୬୦ ଓ୍ଵାର୍ଡ ଦଖଲ କରିବାକୁ ବିଜେଡିର ନକ୍ସା ପ୍ରସ୍ତୁତ

ଆସୁଛି ବିଏମ୍‌ସି ନିର୍ବାଚନ

ଭୁବନେଶ୍ୱର: ବିଏମ୍‌ସି ନିର୍ବାଚନ ପାଇଁ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ବ୍ୟବସ୍ଥା ଆପାତତଃ ଶେଷ ହୋଇଛି। ବିଏମ୍‌ସି କର୍ତ୍ତୃପକ୍ଷ ଏନେଇ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଥିବାବେଳେ ଏହାକୁ ପାରିତ କରିବା ପାଇଁ ସୋମବାର ସ୍ୱତନ୍ତ୍ର କାଉନସିଲ୍‌ ବୈଠକ ଡକାଯାଇଛି। କାଉନସିଲ୍‌ ବୈଠକରେ ଏହାକୁ ଆଗତ କରାଯିବା ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପ୍ରକ୍ରିୟାରେ ବିଜେଡି ଆସନ୍ତା ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଆସନ୍ତା ବିଏମ୍‌ସି ନିର୍ବାଚନ ୬୭ଟି ଓ୍ଵାର୍ଡରେ ହେବାକୁ ଥିବାବେଳେ ଏଥିରୁ ୬୦ଟି ଓ୍ଵାର୍ଡରେ ବିଜେଡି ପ୍ରାର୍ଥୀ ଯେପରି ଜିତିବେ ସେନେଇ ଯୋଜନା ହୋଇଛି। ପ୍ରାର୍ଥୀଙ୍କୁ ଦେଖି ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବା ଜଣାପଡ଼ିଛି। କୌଣସି ପରିସ୍ଥିତିରେ ବି ବିଜେଡି ବିଏମ୍‌ସି ହାତଛଡ଼ା କରିବାକୁ ଚାହୁଁ ନଥିବାରୁ ଅଧିକାଂଶ କର୍ପୋରେଟର୍‌ଙ୍କ ଆସନକୁ ସୁରକ୍ଷିତ ରଖାଯାଇଛି। ଏପରିକି ଯେଉଁମାନେ ନିଶ୍ଚିତ ଜିତିବେ ବୋଲି ଦଳ ଜାଣିଛି ସେମାନଙ୍କର ଆସନ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହା ବିଏମ୍‌ସି କର୍ତ୍ତୃପକ୍ଷ ଚିଠା ପ୍ରସ୍ତାବରେ ଲାଗୁ କରିଛନ୍ତି। ବିରୋଧୀଙ୍କର ଯେଉଁ ଓ୍ଵାର୍ଡରେ ଭଲ ଦବ୍‌ଦବା ଅଛି ସେଗୁଡ଼ିକୁ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣରେ ପୂରା ଆମୂଳଚୁଳ ବଦଳାଇ ଦିଆଯାଇଛି ନଚେତ୍‌ ସଂରକ୍ଷଣ କରି ଦିଆଯାଇଛି। ଏପରି ଭାବେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ / ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି ଯେ, ହାତରୁ ଓ୍ଵାର୍ଡ ଖସିଲେ ବି ନିର୍ବାଚିତ କର୍ପୋରେଟର୍‌/ ଆଶାୟୀ ପ୍ରାର୍ଥୀମାନେ କିଛି ବି କରିପାରିବେନି। ସେହିପରି ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସିରେ ଥିବା ବିଜେଡିର ପ୍ରାୟ ୨୫ରୁ ୩୦ଜଣ କର୍ପୋରେଟର୍‌ ଯେପରି ସେମାନଙ୍କ ଓ୍ଵାର୍ଡରେ ଲଢ଼ିପାରିବେ ସେହିଭଳି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। ଯେଉଁଠି ବର୍ତ୍ତମାନର କର୍ପୋରେଟର୍‌ ଲଢ଼ି ନ ପାରିବେ ସେଠାରେ ସେମମାନଙ୍କ ପତ୍ନୀ ବା ସମ୍ପର୍କୀୟ ବା ସ୍ଥାନୀୟ ବିଧାୟକଙ୍କ ସମର୍ଥିତ ଯେପରି ଲଢ଼ିବେ ସେନେଇ ସଂରକ୍ଷଣ ଲାଗୁ ହୋଇଛି। କେତେକ ସ୍ଥାନରେ ଭଲ ପ୍ରଦର୍ଶନ ନଥିବା କର୍ପୋରେଟର୍‌ଙ୍କ ଟିକେଟ୍‌ କାଟିବା ଏବଂ ନୂଆ ଆଶାୟୀ ପ୍ରାର୍ଥୀଙ୍କୁ ସୁଯୋଗ ଦେବା ପାଇଁ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ କରାଯାଇଥିବା ଜାଣିବାକୁ ମିଳିଛି। ଏହିଭଳି ପ୍ରାୟ ୬୦ ଓ୍ଵାର୍ଡ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ଚିଠା ପ୍ରସ୍ତାବ ପାରିତ କରିବାକୁ ଆଜି ବସିବ ସ୍ୱତନ୍ତ୍ର କାଉନସିଲ୍‌ ବୈଠକ
୩୦ କର୍ପୋରେଟରଙ୍କ ଆସନ ସୁରକ୍ଷିତ!

ଆସନ୍ତାକାଲି ଚିଠା ପ୍ରସ୍ତାବ ପ୍ରକାଶ ପାଇବାକୁ ଥିଲେ ହେଁ କର୍ପୋରେଟର୍‌ମାନେ ସେମାନଙ୍କ ଖବରି ମାଧ୍ୟମରେ ଆଗୁଆ ସୂଚନା ହାସଲ କରିଦେଇଛନ୍ତି। ଯେଉଁମାନଙ୍କର ଓ୍ଵାର୍ଡ ସଂରକ୍ଷିତ ହୋଇଯାଇଛି ଏସ୍‌ସି/ଏସ୍‌ଟି/ଓବିସି/ମହିଳା ହୋଇଛି ବା ସେମାନଙ୍କ ସପକ୍ଷରେ ସଂରକ୍ଷଣ ହୋଇନି ସେମାନେ କହୁଛନ୍ତି ଆମେ ହୋ ହଲ୍ଲା କଲୁନି କି କୌଣସି ନେତା କି ପ୍ରଶାସକଙ୍କୁ ସାଲିସ୍‌ କଲୁନି ବୋଲି ଆମକୁ ବଳି ପକାଇ ଦିଆଯାଉଛି। ବିଏମ୍‌ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଥର ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ହୋଇଛି। ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଓ୍ଵାର୍ଡ ସୀମା ଧାର୍ଯ୍ୟ ହୋଇଛି। ଗୋଟିଏ ନିର୍ବାଚନ ମଣ୍ଡଳୀର ଓ୍ଵାର୍ଡ ଅନ୍ୟ ନିର୍ବାଚନ ମଣ୍ଡଳୀରେ ରଖାଯାଇନି। ନିର୍ବାଚନ ମଣ୍ଡଳୀ ମ୍ୟାପ୍‌ ଦେଖି ଓ୍ଵାର୍ଡ ସୀମା ପୁନଃ ନିର୍ଧାରଣ ହେଉଛି। ସେହିପରି ସ୍ମାର୍ଟ ସିଟିର ଭୁବନେଶ୍ୱର ଟାଉନ୍‌ ଡିଷ୍ଟ୍ରିକ୍ଟ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ଏବେ ୯୮୫ଏକର ତଥା ୩.୯ ବର୍ଗକିମି ଅଞ୍ଚଳରେ ଥିବା ଭୁବନେଶ୍ୱର ଟାଉନ ଡିଷ୍ଟ୍ରିକ୍ଟ ଅଞ୍ଚଳରେ ତିନିଟି ଓ୍ଵାର୍ଡ ୩୦, ୩୪ ଓ ୪୧ ଥିବାବେଳେ ଓ୍ଵାର୍ଡ ନଂ ୨୯, ୩୫, ୪୧ ଓ ୫୩ ଆଂଶିକ ଭାବେ ରହିଛି। ଏହାଦ୍ୱାରା ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସମସ୍ୟା ଥିବାରୁ ସୀମା ପୁନଃ ନିର୍ଦ୍ଧାରଣରେ ସ୍ମାର୍ଟ ସିଟି ଅଞ୍ଚଳକୁ ସ୍ୱତନ୍ତ୍ର ଭାବେ ପ୍ରାୟ ୪ଟି ଓ୍ଵାର୍ଡରେ ସୀମିତ ରଖାଯାଇଥିବା ଜାଣିବାକୁ ମିଳିଛି। ଏହି ୪ଟି ଓ୍ଵାର୍ଡରେ କେବଳ ଭୁବନେଶ୍ୱର ଟାଉନ୍‌ ଡିଷ୍ଟ୍ରିକ୍ଟ ଅଞ୍ଚଳ ରହିବ।

ସୂଚନାଯୋଗ୍ୟ ଯେ, ସୋମବାର ପୂର୍ବାହ୍ନ ୧୧ଟାରେ ସ୍ୱତନ୍ତ୍ର କାଉନସିଲ୍‌ ବୈଠକ ବସିବାକୁ ଥିବାବେଳେ ଏଥିରେ ଚିଠା ପ୍ରସ୍ତାବ ଆଗତ ହେବ। ଏଥିରେ ପରିବର୍ତନ ଆଣିବା ଅଧିକାର କୌଣସି କର୍ପୋରେଟର୍‌ଙ୍କର ନାହିଁ। ଯାହା ପରିବର୍ତ୍ତନ ଆସିବ ଲୋକଙ୍କ ଅଭିଯୋଗ ଓ ପ୍ରସ୍ତାବକୁ ନେଇ। ଏହା ନଗର ଉନ୍ନୟନ ବିଭାଗ ଆଣିବ। ମାର୍ଚ୍ଚ ୧୨ତାରିଖରେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷିତ ଓ ଅଣସଂରକ୍ଷିତ ସିଟ୍‌ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବାର ଥିଲା। କିନ୍ତୁ ବିଏମ୍‌ସି ତଥ୍ୟ ଦେଇ ନଥିବାରୁ ଏହା ପ୍ରକାଶ ପାଇନାହିଁ। ମାର୍ଚ୍ଚ ୨୧ସୁଦ୍ଧା ଲୋକଙ୍କ ଅଭିଯୋଗ/ପ୍ରସ୍ତାବ ଗ୍ରହଣ କରାଯିବ ବୋଲି ପୂର୍ବରୁ ସ୍ଥିର ହୋଇଛି। ଏହାକୁ ବଢ଼ାଯିବ କି ପୂର୍ବ ଧାର୍ଯ୍ୟ ତାରିଖ ରହିବ ସେନେଇ ନିଷ୍ପତ୍ତି ହୋଇନି। ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ନେଇ ଆସନ୍ତା ଏପ୍ରିଲ୍‌ ୩୦ ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ପୌର ପ୍ରଶାସନ ନିର୍ଦ୍ଦେଶକ ରାଜ୍ୟ ନିର୍ବାଚନ କମିସନର୍‌ଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର