ଚିଣ୍ଟୁ ହତ୍ୟା ମାମଲା: ପତିଆରା ଲଢ଼େଇର କୁପରିଣତି

୨ ଗିରଫ, ମୁଖ୍ୟ ଅଭିଯୁକ୍ତ ମିଲୁ ଫେରାର୍‌

ଭୁବନେଶ୍ୱର : ଗଜପତିନଗର ପ୍ରେସ୍‌ ଛକରେ ନିରଂଜନ ପରିଡ଼ା ଓରଫ୍‌ ଚିଣ୍ଟୁ ହତ୍ୟା ମାମଲାରେ ସହିଦନଗର ଥାନା ପୁଲିସ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ସତ୍ୟପ୍ରକାଶ ପାଣ୍ଡବ ଓ ସତ୍ୟପ୍ରକାଶ ସିଂହ। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ଛୁରି ଜବତ କରିଛି। ସେମାନଙ୍କୁ ଅଧିକ ପଚରାଉଚରା କରି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଯାଜପୁରର ସୌମ୍ୟରଂଜନ ବେହେରା ଓରଫ ମିଲୁ ଏବଂ ଅନ୍ୟ ଜଣେ ଯୁବକଙ୍କୁ ଗିରଫ କରିବା ପାଇଁ ଚେଷ୍ଟା ଚଳାଇଛି। ଆଜି ଏହି ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

ଧରାପଡ଼ିଥିବା ଏହି ୨ ଅଭିଯୁକ୍ତଙ୍କୁ ଜେରା ବେଳେ ପୁଲିସକୁ ହତ୍ୟାକାଣ୍ଡ ସଂପର୍କରେ ବହୁ ନୂଆ ତଥ୍ୟ ମିଳିଥିବା ଜଣାପଡ଼ିଛି। କ୍ଷଣିକ ଉତ୍ତେଜନାରୁ ନୁହେଁ, ସ୍ଥାନୀୟ ଅଞ୍ଚଳରେ ପତିଆରା ଜାହିର୍‌ ପାଇଁ ଲଢ଼େଇରୁ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଘଣ୍ଟାଏ ପୂର୍ବରୁ ପ୍ରେସ୍‌ ଛକ ନିକଟ ଏକ ଗାଡ଼ି ସୋ’ ରୁମ୍ ଆଗରେ ଦୁଇପକ୍ଷ ମଧ୍ୟରେ ବିବାଦର ସୂତ୍ରପାତ ହୋଇସାରିଥିଲା। କେହି କାହାରିକୁ ଆଗରୁ ଜାଣି ନଥିଲେ ହେଁ ମାତ୍ର ଘଣ୍ଟାଏ ମଧ୍ୟରେ ସେମାନଙ୍କ ମଧ୍ୟରେ ତିକ୍ତତା ଏତେ ବଢ଼ି ଯାଇଥିଲା ଯେ ପରସ୍ପରର ଜୀବନ ନେବାକୁ ପଛାଇ ନଥିଲେ।

ମୁଖ୍ୟ ଅଭିଯୁକ୍ତ ମିଲୁ

ଶନିବାର ଅପରାହ୍‌ଣ ପ୍ରାୟ ୪ଟା ବେଳେ ପ୍ରେସ୍ ଛକ ନିକଟରେ ଥିବା ଗାଡ଼ି ସୋ’ରୁମ୍‌ ନିକଟରେ ଅପରାହ୍‌ଣରେ ଏକ କାର୍ ଲାଗିଥିଲା। ସେହି ସମୟରେ ଗାଡ଼କଣର କିଛି ଯୁବକ ଉକ୍ତ କାର୍‌ ଭିତରକୁ ଚାହିଁଥିଲେ। ଏହାକୁ ନେଇ ସେହି ସୋ’ ରୁମ୍‌ରେ କାମ କରୁଥିବା କର୍ମଚାରୀ ସତ୍ୟପ୍ରକାଶ ପାଣ୍ଡବ ଓ ତା’ର କିଛି ସହଯୋଗୀ କାର୍ ଭିତରକୁ କାହିଁକି ଚାହୁଁଛ ବୋଲି ସେମାନଙ୍କୁ ଟାଣ କରି କହିଥିଲେ। ଏହି କଥାକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ପରେ ସତ୍ୟପ୍ରକାଶ ଧମକଚମକ ଦେଇ ସେମାନଙ୍କୁ ସେଠାରୁ ତଡ଼ି ଦେଇଥିଲା। ସର୍ବସାଧାଣରେ ଅପମାନିତ ହୋଇଥିବାରୁ ସ୍ଥାନୀୟ ଗାଡ଼କଣର ଯୁବକମାନେ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ। ସୋ’ରୁମ୍‌ର ଉକ୍ତ କର୍ମଚାରୀମାନଙ୍କୁ ପାନେ ଦେବା ପାଇଁ ସେମାନେ ଘଟଣାସ୍ଥଳକୁ ତାଙ୍କ ୩ ସହଯୋଗୀଙ୍କୁ ଡକାଇଥିଲେ। ସହଯୋଗୀମାନେ ଆସିବା ପରେ ଗାଡ଼କଣର ଯୁବକମାନେ ଦଳବଳ ହୋଇ ସୋ’ରୁମ୍‌ର ଯୁବକମାନେ ଛିଡ଼ା ହୋଇଥିବା ମୋମୋ ଦୋକାନ ପାଖକୁ ଯାଇଥିଲେ। ସେଠାରେ ଖାଇବା ବାହାନାରେ ତାଙ୍କୁ ଦେଖି ହସିଥିଲେ। ଏତିକିରେ ଉତ୍‌କ୍ଷିପ୍ତ ହୋଇ ସତ୍ୟପ୍ରକାଶ, ନୂଆପଲ୍ଲୀରୁ ତା’ର କିଛି ସାଙ୍ଗକୁ ଘଟଣାସ୍ଥଳକୁ ଡାକିବାରୁ ଘଟଣା ଭିନ୍ନ ରୂପ ନେଇଥିଲା। ପରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଗାଡ଼କଣର ଜଣେ ଯୁବକ ପାଖ ଫଳ ଦୋକାନରୁ ଏକ ଛୁରି ଆଣି ଅପରଗୋଷ୍ଠୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଏହା ଦେଖି ଆଗରୁ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଆସିଥିବା ସତ୍ୟପ୍ରକାଶର ସହଯୋଗୀମାନେ ଛୁରିରେ ଚିଣ୍ଟୁ ଓ ୩ ସହଯୋଗୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେମାନେ ଗୋଡ଼େଇ ଗୋଡ଼େଇ ସମସ୍ତଙ୍କୁ ଛୁରି ଭୁସିଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଚିଣ୍ଟୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ବିଶାଲ, ବିବେକ ଓ ଶ୍ରୀତନୁ ଗୁରୁତର ଆହତ ହୋଇଥିଲେ। ଧରାପଡ଼ିଯିବା ଭୟରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଏକ ବାଇକ୍‌ରେ ଖସି ପଳାଇଥିଲେ।

ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌

ସତ୍ୟପ୍ରକାଶ ପାଣ୍ଡବ ଗାଡ଼ି ସୋ’ରୁମ୍‌ରେ କାମ କରିବା ସହ ୟୁଟ୍ୟୁବ୍‌ରେ ନିଜର ଏକ ଚ୍ୟାନେଲ୍ ଖୋଲି ବ୍ଲଗିଂ କରୁଥିବା ଜଣାପଡ଼ିଛି। ସେହିଭଳି ମୁଖ୍ୟ ଅଭିଯୁକ୍ତ ସୌମ୍ୟରଂଜନ ଓରଫ୍‌ ମିଲୁ ନୂଆପଲ୍ଲୀସ୍ଥିତ ଏକ ଫାଇନାନ୍ସ ସଂସ୍ଥାରେ କାମ କରେ। ସହିଦନଗର ଥାନା ପୁଲିସ ରବିବାର ଦିନ ମିଲୁକୁ ଧରିବା ପାଇଁ ଉକ୍ତ ଫାଇନାନ୍ସ ସଂସ୍ଥା ସମେତ ନୂଆପଲ୍ଲୀସ୍ଥିତ ଘରେ ଚଢ଼ଉ କରିଥିବା ଜଣାପଡ଼ିଛି। ରବିବାର ଦିନ ସତ୍ୟ ଓ କାହ୍ନା ପାଖରୁ ଏକ ଛୁରି ଜବତ କରାଯାଇଛି।

ଅପରପକ୍ଷେ ଗତକାଲିର ଏହି ହତ୍ୟାକାଣ୍ଡକୁ କେନ୍ଦ୍ର କରି ରବିବାର ବି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା। ଏହି ଜାଗାରେ ପୁଲିସ ପାଟ୍ରୋଲିଂ କରୁନଥିବାରୁ ସଂଧ୍ୟାବେଳେ ଏମିତି ଏକ ଅଭାବନୀୟ ଘଟଣା ଘଟିଗଲା। ଖାଲି ସେତିକି ନୁହେଁ, ପ୍ରାୟ ପ୍ରତିଦିନ ଏଠାରେ ଡକାୟତି, ଛିନ୍‌ତାଇ, ଲୁଟପାଟ୍ ଭଳି ଆପରାଧିକ ଘଟଣା ଘଟୁଛି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର