କ୍ୟାପିଟାଲ ହସ୍ପିଟାଲ ‘ପିକୁ’ରେ ଏସି ପ୍ଲଗ୍ ପୋଡ଼ିଗଲା

ନିର୍ଦେଶକଙ୍କ ଯୁକ୍ତି ‘ଆପଣଙ୍କ ଘରେ କ’ଣ ପ୍ଲଗ୍ ଖରାପ ହେଉନି’

ଭୁବନେଶ୍ବର: ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାପିଟାଲ ହସ୍ପିଟାଲର ପେଡିଆଟ୍ରିକ୍ସ ଆଇସିୟୁ ବା ‘ପିକୁ’ରେ ଆଜି ଅପରାହ୍‌ଣରେ ଏସିର ପ୍ଲଗ୍ ସହ ଷ୍ଟାବିଲାଇଜର ପୋଡ଼ି ଯାଇ ଧୂଆଁ ବାହାରିଥିଲା। କୌଣସି ଅଘଟଣ ଆଶଙ୍କା କରି ‘ପିକୁ’ରେ ଉପସ୍ଥିତ କର୍ମଚାରୀ ସଙ୍ଗେସଙ୍ଗେ ପଛପଟ କବାଟ ଖୋଲି ଶିଶୁମାନଙ୍କୁ ବାହାରକୁ ନେଇ ଯାଇଥିଲେ। ପରବର୍ତୀ ସମୟରେ ପୁଣିଥରେ ‘ପିକୁ’ କାର୍ଯ୍ୟକ୍ଷମ ହୋଇଥିଲା। ତେବେ ଏହି ଘଟଣାକୁ ଅତ୍ୟନ୍ତ ହାଲ୍‌କା ଢଙ୍ଗରେ ନେଇଛନ୍ତି ହସ୍ପିଟାଲ ନିର୍ଦେଶକ। କହିଛନ୍ତି ଆପଣଙ୍କ ଘରେ କ’ଣ ପ୍ଲଗ୍ ଖରାପ ହେଉନାହିଁ ?

ଆଜି ଅପରାହ୍‌ଣରେ ‘ପିକୁ’‌ରେ ଏଭଳି ଘଟଣା ଘଟିଥିଲା। ସଟ୍‌ସର୍କିଟ୍ ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି। କିଛି ଘଣ୍ଟା ପରେ ପୁଣିଥରେ ତାହା କାର୍ଯ୍ୟକ୍ଷମ ହୋଇଥିଲା। ତେବେ ‘ପିକୁ’ ଏକ ସମ୍ବେଦନଶୀଳ ସ୍ଥାନ ହୋଇଥିବା ବେଳେ ଏଠାରେ ସଟସର୍କିଟ୍‌ ହେବା ହସ୍ପିଟାଲରେ ନିୟମିତ ବିଦ୍ୟୁତ୍ ରକ୍ଷଣାବେକ୍ଷଣ କାର୍ଯ୍ୟ ନେଇ ପ୍ରଶ୍ନ ଉଠିଛି। ଏହି ୱାର୍ଡରେ ସିଲିଂ ଲାଗିଥିବା ବେଳେ ଭେଣ୍ଟିଲେଟର୍‌ ରହିଛି। ଯଦି ସଟସର୍କିଟ୍‌ରୁ ବଡ଼ ଧରଣର ଅଘଟଣ ହୋଇଥାନ୍ତା, ତା’ହାଲେ ଶିଶୁମାନଙ୍କ ପାଇଁ ଏହା ଘାତକ ସାବ୍ୟସ୍ତ ହୋଇଥା’ନ୍ତା। ଉଲ୍ଲେଖଯୋଗ୍ୟ, ଗତବର୍ଷ ବାତ୍ୟାରେ ଏସ୍‌ଏନ୍‌ସିୟୁର ସିଲିଂ ଯେଉଁଭଳି ଭାବେ ଖସିଥିଲା ତହିଁରେ ଏକାଧିକ ଶିଶୁ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ଆପଣଙ୍କ ଘରେ କ’ଣ ପ୍ଲଗ୍ ଖରାପ ହେଉନାହିଁ। ଏଇଟା କ’ଣ ଗୋଟେ ଖବର। ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ଏହାକୁ ପୁଣିଥରେ ମରାମତି କରି ଦେଇଥିବା ଡା. ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର