେ‌ତେ ପ୍ରଶ୍ନ କଲେ ମଧ୍ୟ କେହି ଶୁଣି ନ ଥିଲେ। ଶେଷରେ ନିରାଶ ହୋଇ ପରୀକ୍ଷିତ ଓ ତାଙ୍କ ପରିବାର ହସ୍ପିଟାଲ ନିର୍ଦେଶକଙ୍କୁ ଭେଟି ଏ ସଂପର୍କରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ନିର୍ଦେଶକ ଘଟଣା ସଂପର୍କରେ ବୁଝିବେ ବୋଲି କହିଥିବା ପରୀକ୍ଷିତ ସୂଚନା ଦେଇଛନ୍ତି।

ତେବେ କ୍ୟାପିଟାଲ ହସ୍ପିଟାଲର ସର୍ଜରି ୱାର୍ଡରେ ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଟଙ୍କା ମଗାଯିବା ଘଟଣା ନୂଆ ନୁହେଁ। ବର୍ଷ ବର୍ଷ ଧରି ସମାନ ଢଙ୍ଗରେ ରୋଗୀଙ୍କଠାରୁ ୩ରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଅସ୍ତ୍ରୋପଚାର ପାଇଁ ନିଆଯାଉଥିବା ନଜରକୁ ଆସୁଛି। ଏପରିକି ୨ମାସ ପୂର୍ବରୁ ଜଣେ ରୋଗୀଙ୍କଠାରୁ ଅସ୍ତ୍ରୋପଚାର ପାଇଁ ୮ହଜାର ଟଙ୍କା ନେବା ପରେ ଅସ୍ତ୍ରୋପଚାର ସଫଳ ନ ହେବାରୁ ତାଙ୍କୁ ଅଧା ଟଙ୍କା ଫେରାଇ ଦିଆଯାଇଥିଲା। ଜଣେ ଗରିବ ରୋଗୀଙ୍କୁ ଏଭଳି ଶୋଷଣା କରାଯିବା ଘଟଣା ନଜରକୁ ଆସିବା ପରେ ସାମାଜିକ ସଂଗଠନ ପକ୍ଷରୁ ହସ୍ପିଟାଲ ଆନ୍ଦୋଳନ କରାଯାଇଥିଲା। ହସ୍ପିଟାଲ କର୍ତୃପକ୍ଷ ବାଧ୍ୟହୋଇ ସଂପୃକ୍ତ ରୋଗୀଙ୍କର ମାଗଣାରେ ସମସ୍ତ ଚିକିତ୍ସା କରିଥିଲେ।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ଅଶୋକ ପଟ୍ଟନାୟକ କହିଛନ୍ତି, ଦାୟିତ୍ବ ଗ୍ରହଣ କରିବା ପରେ ଏଭଳି ଅନେକ ଅଭିଯୋଗ ପାଇଛି। ମାତ୍ର କେହି ଲିଖିତ ଭାବେ ଅଭିଯୋଗ କରୁ ନାହାନ୍ତି। ଆଜିର ଘଟଣା ସଂପର୍କରେ ଲିଖିତ ଭାବେ ଅଭିଯୋଗ ହୋଇଛି ଓ ଏହାର ତଦନ୍ତ କରିବା ପାଇଁ ନିର୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇ ପରବର୍ତୀ ପଦ‌କ୍ଷେପ ନିଆଯିବ ବୋଲି ଡା.ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର