ଆର୍‌ଟିଓ-୧ କାର୍ଯ୍ୟାଳୟ ପରିଦର୍ଶନ କଲେ ସଚିବ, ଦଲାଲ ମୁକ୍ତ ହେବ ଆର୍‌ଟିଓ

ଭୁବ‌ନେଶ୍ୱର : ସେପ୍ଟେମ୍ବର ପହିଲାରୁ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ସମସ୍ୟାକୁ ଆଖି ଆଗରେ ରଖି ରାଜ୍ୟ ସରକାର ୩ ମାସ କୋହଳ କରିଛନ୍ତି। ହେଲେ କାଗଜପତ୍ର ପ୍ରସ୍ତୁତିରେ ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ମିଳୁନି। ଆର୍‌ଟିଓକୁ ଦଲାଲ କବ୍‌ଜା କରିଛନ୍ତି। ଧାଡ଼ିରେ ଛିଡ଼ା ହୋଇ ହୋଇ ରାତି ହେଉଛି। ଏଣୁ ଆଜି ପୂର୍ବାହ୍ନରେ ପରିବହନ ସଚିବ ଜି. ଶ୍ରୀନିବାସ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୧ର ବାସ୍ତବ ସ୍ଥିତି ଯାଞ୍ଚ କରିଛନ୍ତି। ଆରଟିଓ କାର୍ଯ୍ୟାଳୟକୁ କିଭଳି ଦଲାଲ ମୁକ୍ତ କରାଯିବ ସେ ନେଇ ଉଦ୍ୟମ କରାଯାଉଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ନୂଆ ନିୟମକୁ ନେଇ ପ୍ରଥମେ ଅନ୍ୟ ରାଜ୍ୟ କ’ଣ କରୁଛନ୍ତି ସେ ନେଇ ତର୍ଜମା ଚାଲିଛି। ଅନ୍ୟ ରାଜ୍ୟର ପଦକ୍ଷେପକୁ ଆଖି ଆଗରେ ରଖି ସର୍ବସାଧାରଣଙ୍କ ହିତ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ। ଆଜି ପୂର୍ବାହ୍ନରେ ‌ସେ ଅଚାନକ୍‌ ଆରଟିଓ-୧ରେ ପହଞ୍ଚିଥିଲେ। ଲୋକମାନେ କିଭଳି ବିଭିନ୍ନ କାଗଜପତ୍ର ପ୍ରସ୍ତୁତ କରୁଛନ୍ତି? କେତେ ଶୀଘ୍ର ଲୋକମାନଙ୍କୁ ନ୍ୟାୟ ଦିଆଯାଇପାରୁଛି? ଯଥେଷ୍ଟ ପରିମାଣରେ ଭିତ୍ତିଭୂମି ପ୍ରସ୍ତୁତ ରହିଛି କି ନାହିଁ? ତାହା ବୁଲି ଦେଖିଛନ୍ତି। ଧାଡ଼ିରେ ଛିଡ଼ା ହୋଇଥିବା ଲୋକମାନେ ମଧ୍ୟ ସେମାନଙ୍କର ଅଭିଯୋଗ ଉପସ୍ଥାପନ କରିଛନ୍ତି। ପରିସରକୁ କିଭଳି ଦଲାଲ ମୁକ୍ତ ରଖାଯାଇ ପାରିବ ସେ ନେଇ ଆରଟିଓ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ କାଗଜପତ୍ର ପ୍ରସ୍ତୁତିରେ ଯେଭଳି ସମସ୍ୟା ନ ହେବ ସେଥିପାଇଁ ଅଧିକ କାଉଣ୍ଟର ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

ସେହିଭଳି ପଲ୍ୟୁସନ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଯଥେଷ୍ଟ ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ସେମାନଙ୍କର କାମ ଉପରେ ନଜର ରଖିବା ପାଇଁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କାଗଜପତ୍ର ଯେଭଳି ଅନ୍‌ଲାଇନ୍‌ରେ ‌ହେବ ଏବଂ ସୁବିଧାରେ ଲୋକ ପାଇବେ ସେଥିପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ତିନିମାସ ମଧ୍ୟରେ ଯେଭଳି ସମସ୍ତ ଗାଡ଼ିର କାଗଜପତ୍ର ପ୍ରସ୍ତୁତ ହୋଇପାରିବ ସେନେଇ ଚାଳକମାନେ ଧ୍ୟାନ ଦେବାକୁ ସେ କହିଛନ୍ତି। ଅନ୍ୟପଟେ ସରକାରୀ ନିର୍ଦ୍ଦେଶ ମୁତାବକ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ବ୍ୟବସ୍ଥା ହୋଇଥିବା‌ ଆରଟିଓ-୧ ପ୍ରଦୀପ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର