୨୫ ଖାଦ୍ୟ ବ୍ୟବସାୟୀଙ୍କ ବିରୋଧରେ କମ୍ପାଉଣ୍ଡିଂ ମାମଲା: ମାସକରେ ୬୭ହଜାର ଟଙ୍କା ଜରିମାନା ଆଦାୟ

58

ଭୁବନେଶ୍ବର: ରାଜ୍ୟରେ ଅସାଧୁ ଖାଦ୍ୟ ବ୍ୟବସାୟୀଙ୍କ ବିରୋଧରେ ଧରପଗଡ଼ ଆରମ୍ଭ ହୋଇଛି। ରାଜ୍ୟର ୪ଟି ସ୍ଥାନରେ ବାରମ୍ବାର ଖାଦ୍ୟ ଅପମିଶ୍ରଣ କରୁଥିବା ଛୋଟ ବ୍ୟବସାୟୀଙ୍କ ବିରୋଧରେ କମ୍ପାଉଣ୍ଡିଂ ମାମଲା କରାଯିବା ସହିତ ପ୍ରାୟ ୬୭ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଗାମୀ ଦିନରେ ରାଜ୍ୟବ୍ୟାପୀ ଏଭଳି ଧରପଗଡ଼ ଜାରି ରହିବ ବୋଲି ଖାଦ୍ୟ ସୁରକ୍ଷା ପକ୍ଷରୁ କୁହାଯାଇଛି। ବାଲିଯାତ୍ରା ସମୟ‌ରୁ ଖାଦ୍ୟ ବ୍ୟବସାୟୀଙ୍କ ବିରୋଧରେ ଏଭଳି କମ୍ପାଉଣ୍ଡିଂ ମାମଲା ଆରମ୍ଭ ହୋଇଛି। ଯେଉଁ ଖାଦ୍ୟ ବ୍ୟବସାୟୀଙ୍କ ବିରୋଧରେ ବାରମ୍ବାର ଖାଦ୍ୟ ଅପମିଶ୍ରଣ ଅଭିଯୋଗ ଆସୁଛି ସେମାନଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ଗୁପଚୁପ୍, ଚାଟ୍, ଛୋଟ ହୋଟେଲ, ଛୋଟ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନି ଓ ବ୍ୟବସାୟୀଙ୍କୁ ଏଥିରେ ଟାର୍ଗେଟ୍‌ କରାଯାଇଛି। ଗତ ୧ମାସ ଭିତରେ ଭୁବନେଶ୍ବର ଓ କଟକ ମ୍ୟୁନସିପାଲଟି, ଗଜପତି ଓ କେନ୍ଦୁଝରରୁ ଏଭଳି ଅସାଧୁ ଖାଦ୍ୟ ବ୍ୟବସାୟୀଙ୍କଠାରୁ ୬୬ହଜାର ୫ଶହ ଟଙ୍କା ଜରିମାନା ଆକାରରେ ଆଦାୟ ହୋଇଛି।

ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଯେଉଁ ଖାଦ୍ୟ ବ୍ୟବସାୟୀମାନେ ବାସି ଖାଦ୍ୟ, ଖାଦ୍ୟରେ ରାସାୟନିକ ରଂଗ, ଅସ୍ବାସ୍ଥ୍ୟକର ପରିସ୍ଥିତିରେ ଖାଦ୍ୟ ପ୍ରସ୍ତୁତି, ମିସ୍‌ ବ୍ର‌‌ାଣ୍ଡେଡ୍‌ କଞ୍ଚା ମାଲ୍ ବ୍ୟବହାର ଓ ବିନା ପଞ୍ଜୀକରଣରେ ବ୍ୟବସାୟ କରୁଛନ୍ତି ସେମାନଙ୍କ ବିରୋଧରେ କମ୍ପାଉଣ୍ଡିଂ ମାମଲା କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଖାଦ୍ୟ ବ୍ୟବସାୟୀଙ୍କ ବିରୋଧରେ ଗ୍ରାହକଙ୍କ ଅଭିଯୋଗକୁ ମଧ୍ୟ ଏଥିରେ ବିଶେଷ ଗୁରୁତ୍ବ ଦିଆଯିବ। ଯେଉଁ ଖାଦ୍ୟ ବ୍ୟବସାୟୀଙ୍କୁ ବାରମ୍ବାର ତାଗିଦ୍ କରିବା ପରେ ମଧ୍ୟ ସୁଧୁରୁ ନାହାନ୍ତି, ସେମାନଙ୍କ ବିରୋଧରେ ହିଁ କମ୍ପାଉଣ୍ଡଂ ମାମଲା କରାଯିବ। ୧୦୦ଟଙ୍କାରୁ ଆରମ୍ଭ କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ଜରିମାନା ଆଦାୟ କରାଯାଇପାରିବ। ତେବେ ଜରିମାନା ପାଇଁ ଖାଦ୍ୟ ବ୍ୟବସାୟୀ ଓ ସ୍ବୀକୃତିପ୍ରାପ୍ତ ଅଧିକାରୀଙ୍କ ମଧ୍ୟରେ ଆଲୋଚନା କରାଯିବା ପରେ ହିଁ ଏହାକୁ ଆଦାୟ କରାଯିବ। ରାଜ୍ୟରେ ଏବେ ୩୬ଜଣ ସ୍ବୀକୃତିପ୍ରାପ୍ତ ଖାଦ୍ୟ ସୁରକ୍ଷା ଅଧିକାରୀ ରହିଛନ୍ତି। ସେମାନଙ୍କ ଜରିଆରେ କମ୍ପାଉଣ୍ଡିଂ ମାମଲାର ପରିଚାଳନା କରାଯିବ। ଛୋଟ ଖାଦ୍ୟ ବ୍ୟବସାୟୀଙ୍କ କ୍ଷେତ୍ରରେ କୋର୍ଟରେ ମାମଲା ବ୍ୟୟ ଓ ସମୟସାପେକ୍ଷ ହୋଇଥିବା ବେଳେ ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୂପ କମ୍ପାଉଣ୍ଡିଂ ମାମଲା କରାଯିବ। ଅପରପକ୍ଷରେ ଗତ ୩ବର୍ଷରେ ରାଜ୍ୟରେ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ ବଢ଼ିଛି। ୨୦୧୬/୧୭ରେ ୫୦୨୬ଜଣ, ୨୦୧୭/୧୮ରେ ୨୫,୮୨୨ ଓ ୨୦୧୮/୧୯ରେ ୩୬,୬୨୨ଜଣ ଖାଦ୍ୟ ବ୍ୟବସାୟୀ ନିଜର ପଞ୍ଜୀକରଣ କରିଥିବା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର