‘କାୟାକଳ୍ପ’ ପୁରସ୍କାର: ସ୍ଥାନ ବଜାୟ ରଖିପାରିଲାନି କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ବର: ୨୦୧୭/୧୮ ମସିହାରେ କ୍ୟାପିଟାଲ ହସ୍ପିଟାଲ ‘କାୟାକଳ୍ପ’ ପୁରସ୍କାରରେ ପ୍ରଥମ ସ୍ଥାନ ହାସଲ କରିଥିଲା। ହେଲେ ୨୦୧୮/୧୯‌ରେ କ୍ୟାପିଟାଲ ହସ୍ପିଟାଲ ଏହି ସ୍ଥାନ ବଜାୟ ରଖିପାରି ନାହିଁ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ ସ୍ଥାନ ହାସଲ କରିଛି। ତେବେ ପୂର୍ବଥର ପ୍ରଥମ ସ୍ଥାନ ହାସଲ କରିଥିବା ହସ୍ପିଟାଲକୁ ଲଗାତାର ନିଜର ସ୍ଥାନ ବଜାୟ ରଖିବା ପାଇଁ ଯେଉଁ ନିୟମ ରହିଛି, ତାହା ଏଥିରେ ମୁଖ୍ୟ ସମସ୍ୟା ପାଲଟିଥିଲା। ଏହାସହ ଚଳିତବର୍ଷ କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ୱାର୍ଡକୁ ସଫାସୁତରା ରଖିବାରେ ବିଫଳ ହେବାକୁ ମଧ୍ୟ ଅନ୍ୟତମ କାରଣ ବୋଲି କୁହାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ‘କାୟାକଳ୍ପ’ ପୁରସ୍କାର ପାଇଁ ହସ୍ପିଟାଲରେ ଚିକିତ୍ସା ସୁବିଧା ସୁଯୋଗ, ପରିମଳ ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥାକୁ ପ୍ରୋତ୍ସାହନ ଓ ସହଯୋଗୀତା ସେବାକୁ ବିଚାରକୁ ନିଆଯାଇଥାଏ। ସ୍ବାଧୀନ ସଂସ୍ଥା ଦ୍ବାରା ଏହାର ଯାଞ୍ଚ କରାଯାଇଥାଏ। ଗତବର୍ଷ କ୍ୟାପିଟାଲ ହସ୍ପିଟାଲ ସମୁଦାୟ ୯୨ମାର୍କ ରଖି ପ୍ରଥମ ସ୍ଥାନ ହାସଲ କରିଥିଲା। ୨୦୧୮/୧୯‌ରେ କ୍ୟାପିଟାଲ ହସ୍ପିଟାଲ ମଧ୍ୟ ୯୨ମାର୍କ ହାସଲ କରିପାରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ୨୦୧୭/୧୮ରେ କ୍ୟାପିଟାଲ ପ୍ରଥମ ସ୍ଥାନ ହାସଲ କରିଥିବାରୁ ଚଳିତବର୍ଷ ଏହି ସ୍ଥାନ ହାସଲ କରିବା ପାଇଁ ଅଧିକ ୫ ମାର୍କ ଆବଶ୍ୟକ କରୁଥିଲା। କିନ୍ତୁ ହସ୍ପିଟାଲ ଏହି ନମ୍ବର ରଖିପାରି ନ ଥିଲା। ଅପରପକ୍ଷରେ ୨୦୧୮/୧୯ରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯେତିକି ମାର୍କ ପାଇଛି, ତା’ଠାରୁ ମଧ୍ୟ କ୍ୟାପିଟାଲ ହସ୍ପିଟାଲ କମ୍ ରଖିଥିବା ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି, ଚଳିତବର୍ଷ ଯାଞ୍ଚ ସମୟରେ ସଂସ୍ଥା ପକ୍ଷରୁ ଯେଉଁ କେତୋଟି ବିଷୟ ଉପରେ ଯାଞ୍ଚ ହୋଇଥିଲା, ତହିଁରେ ହସ୍ପିଟାଲ କ୍ୟାମ୍ପସ୍ ବାହାରେ ଥିବା ଡ୍ରେନ୍ ଗୁରୁତ୍ବପୂର୍ଣ୍ଣ ଥିଲା। ଡ୍ରେନ୍‌ରେ ସ୍ଲାବ୍ ପଡ଼ି ନ ଥିବାରୁ ଯାଞ୍ଚ ଅଧିକାରୀ ଚିନ୍ତା ପ୍ରକଟ କରିଥିଲେ। ଅପରପକ୍ଷରେ ରାଜ୍ୟର ଭିନ୍ନ ଭିନ୍ନ ଡାକ୍ତରଖାନାକୁ ଭିନ୍ନ ଭିନ୍ନ ଯାଞ୍ଚ ଅଧିକାରୀ ଯାଉଛନ୍ତି। ତେଣୁ ଯାଞ୍ଚ ଅଧିକାରୀଙ୍କ ଉପରେ ଗୋଟିଏ ଡାକ୍ତରଖାନାର ମାର୍କ ନିର୍ଭର କରୁଛ ବୋଲି ଅଧିକାରୀ କହିଛନ୍ତି। ପ୍ରକୃତପକ୍ଷେ କ୍ୟାପିଟାଲ ହସ୍ପିଟାଲ ଚଳିତବର୍ଷ ସଫା ସୁତରା ଉପରେ ବିଶେଷ ଧ୍ୟାନ ଦେଇ ନ ଥିବା ନଜରକୁ ଆସିଥିଲା। ହସ୍ପିଟାଲ କ୍ୟାମ୍ପସ୍ ଭିତରେ କୁକୁର ମଳଠାରୁ ଆରମ୍ଭ କରି ଶିଶୁ ୱାର୍ଡ ନିକଟରେ କୁଢ଼ କୁଢ଼ ଅବର୍ଜନା ପଡ଼ି ରହୁଥିଲା। ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ କୁହାଯାଇଛି ଯେ ୨୦୧୮/୧୯ରେ କ୍ୟାପିଟାଲ ହସ୍ପିଟାଲ ରାୟାଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ସବୁ କ୍ଷେତ୍ରରେ କମ୍ ମାର୍କ ରଖିଛି। ପ୍ରଥମ ସ୍ଥାନ ବଜାୟ ରଖିବା ପାଇଁ ଯେଉଁ ନିୟମ ରହିଛି, ତାହା ମଧ୍ୟ ହାସଲ କରିପାରି ନାହିଁ। ସ୍ବାଧୀନ ସଂସ୍ଥା ଜରିଆରେ ଏ ସବୁର ଯାଞ୍ଚ କରାଯାଉଛି। ଯାହା ବି କେନ୍ଦ୍ର ସରକାରଙ୍କ ନିୟମ ରହିଛି, ତାହାକୁ ପାଳନ କରାଯାଉଛି। ତେଣୁ ଏଥିରେ କୌଣସିପ୍ରକାର ପ୍ରଶ୍ନ ଉଠିବା ଠିକ୍ ନୁହେଁ ବୋଲି ମିସନ୍‌ କହିଛି।

କିଛି ଘଣ୍ଟାର ନିର୍ଦେଶକ
କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ପଦବି ବରିଷ୍ଠ ଡାକ୍ତରଙ୍କ ପାଇଁ ଥଇଥାନ ପାଲଟିଛି। ଅବସର ନେବା ସମୟରେ ହିଁ ସେମାନଙ୍କୁ ହସ୍ପିଟାଲର ନିର୍ଦେଶକ ଦାୟିତ୍ବ ଦିଆଯାଉଛି। ଆଜି ଏଭଳି ଢଙ୍ଗରେ ହସ୍ପିଟାଲର ନିର୍ଦେଶକ ଅବସର ଗ୍ରହଣ କରିଛନ୍ତି। ଡା. ସରୋଜ ତିଆଡ଼ି ଆଜି ପୂର୍ବାହ୍‌ଣ ସାଢ଼େ ୧୦ଟାରେ ନିର୍ଦେଶକ ଦାୟିତ୍ବ ଗ୍ରହଣ କରିଥିଲେ। ତେବେ ଏହି ସମୟରେ ‘କାୟାକଳ୍ପ’ ପାଇଁ ପୁରସ୍କାର ପ୍ରଦାନ ଚାଲିଥିବା ବେଳେ ସେଠାକୁ ଯାଇ ପୁରସ୍କାର ଗ୍ରହଣ କରିଥିଲେ। ଅପରାହଣ୍‌ରେ ଅଧୀକ୍ଷକ ଡା.ଅଶୋକ ପଟ୍ଟନାୟକଙ୍କୁ ଦାୟିତ୍ବ ହସ୍ତାନ୍ତର କରି ଅବସର ନେଇଥିଲେ। ୨୦୧୩ ମସିହାରେ କ୍ୟାପିଟାଲ ହସ୍ପିଟାଲରେ ନିର୍ଦେଶକ ପଦବି ଗଠନ ହେବା ପରେ ଡା. ତିଆଡ଼ି ହେଉଛନ୍ତି ୧୬ତମ ନିର୍ଦେଶକ। ମାତ୍ର ଗୋଟିଏ ଦିନ ପାଇଁ ନିର୍ଦେଶକ ହୋଇଥିଲେ। କେବଳ ପେ’ ସ୍କେଲ ବଢ଼ାଇବା ପାଇଁ ଏଭଳି ନିଯୁକ୍ତି ଦିଆଯାଉଛି। ଅବସର ନେବାକୁ ଅଳ୍ପ ଦିନ ରହିଥିବାରୁ ନିର୍ଦେଶକ ପଦବିରେ ରହିଲେ ମଧ୍ୟ କେହି ହସ୍ପିଟାଲର ବିକାଶ ପ୍ରତି ଧ୍ୟାନ ଦେଉନାହାନ୍ତି। ଏପରିକି ଅନେକ ନିର୍ଦେଶକ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କୁ ମଧ୍ୟ ଜାଣି ନ ଥିବାର ନଜିର ରହିଛି। ଫଳରେ ଡାକ୍ତରମାନେ ମନଇଚ୍ଛା କାର୍ଯ୍ୟରେ ଯୋଗ ଦେବା ଓ କର୍ମଚାରୀମାନେ ରୋଗୀଙ୍କଠାରୁ ଆରମ୍ଭ କରି ଆଟେଣ୍ଡାଣ୍ଟଙ୍କୁ ରୁକ୍ଷ ବ୍ୟବହାର କରିବାକୁ ମଧ୍ୟ ପଛାଉ ନାହାନ୍ତି। ତେବେ ଏଭଳି ଢଙ୍ଗରେ କାହିଁକି ନିଯୁକ୍ତି ଦିଆଯାଉଛି, ତାହାର ଉତ୍ତର ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଦେଇ ପାରୁ ନାହାନ୍ତି।

ସମ୍ବନ୍ଧିତ ଖବର