ପ୍ରଥମ ଥର ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇ ଟପର୍। ହଜାର ହଜାର ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଏଭଳି ସଫଳତା ହାସଲ କରିଛନ୍ତି ପୁରୁଣା ଭୁବନେଶ୍ବରନିବାସୀ ଅଶୋକ କୁମାର ମହାପାତ୍ର ଓ ବିଦ୍ୟୁତ୍ପ୍ରଭା ମିଶ୍ରଙ୍କ ଝିଅ ଆୟୁଷୀ ମହାପାତ୍ର। ବାପା ବ୍ୟବସାୟୀ ଓ ମା’ ଶିକ୍ଷୟିତ୍ରୀ। ଜେଜେବାପା, ଶିକ୍ଷକ, ଶିକ୍ଷୟିତ୍ରୀ, ସାଙ୍ଗମାନଙ୍କ ପ୍ରେରଣା, ତାଙ୍କୁ ଆଜି ଓଡ଼ିଶାର ଘରେ ଘରେ ପରିଚିତ କରାଇଛି। ଆୟୁଷୀଙ୍କ ଏହି ସଫଳତାକୁ ନେଇ ସ୍ବତନ୍ତ୍ର ସାକ୍ଷାତକାର…
Sambad is now on WhatsApp
Join and get latest news updates delivered to you via WhatsApp
ଓଏଏସ୍ ପରୀକ୍ଷା ପାଇଁ କିଭଳି ଥିଲା ଆପଣଙ୍କ ପ୍ରସ୍ତୁତି?
ଛୋଟ ବେଳୁ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବାକୁ ଲକ୍ଷ୍ୟ ରଖିଥିଲି। ନୂଆଗାଁସ୍ଥିତ ଗୌରୀଶଙ୍କର ଇଂରାଜୀ ମାଧ୍ୟମ ସ୍କୁଲରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ବିଜେବି ଜୁନିଅର କଲେଜରେ ବିଜ୍ଞାନରେ ଯୁକ୍ତ୨ ପଢ଼ିଥିଲି। ଏହାପରେ ସିଇଟିରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗରେ ନାମ ଲେଖାଇ ୪ବର୍ଷ ଶିକ୍ଷା ଗ୍ରହଣ କରିଥିଲି। ୨୦୧୫ରେ କୃତକାର୍ଯ୍ୟ ହେବା ପରେ ଚାକିରି କରିଥିଲି। ଓଏଏସ୍ ପରୀକ୍ଷା ପାଇଁ ୨୦୧୭ରେ ଚାକିରି ଛାଡ଼ି ପ୍ରସ୍ତୁତି ଆରମ୍ଭ କଲି। ଗୋଟିଏ ବର୍ଷର ପ୍ରସ୍ତୁତି ଓ ଦିନକୁ ୮ରୁ ୧୦ ଘଣ୍ଟାର ପରିଶ୍ରମ ଯୋଗୁଁ ଏଭଳି ସଫଳତା ମିଳିଛି।
ଓଏଏସ୍ରେ ଅଟକି ଯିବେ ନା ଆଇଏଏସ୍ ପାଇଁ ପ୍ରସ୍ତୁତ ହେବେ?
-ଓଏଏସ୍ ଓ ଆଇଏଏସ୍ ପାଇଁ ପ୍ରସ୍ତୁତି ପ୍ରାୟତଃ ସମାନ। ଓଏଏସ୍ରେ କୃତକାର୍ଯ୍ୟ ହେବି ବୋଲି ଆଶା ଥିଲା। ପ୍ରଥମ ହେବି ବୋଲି ଚିନ୍ତା କରି ନଥିଲି। ସଫଳତା ମିଳିଥିବାରୁ ଚାକିରିରୁ କିଛି ସମୟ ବାହାର କରି ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେବି।
କେଉଁ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପସନ୍ଦ କରିବେ?
-ଯଦି ସୁଯୋଗ ମିଳେ, ତେବେ ଶିକ୍ଷା କିମ୍ବା ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାହିବି। ଓଡ଼ିଶାରେ ମାନବ ସମ୍ବଳର ଅଭାବ ନାହିଁ। କିନ୍ତୁ ତାହାର ସଠିକ୍ ଉପଯୋଗ ହୋଇପାରୁନି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆବଶ୍ୟକୀୟ ଶିକ୍ଷାର ଭିତ୍ତିଭୂମି ଅଭାବ ରହିଛି। ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ ହୋଇପାରିଲେ, ଲୋକଙ୍କ ଦକ୍ଷତା ବଢ଼ିବ ଓ ନିଯୁକ୍ତି ସୁଯୋଗ ବି ସୃଷ୍ଟି ହେବ। ଶିକ୍ଷା ମାଧ୍ୟମରେ ଭଲ ମଣିଷ ସୃଷ୍ଟି ହୋଇପାରିବେ। ଏହାଦ୍ବାରା ରାଜ୍ୟର ଅର୍ଥନୀତି ସୁଦୃଢ଼ ହୋଇପାରିବ।
ଆଇଏଏସ୍ ଓ ଆଇପିଏସ୍ ପରି ପରୀକ୍ଷାରେ ଓଡ଼ିଶାର ପିଲାମାନେ ନୈରାଶ୍ୟଜନକ ପ୍ରଦର୍ଶନ କରୁଥିବା ନେଇ ଯେଉଁ ଅଭିଯୋଗ ଆସୁଛି, ସେନେଇ କ’ଣ କହିବେ?
-ସେମିତି କହିପାରିବାନି ଯେ ଓଡ଼ିଶାର ପିଲା ପାଉନାହାନ୍ତି। ପ୍ରତିବର୍ଷ ଓଡ଼ିଶାରୁ ପିଲା ଆଇଏଏସ୍ ପାଉଛନ୍ତି। ମୋତେ ଲାଗୁଛି ଯେ ଯେଉଁମାନେ ପରୀକ୍ଷା ଦେଉଛନ୍ତି, ସେମାନଙ୍କ ସଂଖ୍ୟା ବହୁତ କମ୍। ତେଣୁ ସଫଳତା ହାର ମଧ୍ୟ କମ୍ ରହୁଛି। ସଚେତନତା ଓ ଭିତ୍ତିଭୂମି ସୁଦୃଢ଼ ହୋଇପାରିଲେ ଅଧିକ ସଂଖ୍ୟକ ପିଲା ସଫଳତା ହାସଲ କରିବେ।
ଓଡ଼ିଶାରେ କୋଚିଂର ଅଭାବ ରହୁଛି କି?
-ନା। ପରୀକ୍ଷା ପାଇଁ କୋଚିଂ ବାଧ୍ୟତାମୂଳକ ନୁହେଁ। କ୍ଲାସରୁମ୍ ଶିକ୍ଷା ବହୁତ ଗୁରୁତ୍ବପୂର୍ଣ୍ଣ। କେତେ ଘଣ୍ଟା ପଢ଼ିଲେ, ତାହା ବଡ଼ କଥା ନୁହେଁ, କେମିତି ପଢ଼ିଲେ ତାହା ଗୁରୁତ୍ବପୂର୍ଣ୍ଣ। କୋଚିଂର ସମସ୍ତ ବ୍ୟବସ୍ଥା ଏବେ ଅନ୍ଲାଇନ୍ ତଥା ଇଣ୍ଟରନେଟ୍ରେ ମିଳିଯାଉଛି। ପିଲାମାନେ ତାହାର ସଦ୍ବିନିଯୋଗ କରିବା ଆବଶ୍ୟକ।
ସାକ୍ଷାତକାର: କେଶବ ପାଣି