ସବୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ମାନବାଧିକାର କମିସନ

ଭୁବନେଶ୍ୱର: ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଓ ନିର୍ଯାତନା ଦିଆଯିବା ଘଟଣାରେ ରାଜ୍ୟ ମାନବାଧିକାର କମିସନ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ କ’ଣ ଆଇନଗତ ପଦକ୍ଷେପ ନିଆଯାଇଛି ସେ ନେଇ ୪ ସପ୍ତାହ ମଧ୍ୟରେ ତଥ୍ୟ ଉପସ୍ଥାପନ କରିବାକୁ ନିର୍ଦେଶ ଦେଇଛନ୍ତି କମିସନ। ପ୍ରକାଶିତ ଏକ ରିପୋର୍ଟ ଅନୁସାରେ କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା, ମୟୂରଭଞ୍ଜ, କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏଭଳି ମହିଳାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା ଓ ନିର୍ଯାତନା ଦିଆଯାଉଛି। ଯେଉଁ ମହିଳାଙ୍କ ନାଁରେ ଜମିବାଡ଼ି ଓ ସ୍ଥାବର ସମ୍ପତ୍ତି ରହିଛି ସେହି ମହିଳାଙ୍କ ବିରୋଧରେ ଏଭଳି ଅଭିଯୋଗ ସେମାନଙ୍କ ସମ୍ପର୍କୀୟମାନେ ପ୍ରଥମେ ଆଣୁଛନ୍ତି। ପରେ ଗ୍ରାମବାସୀମାନେ ଡାହାଣୀ ଆଖ୍ୟା ଦେଇ ନିର୍ଯାତନା ଦେବା ସହିତ ହତ୍ୟା କରିବାକୁ ପଛାଉ ନାହାନ୍ତି। ଚଳିତ ମାସ ୨ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଥାନା ଅଧୀନ ରୋତଖଣ୍ଡି ଗାଁରେ ଯଶୋଦା ସିଂହ ନାମକ ଜଣେ ମହିଳାଙ୍କୁ ଡାହାଣୀ ବୋଲି ସନ୍ଦେହ କରି ଗ୍ରାମବାସୀମାନେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ମହିଳାଙ୍କୁ ବଞ୍ଚାଇବାକୁ ତାଙ୍କ ପତି ଫଗୁ ସିଂହ ଓ ପୁଅ ଆସିଥିଲେ ସେମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତେବେ କିଛି ସମୟ ଚିକିତ୍ସା ପରେ ଯଶୋଦାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏସବୁ ଘଟଣା ସଂପର୍କରେ ଆଇନଜୀବୀ ତଥା ମାନବାଧିକାର କମିସନ ବିଶ୍ୱପ୍ରିୟ କାନୁନ୍‌ଗୋ ଓ ଆଇନଜୀବୀ ବିଜୟ କୁମାର ପଣ୍ଡା ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍‌ ଦାଖଲ କରିଥିଲେ। କମିସନ ପିଟିସନ୍‌ର ଶୁଣାଣି କରି ଏଭଳି ନିର୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଓ ନିର୍ଯାତନା ଦେବା ଘଟଣାରେ ପୂର୍ବରୁ ଗୃହ ବିଭାଗ ପକ୍ଷରୁ ‘କମ୍ପୋଜିଟ୍‌ ଆକ୍ସନ୍‌’ ଗ୍ରହଣ କରିବାକୁ ନିର୍ଦେଶ ହୋଇଥିଲା।

ସମ୍ବନ୍ଧିତ ଖବର