ଏମ୍‌ସ‌ରେ ଖୋଲିବ ୪ ଉତ୍କର୍ଷ କେନ୍ଦ୍ର, ୨୬ ଏକର ଜମି ଚିହ୍ନଟ, ଗ୍ରାମସଭାରେ ସିଜୁଆବାସୀଙ୍କ ସମ୍ମତି

ଖଣ୍ଡଗିରି : ଭୁବନେଶ୍ବର ଏମ୍‌ସରେ ଖୁବ୍ ଶୀଘ୍ର ନିର୍ମାଣ ହେବ ୪ଟି ଉତ୍କର୍ଷ ‌କେନ୍ଦ୍ର(ସେଣ୍ଟର ଅଫ୍ ଏକ୍ସ‌େଲେନ୍‌ସ)। କ୍ୟାନ୍‌‌ସର, କିଡ୍‌ନୀ, ନ୍ୟୁରୋ ଓ ହୃଦ୍‌ରୋଗ ଏମିତି ୪ଟି ବିଭାଗ ପାଇଁ ଉତ୍କର୍ଷ ‌କେନ୍ଦ୍ର ପ୍ରତିଷ୍ଠା କରାଯିବ। ପୂର୍ବରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ବାକି ଥିବା କେବଳ ଜମି ଚିହ୍ନଟ କାମ ବି ସରିଯାଇଛି। ଜମି ଅଧିଗ୍ରହଣ ପାଇଁ ବୁଧବାର ଅନୁଷ୍ଠିତ ଗ୍ରାମସଭାରେ ସିଜୁଆ ଗ୍ରାମବାସୀମାନେ ଆବଶ୍ୟକ ୨୬ ଏକର ସରକାରୀ ଜମି ଛାଡ଼ିବାକୁ ସମ୍ମତି ଦେବା ପରେ ଏହି ବୃହତ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ବାଟ ଫିଟିଯାଇଛି।
 
 ପ୍ରାପ୍ତ ସୂଚନାନୁସାରେ ପୂର୍ବରୁ ଏହି ୪ଟି ଉତ୍କର୍ଷ କେନ୍ଦ୍ର ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅନୁମୋଦନ ମିଳି ସାରିଥିଲା। ଏମିତିକି ମନ୍ତ୍ରାଳୟ ପକ୍ଷରୁ ଆବଶ୍ୟକ ଅର୍ଥ ଅନୁଦାନକୁ ମଧ୍ୟ ମଞ୍ଜୁରି ମିଳି ସାରିଥିଲା। ରାଜ୍ୟ ସରକାର ଜମି ଯୋଗାଇବା ମାତ୍ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଥିଲା। ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମସଭାରେ ବିରୋଧ ହେବାରୁ ଜମି ଅଧିଗ୍ରହଣ ହୋଇପାରିନଥିଲା। ମାତ୍ର ଏମ୍‌ସ ଭଳି ପ୍ରତିଷ୍ଠାନ ପାଇଁ ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସେମାନେ ଏମ୍‌ସକୁ ବିରୋଧ କରୁନଥିବା ଦର୍ଶାଇ କିଛି ସ୍ବତନ୍ତ୍ର ସୁବିଧା ଦାବି କରିଥିଲେ। ତେଣୁ ଶାନ୍ତିଶୃଙ୍ଖଳାର ସହ ଆଜି ଗ୍ରାମସଭାରେ ଏ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ଓ ଏମ୍‌ସ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ଜରୁରୀ ଚିକିତ୍ସା ସେବାରେ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସେହିଭଳି ଗ୍ରାମ୍ୟ ସୁସ୍ଥ ପରିବେଶ ପାଇଁ ଏମ୍‌ସ ପକ୍ଷରୁ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଗ୍ରାମସଭାରେ ଏମ୍‌ସ ନିର୍ଦେଶକଙ୍କ ପକ୍ଷରୁ ଅଙ୍କୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଦିଲ୍ଲୀପ କୁମାର ପରିଡ଼ା ଓ ଏସ୍‌ଇ କାଳୀପ୍ରସାଦ ମିଶ୍ର ଯୋଗ ଦେଇଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ବର ତହସିଲଦାର ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଏହି ଉତ୍କର୍ଷ କେନ୍ଦ୍ରଗୁଡ଼ିକ ଗୋଟିଏ ଗୋଟିଏ ସୁପର ସ୍ପେସାଲିଟି ହସ୍ପିଟାଲ ସଦୃଶ। ଏବେ ଏମ୍‌ସରେ ଉକ୍ତ ସମସ୍ତ ବିଭାଗ କାର୍ଯ୍ୟକ୍ଷମ ଥିଲେ ମଧ୍ୟ ରୋଗୀ ଶଯ୍ୟା ସଂଖ୍ୟା ପ୍ରତ୍ୟେକରେ ମାତ୍ର ୧୦ରୁ ୧୫ ମଧ୍ୟରେ ରହିଛି। କୌଣସି ବିଭାଗ ପାଇଁ ସ୍ବତନ୍ତ୍ର ଅପରେସନ୍ ଥିଏଟର ନାହିଁ।  ତେଣୁ ସାଧାରଣ ଅପରେସନ୍ ଥିଏଟର ପାଇଁ ରୋଗୀମାନଙ୍କୁ ଜରୁରିକାଳୀନ ଚିକିତ୍ସା ସେବା ଯୋଗାଇବା ସମ୍ଭବ ହେଉନାହିଁ। ମାତ୍ର ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବା ପରେ  ପ୍ରତି କେନ୍ଦ୍ରରେ ରୋଗୀ  ଶଯ୍ୟା ସଂଖ୍ୟା ପ୍ରାୟ ୧୦୦ରୁ ୨୦୦ ମଧ୍ୟରେ ରହିବ ଓ ପ୍ରତ୍ୟେକ କେନ୍ଦ୍ରର ସ୍ବତନ୍ତ୍ର ଅପରେସନ୍ ଥିଏଟର ରହିବ।
ସମ୍ବନ୍ଧିତ ଖବର