ଚାକିରିରୁ ବିଦା ହେଲେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ରିଜର୍ଭ କନଷ୍ଟେବଲ୍‌ ଜାନକୀ ବଲ୍ଲଭ ଭାରୀମଲ୍ଲ

ଭୁବନେଶ୍ବର : ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ରିଜର୍ଭ କନଷ୍ଟେବଲ୍‌ ଜାନକୀ ବଲ୍ଲଭ ଭାରୀମଲ୍ଲ ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ନାଁରେ ଏକାଧିକ ଫୌଜଦାରି ମାମଲା ରହିଛି। ଚୋରି, ଅପହରଣ, ମାରପିଟ୍‌ ଓ ନିଶାଦ୍ରବ୍ୟ କାରବାର ଭଳି ପୁଳପୁଳା ଅଭିଯୋଗ ତାଙ୍କ ନାଁରେ। କିନ୍ତୁ ସାକ୍ଷ୍ୟମାନଙ୍କୁ ପ୍ରଭାବିତ କରି ସେ କୋର୍ଟରୁ ନିର୍ଦୋଷରେ ଖଲାସ ହୋଇଯାଉଛନ୍ତି। ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବା ଆବଶ୍ୟକ। ଏଭଳି ଏକ ରିପୋର୍ଟ ଡିସିପି ଅନୁପ ସାହୁଙ୍କ ହସ୍ତଗତ ହେବା ପରେ ସେ ଆଜି ଉକ୍ତ କନଷ୍ଟେବଲ୍‌ଙ୍କୁ ଚାକିରିରୁ ବିଦା କରିଛନ୍ତି। ରାଜ୍ୟ ସରକାରଙ୍କ ମୋ’ ସରକାର ଓ ‘୫-ଟି’ ଯୋଜନା ଅନୁଯାୟୀ ଏହା କାର୍ଯ୍ୟକାରୀ କରାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଏଠାରେ ପ୍ରକାଶଥାଉକି, ଜାନକୀ କମିସନରେଟ୍‌ ପୁଲିସ ଓ ଖୋର୍ଦ୍ଧା ଜିଲ୍ଲାରେ କାମ କରୁଥିବା ବେଳେ ତାଙ୍କ ନାମରେ ଦୁଇଟି ବଡ଼ ବଡ଼ ଅଭିଯୋଗ ରହିଥିଲା। କ୍ୟାପିଟାଲ ଥାନା ଅଞ୍ଚଳରେ ୨୦୦୫ ମସିହାରେ ହତ୍ୟା ପାଇଁ ଏକ ଅପହରଣ ମାମଲାର ସେ ଅଭିଯୁକ୍ତ ଥିଲେ। ତେବେ ପ୍ରମାଣ ଅଭାବରୁ ସେ ଖଲାସ ହୋଇଥିଲେ। ୨୦୦୮ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସେ ଖୋର୍ଦ୍ଧାରେ କାର୍ଯ୍ୟରତ ଥିଲେ। ୨୦୧୧ରେ ଖଣ୍ଡଗିରି ଥାନାରେ ମଧ୍ୟ ମାରପିଟ୍‌ ମାମଲା ଥିଲା। ୨୦୧୮ ରେ ଖୋର୍ଦ୍ଧାରେ ଜଣେ ଓକିଲଙ୍କ ଗାଡ଼ି ଚୋରି କରିବା ଅଭିଯୋଗରେ ସେ ଗିରଫ ହୋଇଥିଲେ। ଏବେ ସେ ଭୁବନେଶ୍ବର ରିଜର୍ଭ ପୁଲିସରେ କାର୍ଯ୍ୟରତ ଥିଲେ। ପୁଲିସ ବିଭାଗରେ କାମ କରୁଥିବାରୁ ନିଶା ବେପାରକୁ ସେ ବେଶ୍‌ ସୁରୁଖୁରୁରେ ଚଳାଇଥିଲେ। କିଛି ଦିନ ତଳେ ନୂଆପଲ୍ଲୀ ଶ୍ମଶାନ ଅଞ୍ଚଳରେ ନିଶାଦ୍ରବ୍ୟ ବିକ୍ରି କରୁଥିବା ବେଳେ ନୂଆପଲ୍ଲୀ ଥାନା ପୁଲିସ ତାଙ୍କୁ ବ୍ରାଉନସୁଗାର ସହ ଗିରଫ କରିଥିଲା।

ସମ୍ବନ୍ଧିତ ଖବର