କରୋନାରେ କଲବଲ ଟୁରିଷ୍ଟ ଗାଇଡ୍‌: ପରିବା ଓ ଜଳଖିଆ ଦୋକାନ ସାହା

ଭୁବନେଶ୍ବର: ମହାମାରୀ କରୋନା ଉଭୟ ଦେଶ ଓ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ଏହି ଉତ୍ସରୁ ସରକାରଙ୍କ ଆୟ ବହୁ ପରିମାଣରେ ହ୍ରାସ ପାଇଛି। ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଟୁରିଷ୍ଟ ଗାଇଡ୍‌ମାନେ। ପର୍ଯ୍ୟଟନ ଶିଳ୍ପ ବନ୍ଦ ହୋଇଯାଇଥିବାରୁ ଟୁରିଷ୍ଟ ଗାଇଡ୍‌ମାନେ ହାତବାନ୍ଧି ବସିଛନ୍ତି। ରୋଜଗାର ହରାଇଥିବା ଏହି ଗାଇଡ୍‌ମାନେ ଏବେ ପରିବା ଓ ଜଳଖିଆ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଦେଖିବାକୁ ମିଳୁଛି।

ଉପଯୁକ୍ତ ତାଲିମ୍ ପାଇବା ପରେ ସରକାରଙ୍କ ପକ୍ଷରୁ ଟୁରିଷ୍ଟ ଗାଇଡ୍‌ମାନଙ୍କୁ ଲାଇସେନ୍ସ ମିଳିଥାଏ ଓ ପର୍ଯ୍ୟଟକମାନଙ୍କୁ ଭ୍ରମଣ କରାଇ ସେମାନେ କିଛି ରୋଜଗାର କରନ୍ତି। ଗତ କିଛି ବର୍ଷ ଧରି ଭାରତ ଓ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ ଘଟିଛି। ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ଓଡ଼ିଶା ପର୍ଯ୍ୟଟନ ରେକର୍ଡ ଅନୁସାରେ ଗତ ୨୦୧୭-୧୮ ଆର୍ଥିକ ବର୍ଷରେ  ଘରୋଇ ପର୍ଯ୍ୟଟକ ୧କୋଟି ୪୨ଲକ୍ଷ ୬୧ହଜାର ୫୪୬ଜଣ ହୋଇଥିବା ବେଳେ ବିଦେଶୀ ପର୍ଯ୍ୟଟକ ୧ଲକ୍ଷ ୨ହଜାର ୯୯୫ ଜଣ ହୋଇଥିଲେ। ସେହିପରି ୨୦୧୮-୧୯ରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୧କୋଟି ୫୫ଲକ୍ଷ ୯ହଜାର ୫୨୯ଜଣ ହୋଇଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧ଲକ୍ଷ ୧୩ହଜାର ୭୨୧ ଜଣ ହୋଇଥିଲା। ୨୦୧୯-୨୦ରେ ୧କୋଟି ୫୦ଲକ୍ଷ ୩୫ହଜାର ୫୯୩ଜଣ ଘରୋଇ ପର୍ଯ୍ୟଟକ ହୋଇଥିବା ବେଳେ ବିଦେଶୀ ପର୍ଯ୍ୟଟକ ସଂଖ୍ୟା ୧ଲକ୍ଷ ୫୬୭ଜଣ ହୋଇଥିଲା। ତେବେ ୨୦୨୦-୨୦୨୧ ଆର୍ଥିକ ବର୍ଷରେ କରୋନା ଯୋଗୁଁ ଘରୋଇ ପର୍ଯ୍ୟଟକ ସଂଖ୍ୟା ୧୮ଲକ୍ଷ ୬୩ହଜାର ୨୫୦ଜଣକୁ ଖସି ଆସିଥିବା ବେଳେ ବିଦେଶୀ ପର୍ଯ୍ୟଟକ ସଂଖ୍ୟା ଥିଲା ମାତ୍ର ୪୭୪ଜଣ। ତେଣୁ ପର୍ଯ୍ୟଟନ ଶିଳ୍ପ କେତେ କ୍ଷତି ସହିଲାଣି, ତାହା ଏଥିରୁ ଜଳଜଳ ହୋଇ ଦିଶିଯାଉଛି। ଅର୍ଥାତ୍ ଟୁରିଷ୍ଟ ଗାଇଡ୍‌ମାନଙ୍କ ସଂକଟ ମଧ୍ୟ ସ୍ପଷ୍ଟ ବାରି ହୋଇପଡ଼ୁଛି।

ଏକଦା ରିଜିଓନାଲ୍‌ ଗାଇଡ୍‌ ହିସାବରେ ବେଶ୍ ନାଁ କମାଇଥିବା ସନାତନ ସାହୁଙ୍କ କହିବା କଥା ସେ ପ୍ରଥମେ ବାଧ୍ୟ ହୋଇ ଏକ ପରିବା ଦୋକାନଟିଏ କରିଥିଲେ ଓ ପରେ ଜଳଖିଆ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ମାତ୍ର କରୋନାର ଦ୍ବିତୀୟ ଲହର ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ବେପାର ବନ୍ଦ କରି ଘରେ ବସିଛନ୍ତି। ସେହିଭଳି ଏକଦା ରିଜିଓନାଲ ଟୁରିଷ୍ଟ ଗାଇଡ୍‌ ହିସାବରେ ଶ୍ରେଷ୍ଠ ମାନପତ୍ର ପାଇଥିବା ତପନ କୁମାର ମିଶ୍ର କୁହନ୍ତି ଯେ ସେ ୨୪ବର୍ଷ ହେଲା ଏହି ବୃତ୍ତିରେ ଅଛନ୍ତି। ତେଣୁ ଏବେ ଆଉ ଅନ୍ୟ କୌଣସି ବୃତ୍ତିକୁ ଆପଣେଇ ପାରୁନାହାନ୍ତି। ତେବେ ଆଗକୁ ପରିବାର ଚଳାଇବାକୁ ତାଙ୍କୁ କିଛି ଛୋଟମୋଟ ବେପାର କରିବାକୁ ପଡ଼ିବ। ତାଙ୍କ କହିବା କଥା କେରଳ ସରକାର କରୋନା ମହାମାରୀ ପାଇଁ ଟୁରିଷ୍ଟ ଗାଇଡ୍‌ମାନଙ୍କୁ ୧୦ହଜାର ଟଙ୍କାର ସହାୟତା ରାଶି ଯୋଗାଇଛନ୍ତି। ସେହିପରି ଜମ୍ମୁ ସରକାର ପ୍ରତି ମାସରେ ଟୁରିଷ୍ଟ ଗାଇଡ୍‌ମାନଙ୍କୁ ୨ହଜାର ଟଙ୍କାର ମହାମାରୀ ଭତ୍ତା ଦେଉଛନ୍ତି। ତେଣୁ ଓଡ଼ିଶା ସରକାର ମଧ୍ୟ ଗାଇଡ୍‌ମାନଙ୍କ ଏହି ଦୁର୍ଦ୍ଦିନରେ ସହଯୋଗର ହାତ ବଢ଼ାଇବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର