ଅନ୍ଧାରରେ ଶୈଶବ, ଷ୍ଟେସନ ଏବେ ଆଡ଼ାସ୍ଥଳୀ

ଭୁବନେଶ୍ବର : ଲୁଚାଛୁପା ନୁହେଁ, ଖୁଲାମଖୁଲା ନିଶା ସେବନର ପେଣ୍ଠ ପାଲଟିଛି ରେଳ ପ୍ଲାଟ୍‌ଫର୍ମ। ଗଳିକନ୍ଦିରେ ନୁହେଁ, ସଭ୍ୟ ସମାଜ ସାମ୍ନାରେ ନିଶା ରାକ୍ଷସର ଆଁରେ ପଡ଼ି ଛଟପଟ ହେଉଛି କୋମଳମତି ଶୈଶବ। ଅଥଚ ନା କେହି ତାଙ୍କୁ ଆକଟ କରିପାରୁଛି, ନା ବୁଝାଇଲେ ସେମାନେ ବୁଝିବା ଅବସ୍ଥାରେ ଅଛନ୍ତି। ସ୍ଥିତି ଏମିତି ଯେ ନିଶାରେ ଚୂର୍‌ ଶିଶୁମାନଙ୍କୁ କଥାବାର୍ତା କରିବାକୁ ଗଲେ ସେମାନେ ଓଲଟା ଧମକାଉଛନ୍ତି। ବ୍ଲେଡ୍‌ ଦେଖାଉଛନ୍ତି। ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଆଜି ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ରେଳ ପ୍ଲାଟ୍‌ଫର୍ମରେ। ୧୪ରୁ ୧୫ ବର୍ଷର ଝିଅଟିଏ ପ୍ଲାଟ୍‌ଫର୍ମରେ ଏକ କପଡ଼ାକୁ ଶୁଙ୍ଘି ଗଡ଼ୁଥିବା ବେଳେ ତାକୁ ବୁଝାଇବା ପାଇଁ କିଛି ସ୍ବେଚ୍ଛାସେବୀ ଆଗଭର ହୋଇଥିଲେ। ମାତ୍ର ସେ ‌କୌଣସି କଥା ବୁଝିବା ପରିବର୍ତେ ଗାଳିଗୁଲଜ ଆରମ୍ଭ କରିଦେଇଥିଲା। ଗମ୍ଭୀର କଥା ହେଉଛି, ଝିଅଟି ଗର୍ଭବତୀ ହୋଇଛି ବୋଲି ସେଇ ପ୍ଲାଟ୍‌ଫର୍ମରେ କିଛି ଲୋକ କହିଛନ୍ତି। ତେଣୁ ନିଶା କେବଳ ସେମାନଙ୍କୁ ଶୈଶବକୁ ନଷ୍ଟ କରିଦେଇନି, ବରଂ ତାଙ୍କ ଭବିଷ୍ୟତକୁ ବି ଅନ୍ଧାରକୁ ଠେଲି ଦେଇଛି। ମାତ୍ର ଦୁର୍ଭାଗ୍ୟ ଯେ ଡ୍ରଗ୍‌ସ ଓ ଏକ ଅଠାର କବଳରେ ପଡ଼ି ନିଜକୁ ତିଳତିଳ କରି ପ୍ରତି ମୁହୂର୍ତରେ ମାରୁଥିବା ଶିଶୁମାନଙ୍କୁ ସୁଧାରିବା ପାଇଁ ଏଯାଏଁ ସ୍ବତନ୍ତ୍ର ବ୍ୟବସ୍ଥା ସରକାର କରିପାରିଲେ ନାହିଁ। ଯୋଜନା ଥିଲେ ବି ତାହା ଠିକ୍‌ରେ କାର୍ଯ୍ୟକାରୀ ହୋଇପାରୁନଥିବାରୁ ପିଲାମାନଙ୍କୁ ଏପରି ହୀନିମାନ ଜୀବନ ବଞ୍ଚିବାକୁ ପଡ଼ୁଛି।

ଏପରିକି ବଡ଼ମାନଙ୍କୁ ସୁଧାରିବା ପାଇଁ ଘରୋଇସ୍ତରରେ ଅନେକ ନିଶା ନିବାରଣ କେନ୍ଦ୍ର ‌ଖୋଲିଥିଲେ ହେଁ ପିଲାମାନଙ୍କ ପାଇଁ ଘରୋଇ ସ୍ତରରେ ମଧ୍ୟ ଏଯାଏଁ କେହି ଉଦ୍ୟମ କରୁନାହାନ୍ତି। ଏସ୍‌ଏସ୍‌ଇପିଡି ବୈଠକରେ ନିଶା ଯୋଗୁଁ ‌ନଷ୍ଟ ହୋଇଯାଉଥିବା ଶୈଶବକୁ ସୁଧାରିବାକୁ ସ୍ବତନ୍ତ୍ର ନିଶା ନିବାରଣ କେନ୍ଦ୍ର ସ୍ଥାପନ ପାଇଁ କଥା ଉଠା ଯାଇଥିଲେ ବି ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଏପରିକି ଘରୋଇ ସ୍ତରରେ ‘ଶିଶୁ ଯତ୍ନ ଅନୁଷ୍ଠାନ’ ରହିଥିଲେ ମଧ୍ୟ ସେଥିରେ ନିଶା କବଳିତ ଶିଶୁଙ୍କୁ ସୁଧାରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ।

ବିଶେଷକରି ପ୍ଲାଟ୍‌ଫର୍ମରେ ଘୂରି ବୁଲୁଥିବା କିଛି ପିଲା ଏକ ଅଠାକୁ କପଡ଼ାରେ ବୋଳି ଶୁଙ୍ଘୁଛନ୍ତି। ମଦ ଅପେକ୍ଷା ସେଇ ଅଠାରେ କେମିକାଲ୍‌ ଇନ୍‌ଟକ୍ସିକେସନ୍‌ର ପରିମାଣ ଅଧିକ ରହୁଥିବାରୁ ଏହା ପିଲାମାନଙ୍କୁ ନିଶାସକ୍ତ କରୁଛି। ନିଶା ସେବନ କରିବା ପାଇଁ ସେମାନଙ୍କୁ ସେଇ ଅଠା ଯୋଗାଇ ତାଙ୍କ ମାଧ୍ୟମରେ ଡ୍ରଗ୍‌ସ ଭଳି ମାରାତ୍ମକ ନିଶା କାରବାର କରାଯାଉଛି ବୋଲି କହିଛନ୍ତି ନିଶା ସେବନକାରୀ ପିଲାମାନଙ୍କ ଉପରେ ସର୍ବେକ୍ଷଣ କରିଥିବା ମହମ୍ମଦ ଇମ୍ରାନ ଅଲ୍ଲୀ। ଅନେକ କ୍ଷେତ୍ରରେ ଦେଖାଯାଉଛି ‌ମା’ମାନେ ହିଁ ସେମାନଙ୍କ ଛୋଟଛୋଟ ପିଲାଙ୍କୁ ସେଇ ନିଶା ଅଠା ଶୁଙ୍ଘାଇ କୋଳରେ ଝୁଲାଇ ଭିକ୍ଷାବୃତ୍ତି କରୁଛନ୍ତି। ଏହା ସେମାନଙ୍କ ଭବିଷ୍ୟତ ପାଇଁ ବଡ଼ ବିପଦ ଡାକି ଆଣୁଛି ବୋଲି ସେ କହିଛନ୍ତି।

ବିକଳ୍ପ ଅନୁଷ୍ଠାନ ନାହିଁ
ନିଶା କବଳରେ ପଡ଼ି ସେମାନେ ଅଜାଣତରେ କେବଳ ତାଙ୍କ ଶୈଶବକୁ ନଷ୍ଟ କରିଦେଇନାହାନ୍ତି, ବହୁ ରୋଗରେ ମଧ୍ୟ ପଡ଼ୁଛନ୍ତି। ସର୍ବେକ୍ଷଣ ମୁତାବକ ‌ଛୋଟ ବେଳୁ ସେମାନେ କିଡ୍‌ନି, ପାନକ୍ରିଆଟିକ୍‌, ଡିପ୍ରେସନ୍‌ ଓ ପାଗଳାମିର ଶିକାର ହେଉଛନ୍ତି। ତେଣୁ ବଞ୍ଚି ଥାଉଥାଉ ସେମାନେ ଅର୍ଧପାଗଳ ପ୍ରାୟ ବଞ୍ଚୁଛନ୍ତି। ଏପରିକି ସେମାନଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀକୁ ଆସିବାକୁ କହିଲେ, ସେମାନେ ଅଶ୍ରାବ୍ୟ ଭାଷାରେ ଗାଳି କରି ରୋକ୍‌ଠୋକ୍‌ ମନା କରିଦେଉଛନ୍ତି। କିଛି ପିଲା ପରିବାରର ଜାଣତରେ କିଛି ପିଲା ପରିବାରର ଅଗୋଚରରେ ଏପରି ନିଶା କବଳରେ ପଡ଼ି ଛଟପଟ ହେଉଥିଲେ ହେଁ ତାଙ୍କୁ ଏହି ନିଶା ରାକ୍ଷସ କବଳରୁ ଫେରାଇ ଆଣିବା ପାଇଁ କୌଣସି ବିକଳ୍ପ ଅନୁଷ୍ଠାନ ନାହିଁ। ଯେଉଁ ନିଶା ନିବାରଣ ଅନୁଷ୍ଠାନ ସମୂହ ଅଛନ୍ତି, ସେମାନେ ଶିଶୁମାନଙ୍କୁ ସେଇ ଗୃହରେ ରଖିବାକୁ ସାହସ କରୁନାହାନ୍ତି। କାଳେ କୌଣସି ଅଘଟଣ ଘଟିଯିବ, ସେଇ ଆଶଙ୍କାରେ ଶିଶୁମାନଙ୍କୁ ସେଇ କେନ୍ଦ୍ରରେ ଭର୍ତି ପାଇଁ ଅନୁମତି ଦିଆଯାଉନାହିଁ।
ଆଭାରାଣୀ ଚୌଧୁରୀ, ନିରାଶ୍ରିତଙ୍କ ଉପରେ କାମ କରୁଥିବା ସମାଜସେବୀ

ସ‌େଚତନତା ଅଭାବରୁ ଏଭଳି ଘଟଣା ବୃଦ୍ଧି ପାଉଛି
ସଚେତନତା ଅଭାବରୁ ଏମିତି ନିଶା ସେବନ ଘଟଣା ବୃଦ୍ଧି ପାଉଛି। ଏହା ଛଡ଼ା ଯେଉଁମାନେ ଏଭଳି ନିଶା କବଳରେ ପଡିଛନ୍ତି, ସେମାନଙ୍କ ପରିବାର ବୋଲି କିଛି ନାହିଁ। ତେଣୁ ସେମାନେ ପିଲାଟି ବେଳୁ ଏଭଳି ନିଶା ସେବନ କରୁଛନ୍ତି। ଷ୍ଟେସନରେ ଯେଉଁମାନେ ବୁଲୁଛନ୍ତି, ସେମାନଙ୍କୁ ଆରପିଏଫ ପକ୍ଷରୁ ଘଉଡ଼ାଇ ଦିଆଯାଉଛି।
ଭରତ ସାହୁ,
ରେଳବାଇ ଥାନା ଇନ୍ସପେକ୍ଟର

ଯୋଜନା ଠିକ୍‌ରେ କାର୍ଯ୍ୟକାରୀ ହେଲେ ସବୁ ଦୂର ହୋଇପାରନ୍ତା
ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟକୁ କାର୍ଯ୍ୟକାରୀ କରିବା ପାଇଁ ‘ସମନ୍ବିତ ଶିଶୁ ସୁରକ୍ଷା ଯୋଜନା’ ହୋଇଛି। କିଶୋର ନ୍ୟାୟ ଓ ଯତ୍ନ ସୁରକ୍ଷା ଆଇନ ଅନୁଯାୟୀ ୧୮ ବର୍ଷ ତଳକୁ କୌଣସି ଶିଶୁ ଅସୁରକ୍ଷିତ ରହିପାରିବ ନାହିଁ। ଭିକ୍ଷାବୃତ୍ତି, ନିଶା ସେବନ କରୁଥିବା ଅବସ୍ଥାରେ ସେମାନଙ୍କୁ ଦେଖିବା ମାତ୍ରେ ଚାଇଲ୍‌ଡ ଲାଇନ୍‌କୁ ଫୋନ୍‌ କରି ସେମାନଙ୍କୁ ଉଦ୍ଧାର କରାଯିବାର ବନ୍ଦୋବସ୍ତ ରହିଛି। ସେଠାରୁ ସେମାନଙ୍କୁ ଚାଇଲ୍‌ଡ ୱେଲ୍‌ଫେୟାର କମିଟି ପାଖରେ ଉପସ୍ଥାପନ କରିବାର ବି ନିୟମ ଅଛି। ମାତ୍ର ଯୋଜନା ଓ ଆଇନ ଥିବାରୁ ସବୁ ଠିକ୍‌ ଭାବେ ‌କାର୍ଯ୍ୟକାରୀ ହୋଇପାରିଲେ ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ପଡ଼ନ୍ତା ନାହିଁ। ଏପରିକି ଶିଶୁଙ୍କୁ ଏଭଳି ଅବସ୍ଥାରେ ଦେଖିଲେ ସାଧାରଣ ଲୋକର ମଧ୍ୟ ଦାୟିତ୍ବ ରହୁଛି ‘୧୦୯୮’ କଲ୍‌ କରି ଚାଇଲ୍‌ଡ ଲାଇନ୍‌କୁ ଖବର କରିବା। କିନ୍ତୁ ତାହା ପ୍ରାୟ ହେଉନାହିଁ।
ଅନୁରାଧା ମହାନ୍ତି, ଶିଶୁମାନଙ୍କ ଉପରେ କାମ କରୁଥିବା ସମାଜସେବୀ

ସମ୍ବନ୍ଧିତ ଖବର