ଚଉଡ଼ା ହେବ ବାଣୀବିହାର ଆର୍‌ଓବି : ବର୍ଷେ ଯାଏ ଚାଲିବ କାମ, ଉଠିବ ତାରିଣୀ ବସ୍ତି, ବାସିନ୍ଦାଙ୍କୁ ନୋଟିସ

ପାଣି ପାଇପ୍‌ ଲାଇନ୍‌ ପୁନରୁଦ୍ଧାର ପାଇଁ ଟେଣ୍ଡର ଶେଷ

ଭୁବ‌ନେଶ୍ୱର : ବାରଙ୍ଗରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ତୃତୀୟ ରେଳଧାରଣା ବିଛା ଯାଉଛି। ରେଳ ଟ୍ରାଫିକ୍‌ ସମସ୍ୟା ଦୂର ତଥା ବ୍ୟବସାୟିକ ଦୃଷ୍ଟି କୋଣରୁ ଏହି ରେଳ ଲାଇନ୍‌କୁ ତିନିଥାକିଆ କରାଯାଉଛି। ତୃତୀୟ ଧାରଣା ପାଇଁ ବାଣୀବିହାର ରେଳ ଓଭରବ୍ରିଜ୍‌ (ଆରଓବି) ପ୍ରଶସ୍ତ ନଥିବାରୁ ତୃତୀୟ ଲାଇନ୍‌ ବିଛାଇବା ସମ୍ଭବ ହେଉନାହିଁ। ଏହାକୁ ଭାଙ୍ଗି ନୂଆ ଚଉଡ଼ା ବ୍ରିଜ୍‌ ତିଆରି ହେବାକୁ ଯାଉଛି। ଅନେକ ଦିନରୁ ହୋଇଥିବା ଏହି ଯୋଜନା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ନଭେମ୍ବର ଠାରୁ କାମ ଆରମ୍ଭ ହେବା ପାଇଁ ଆପାତତଃ ସ୍ଥିର ହୋଇଛି। ନିର୍ମାଣ ସମୟରେ ସତସଙ୍ଗ ଠାରୁ ରସୁଲଗଡ଼ ପର୍ଯ୍ୟନ୍ତ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିବ। ଏହି ପୋଲ ପୂର୍ବରୁ ମଞ୍ଚେଶ୍ବର ଆରଓବି ଦେଇ ଗାଡ଼ିଗୁଡ଼ିକ ବୁଲି ରସୁଲଗଡ଼ରେ ବାହାରିବେ, ପିତାପଲ୍ଲୀ ଠାରୁ ଭାରିଯାନଗୁଡ଼ିକ ବୁଲିଯିବେ। ନିର୍ମାଣ କାମ ଶେଷ କରିବାକୁ ଏକ ବର୍ଷ ସମୟ ଦିଆଯାଇଛି। ବର୍ଷେ ପର୍ଯ୍ୟନ୍ତ ଏହି ଟ୍ରାଫିକ୍‌ ବ୍ୟବସ୍ଥାରେ ଗାଡ଼ି ଚଳାଚଳ କରିବ। ଏଥିପାଇଁ ପ୍ରସ୍ତୁତ ଟ୍ରାଫିକ୍‌ ପ୍ଲାନ୍‌କୁ କମିସନରେଟ୍‌ ପୁଲିସ ମୋହର ମାରିଛି। ଅନ୍ୟପଟେ ଏହି ଆରଓବି କଡ଼କୁ ଲାଗି ରହିଥିବା ତାରିଣୀ ବସ୍ତି ହଟାଇବାକୁ ସ୍ଥିର ହୋଇଛି। ବାସିନ୍ଦାମାନଙ୍କୁ ରେଳବାଇ ପକ୍ଷରୁ ଯଥେଷ୍ଟ ପୂର୍ବରୁ ନୋଟିସ ଦିଆଯାଇଛି।

ଖର୍ଚ୍ଚ ହେବ ୩୦ କୋଟି
ଏହି ପୋଲ ଏବେ ୧୮ ମିଟର ରହିଛି। ଏହାକୁ ୪୬ ମିଟର କରାଯିବ। ଏହା ଉପରେ ଏକ ପାନୀୟ ଜଳ ପାଇପ୍‌ ଲାଇନ୍‌ ଯାଇଛି। ତାହାକୁ ମଧ୍ୟ ଏହି ପୋଲ ଅନୁସାରେ ଲମ୍ବା କରିବାକୁ ରହିଛି। ଏଣୁ ଏହି ଉଭୟ କାମ ପାଇଁ ୩୦ କୋଟି ଖର୍ଚ୍ଚ ହେବାକୁ ଯାଉଛି। କାମ କରିବା ବେଳେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହେବ ନାହିଁ। ଖଣ୍ଡେ ପଥର ମଧ୍ୟ ରେଳ ଧାରଣାରେ ପଡ଼ିବ ନାହିଁ। ପାନୀୟ ‌ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ। ଏଭଳି ବିଭିନ୍ନ ବିଷୟକୁ ଧ୍ୟାନ ଦେଇ ନିର୍ମାଣ କରାଯିବାକୁ ସ୍ଥିର ହୋଇଛି।

୯ ବର୍ଷ ଧରି ହୋଇପାରୁନି
ରେଳବାଇ ପକ୍ଷରୁ ଏହାକୁ ରେଳ ବିକାଶ ନିଗମ ଲିମିଟେଡ୍‌(ଆରଭିଏନ୍‌ଏଲ୍‌) ନିର୍ମାଣ କରିବାକୁ ଯାଉଛି। ଏହି ଯୋଜନା ୨୦୧୦ ମସିହାରୁ ହୋଇଥିଲା। ‌ଏହାକୁ ନିର୍ମାଣ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଅଧିକୃତ ହୋଇଥିଲା। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ରେଳବାଇ ଏନ୍‌ଏଚ୍‌ଏଆଇକୁ ଅର୍ଥ ମଧ୍ୟ ପୈଠ କରିଥିଲା। କିନ୍ତୁ ୨୦୧୮ ମସିହାରେ ଏନ୍‌ଏଚ୍‌ଏଆଇ କରିବା ପାଇଁ ମନା କରିଦେବା ସହ ଅର୍ଥ ଫେରାଇ ଦେଇଥିଲା।

ଟ୍ରାଫିକ୍‌ ପ୍ଲାନ୍‌
ନିର୍ମାଣ ସମୟରେ ବାଣୀବିହାରରୁ ରସୁଲଗଡ଼ ପର୍ଯ୍ୟନ୍ତ ରାଜପଥ ବନ୍ଦ ରହିବାକୁ ଯାଉଛି। ସେଥିପାଇଁ ପିତାପଲ୍ଲୀରୁ ବଡ଼ ଗାଡ଼ି ଆଉ ସହର ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଖୋର୍ଦ୍ଧାପଟୁ ଆସୁଥିବା ସମସ୍ତ ବଡ଼ଗାଡ଼ି(ଭାରିଯାନ) ପିତାପଲ୍ଲୀ ଠାରୁ ରାସ୍ତା ପରିବର୍ତ୍ତନ କରିବେ। ଚନ୍ଦକା, ମେଣ୍ଢାଶାଳ, ବାରଙ୍ଗ ଦେଇ ବାହାରିଯିବେ। ସହର ଭିତରେ ଥିବା ଯାନ କଟକ ଯିବାକୁ ହେଲେ ନିର୍ମାଣ ହେବାକୁ ଥିବା ବାଣୀବିହାର ଆରଓବି କଡ଼ରୁ ମଞ୍ଚେଶ୍ବର ରେଳ ଓଭରବ୍ରିଜ୍‌ ଦେଇ ରସୁଲଗଡ଼ରେ ବାହାରିବେ। ବର୍ଷେ ପର୍ଯ୍ୟନ୍ତ କାମ ହେବାପାଇଁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଅଧିକ ଦିନ ଲାଗିବା ଆଶଙ୍କା କରାଯାଉଛି। ସେହି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏଭଳି ଟ୍ରାଫିକ୍‌ ବ୍ୟବସ୍ଥା ପ୍ରଚଳନ ରହିବ। ଏହି ବ୍ୟବସ୍ଥାର ବାସ୍ତବତା ଯାଞ୍ଚ କରିବା ପରେ କମିସନରେଟ୍‌ ପୁଲିସ ମୋହର ମାରିଛି। କିନ୍ତୁ ଏନ୍‌ଏଚ୍‌ଏଆଇ ଓ ଆରଭିଏନ୍‌ଏଲ୍‌ ମଧ୍ୟରେ ଟଣାଓଟରା ୯ ବର୍ଷ ଧରି ଚାଲିଥିବାରୁ ନିର୍ମାଣ ଅଧାରୁ ବନ୍ଦ ହୋଇଗଲେ ଭୟଙ୍କର ସମସ୍ୟା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ହରଡ଼ଘଣାରେ ଆରଭିଏନ୍‌ଏଲ୍‌
ଆରଭିଏନ୍‌ଏଲ୍‌ ଦାୟିତ୍ବ ନେଇ ଏବେ ହରଡ଼ଘଣାରେ ପଡ଼ିଛି। ୨୦୧୦ ମସିହାରେ ଯେଉଁ ଯୋଜନା ହୋଇଥିଲା ତାହାକୁ ନେଇ କାମ କରିବା ଏବେ ସମ୍ଭବ ନୁହେଁ। ବଜେଟ୍‌ ଅର୍ଥ ବଢ଼ାଇବା ସମସ୍ୟା ହେବ ନାହିଁ। ସବୁଠାରୁ ବଡ଼ ସମସ୍ୟା ହେବ ଟ୍ରାଫିକ୍‌। ୯ ବର୍ଷ ତଳେ ରାଜଧାନୀରେ ଯେଉଁ ଟ୍ରାଫିକ୍‌ ଥିଲା ତାହା ବହୁଗୁଣରେ ବଢ଼ିଗଲାଣି। ଫଳରେ ଏବେ ଏହି ପୋଲ ପାଖରୁ ଗାଡ଼ି ବୁଲାଇ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା କାଠିକର ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର