ଆମ୍ବୁଲାନ୍ସ ତିଆରି ନାଁରେ ୭୦ଲକ୍ଷ ଠକେଇ, ହରିୟାଣାରୁ ବନ୍ଧାହେଲା ଠକ

ଭୁବନେଶ୍ବର : ଆମ୍ବୁଲାନ୍ସ ତିଆରି ନାଁରେ ୭୦ଲକ୍ଷରୁ ଊର୍ଧ୍ବ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଠକକୁ ହରିୟାଣାରୁ ଗିରଫ କରିଛି। ସେ ହେଲା ଫରିଦାବାଦ ଅଞ୍ଚଳର ଦେବେନ୍ଦ୍ର କୁମାର ଗେରା(୫୫)।

ସୂଚନା ମୁତାବକ ୨୦୧୯ ମସିହାରେ ହରିୟାଣାର ବାଫନା ହେଲ୍ଥ କେୟାର ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ସଂସ୍ଥା ସମ୍‌ ହସ୍ପିଟାଲ୍‌ର ୭ଟି ଆମ୍ବୁଲାନ୍ସ ତିଆରି ପାଇଁ ୯୦ଲକ୍ଷ ଟଙ୍କା ନେଇଥିଲା। ତେବେ ଚୁକ୍ତି ମୁତାବକ ଆମ୍ବୁଲାନ୍ସରେ ଯେଉଁ ସବୁ ସୁବିଧା ଏବଂ ଯନ୍ତ୍ରପାତି ରହିବା କଥା ତାହା ନଥିଲା। ଫଳରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଓ ବାଫନା ସଂସ୍ଥା ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ସଂସ୍ଥା ହସ୍ପିଟାଲ୍‌କୁ ୨୨ଲକ୍ଷ ଫେରାଇବ ବୋଲି କଥା ଛିଡ଼ିଥିଲା। ଇତି ମଧ୍ୟରେ ୩ବର୍ଷ ବିତିଯାଇଥିଲେ ବି ସଂସ୍ଥା ଆଉ ଟଙ୍କା ଫେରାଇନଥିଲା। ଜଣାପଡ଼ିଥିଲା ଯେ ଉକ୍ତ ସଂସ୍ଥା ବିଭିନ୍ନ ଲୋକଙ୍କୁ ଏଭଳି ଠକେଇ କରି ଫେରାର୍‌ ହୋଇଯାଇଛି। ଏନେଇ ସୋଆ ପକ୍ଷରୁ ବୀରେନ୍ଦ୍ର କିଶୋର ନାୟକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।

ତଦନ୍ତରୁ ଜଣାପଡ଼ିଥିଲା ଯେ ଉକ୍ତ ସଂସ୍ଥା ସମାନ ଢ଼ଙ୍ଗରେ ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଆଉ ଏକ ଘରୋଇ ହସ୍ପିଟାଲ୍‌ରୁ ୪୮ଲକ୍ଷ ଟଙ୍କା ଠକେଇ କରିଛି। ଏନେଇ ଇନ୍‌ଫୋସିଟି ଥାନାରେ ମଧ୍ୟ ମାମଲା ହୋଇଛି। ଉଭୟ ଥାନାର ଦୁଇଟି ଟିମ୍‌ ହରିୟାଣାରେ ଚଢ଼ଉ କରି ଦେବେନ୍ଦ୍ରକୁ ଗିରଫ କରିଥିଲେ। ଠକେଇରେ ସମ୍ପୃକ୍ତ ଅନ୍ୟ ୬ ଅଭିଯୁକ୍ତଙ୍କୁ ଗିରଫ ପାଇଁ ତନାଘନା ଜାରି ରହିଛି।

ସମ୍ବନ୍ଧିତ ଖବର