କର୍ପୋରେସନ ବୈଠକ: ସହରକୁ ବିଗାଡ଼ି ଦେଉଛି ପୂର୍ତ୍ତ ବିଭାଗ

ଭୁବନେଶ୍ୱର: ଦୁଇ ମାସ ବ୍ୟବଧାନରେ ବସିଥିବା ବିଏମ୍‌ସିର ମାସିକ ବୈଠକରେ ପୂର୍ତ୍ତ ବିଭାଗର ଅବହେଳାକୁ ନେଇ ହୋ ହଲ୍ଲା ହୋଇଛି। ଜନଗହଳିପୂର୍ଣ୍ଣ ରାସ୍ତା ମନଇଚ୍ଛା ଖୋଳି ପକାଉଛି। କ୍ବାର୍ଟର୍ସ ମରାମତି କଲା ବେଳେ ରାସ୍ତା କଡ଼ରେ ଭଙ୍ଗାଇଟା, ଗୋଡ଼ି, ସିମେଣ୍ଟ ପ୍ଲାଷ୍ଟର ଗଦେଇ ଦେଉଛି। ଅଭିଯୋଗ କଲେ ବି ଉଠଉ ନାହିଁ। ଘର ତିଆରି କରିବାକୁ ଗୋଡ଼ି ବାଲି ଲୋକମାନେ କିଣି ରାସ୍ତା କଡ଼ରେ ଗୋଟିଏ ଦିନ ରଖିଦେଲେ ବିଏମ୍‌ସି ଜରିମାନା କଷି ଦେଉଥିବା ବେଳେ ସହରକୁ ଅସ୍ବଚ୍ଛ କରୁଥିବା ଏହି ବିଭାଗ ପ୍ରତି ଅନୁକମ୍ପା କାହିଁକି? ଲୋକ ଅଭିଯୋଗ କରିବାକୁ ବିଏମ୍‌ସି ଆସୁନାହାନ୍ତି ବରଂ ନିଜ ନିଜ ଅଞ୍ଚଳର କର୍ପୋରେଟରଙ୍କୁ ଧରୁଛନ୍ତି। ଏଭଳି ଅଭିଯୋଗ ନେଇ ସମସ୍ତ କର୍ପୋରେଟରଙ୍କ ସ୍ବର ଏକ ହେବାରୁ ତନାଘନା ହୋଇଛି।ଶେଷରେ ନିଷ୍ପତ୍ତି ହୋଇଛି ଯେ ନିର୍ମାଣ ଭଗ୍ନାବଶେ‌ଷ ରାସ୍ତା କଡ଼ରେ ଗଦା କଲେ ପୂର୍ତ୍ତ ବିଭାଗକୁ ଜରିମାନା କରାଯିବ।

ଆଜିର ବୈଠକରେ ସହରର ପରିମଳକୁ ନେଇ ମଧ୍ୟ ହୋ ହଲ୍ଲା ହୋଇଛି। ଆବର୍ଜନା ଠାରୁ ଆରମ୍ଭ କରି ନଳା ସଫା ପର୍ଯ୍ୟନ୍ତ କୌଣସି କାମ ସନ୍ତୋଷଜନକ ହେଉନାହିଁ ବୋଲି ବହୁ କର୍ପୋରେଟର୍‌ ଅଭିଯୋଗ କରିଥିଲେ। ବର୍ଷାଋତୁ ଆସୁଛି, ହେଲେ ନଳା(ଇଣ୍ଟରନାଲ୍‌ ଡ୍ରେନ୍‌) ସଫା ହୋଇ ନାହିଁ। ଯିଏ ଅଭିଯୋଗ କରୁଛି କେବଳ ତାକୁ ଦେଖାଇବା ପାଇଁ ଠିକା ସଂସ୍ଥାମାନେ ‌ସେ ଗଳିରେ ନଳା ସଫା କରିଦେଉଛନ୍ତି। ଏଣୁ ବର୍ଷାଋତୁରେ ଜଳବନ୍ଦୀ ସମସ୍ୟା ହେବେ ବାଲି କର୍ପୋରେଟରମାନେ ସତର୍କ କରାଇ ଦେଇଥି‌ଲେ। ସେହିଭଳି ସ୍ବଚ୍ଛସାଥୀମାନେ କର୍ପୋରେଟରଙ୍କ କଥା ଶୁଣୁନଥିବା ଅଭିଯୋଗ ହୋଇଥିଲା। ବିଶେଷକରି ୫୩ ନମ୍ବର ୱାର୍ଡରେ ଅଧିକ ଅଭିଯୋଗ ଆସିବାରୁ ସେଠାରେ କାର୍ଯ୍ୟରତ ୪ ଜଣ ସ୍ବଚ୍ଛସାଥୀଙ୍କୁ କାର୍ଯ୍ୟରୁ ବିଦା କରାଯାଇଛି। ବର୍ଜ୍ୟ ପୃଥକୀକରଣ ଓ ସହରକୁ ଆବର୍ଜନା ମୁକ୍ତ ରଖିବା ପାଇଁ ପ୍ରତି ୱାର୍ଡରେ ୧୦ ଜଣ ସ୍ୱଚ୍ଛ ସାଥୀ ରହିବେ। ପୂର୍ବରୁ ପ୍ରତ୍ୟେକ ୱାର୍ଡରେ ୪ ଜଣ ଲେଖାଏ ସ୍ବଚ୍ଛସାଥୀ କାମ କରୁଥିଲେ। ମୌସୁମୀ ଆସିବା ପୂର୍ବରୁ ସମସ୍ତ ମୁଖ୍ୟ ଡ୍ରେନ ସହ ଶାଖା ଡ୍ରେନଗୁଡିକୁ ପରିଷ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଛଡ଼ା ଜଳବନ୍ଦୀ ଅଞ୍ଚଳରେ ଜଳ ନିଷ୍କାସନ କରିବା, ଡେଙ୍ଗୁ ମୁକାବିଲା ଉପରେ ଗୁରୁତ୍ବାରୋପ କରାଯାଇଥିଲା।

ଅସନ୍ତୋଷ ଝାଡ଼ିଲେ କର୍ପୋରେଟର୍‌
ଅଳିଆ ଭର୍ତ୍ତି ନଳାକୁ ନେଇ ଉଦ୍‌ବେଗ
ପ୍ରତି ୱାର୍ଡରେ ୧୦ ସ୍ବଚ୍ଛ ସାଥୀ
କର୍ତ୍ତବ୍ୟରେ ଅବହେଳା ପାଇଁ ବିଦା ହେଲେ ୪

ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ୩୮ ନମ୍ବର ୱାର୍ଡରେ ଗଣେଶ ମାର୍କେଟ(ଜି+୧) ନିର୍ମାଣ ହେବ। ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇବାକୁ ଯାଉଥିବା ଜଳାଶୟଗୁଡ଼ିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ, କଞ୍ଜରଭାନ୍ସି ଲେନ୍‌ଗୁଡିକରେ ପେଭର ବ୍ଲକ ରାସ୍ତା ନିର୍ମାଣ, ପବ୍ଲିକ ଟଏଲେଟ୍ ନିର୍ମାଣ, ୬ ମାସ ମଧ୍ୟରେ କାମ ସାରିବା ପାଇଁ ପ୍ରତ୍ୟେକ ଟେଣ୍ଡରରେ ଚୁକ୍ତି କରିବା, ବିନା ରସିଦରେ ଜରିମାନା ଆଦାୟ ନ କରିବା, ଶତ ପ୍ରତିଶତ ହୋଲଡିଂ ଟାକ୍ସ ଆଦାୟ, ଖାଲି ପଡ଼ିଥିବା ସରକାରୀ ସ୍ଥାନରେ ଛୋଟ ପିଲାଙ୍କ ପାଇଁ ଖେଳ ପଡିଆ କରିବା, ବିଦ୍ୟାଳୟରେ ପାଇଖାନା ନିର୍ମାଣ ଓ ବିପଦ ସଂକୁଳ ଶ୍ରେଣୀଗୃହ ମରାମତି କରିବା, ପ୍ରତି ୱାର୍ଡରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ତାଲିକା କର୍ପୋରେଟରଙ୍କୁ ପ୍ରଦାନ କରିବା, ଅଚଳ ‘ସ୍ବର୍ଗରଥ’ ମରାମତି କରିବା ସହ ନାଲକୋରୁ ପ୍ରାପ୍ତ ଅନୁଦାନରେ ଆଉ ଦୁଇଟି ନୂଆ ଗାଡ଼ି କିଣିବା ପ୍ରଭୃତି ପ୍ରସ୍ତାବ ଉପରେ କର୍ପୋରେସନର ମୋହର ବାଜିଛି।

୪୮ ନମ୍ବର ୱାର୍ଡ କର୍ପୋରେଟର ସୁଚିତ୍ର ପାତ୍ର ଅଭିଯୋଗ କରିଥଲେ କି, ବିଭିନ୍ନ ଅଞ୍ଚଳରେ ଦିନରାତି ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁଛି। କେତେକ ଜାଗାରେ ଷ୍ଟ୍ରିଟ୍‌ ଲାଇଟ୍‌ ଅନ୍‌ କଲେ ଯାଇ ଜଳୁଛି, ସନ୍ଧ୍ୟା ହେଲେ ଆପେ ଜଳୁନାହିଁ। ବିଭିନ୍ନ ୱାର୍ଡରେ ମଧ୍ୟ ବିଦ୍ୟୁତ ଖୁଣ୍ଟ ବିପଜ୍ଜନକ ଅବସ୍ଥାରେ ରହିଛି। ବିଦ୍ୟୁତ ସମ୍ପର୍କିତ ବିଭିନ୍ନ ଜରୁରି କାମ ପାଇଁ ତିନିଟି ଜୋନ୍‌କୁ ୭କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।
ଶେଷରେ ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ସମୟ ଅବଧି ପୂର୍ବରୁ ଆବର୍ଜନା ପକାଇବା ବନ୍ଦ ହୋଇଥିବାରୁ କମିସନରଙ୍କ ସମେତ ସମସ୍ତ ପଦାଧିକାରୀ ଓ କର୍ମଚାରୀଙ୍କୁ ମେୟର ସୁଲୋଚନା ଦାସ ଧନ୍ୟବାଦ ଦେଇଥିଲେ। ସେହିଭଳି ୱାର୍ଡରେ ଦିନେ କାର୍ଯ୍ୟକ୍ରମରେ ବିଏମ୍‌ସି ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନ କରୁଥିବାରୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କମିସନର ବିଜୟ ଅମୃତା କୁଲାଙ୍ଗେ କାର୍ଯକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସମସ୍ତ କର୍ପୋରେଟରଙ୍କ ସମେତ ତିନି ବିଧାୟକଙ୍କ ପ୍ରତିନିଧି ଯୋଗ ଦେଇଥି‌ଲେ।

ବୈଠକ ବର୍ଜନ କଲେ କର୍ପୋରେଟର କୁମାରେନ୍ଦ୍ର

ବଦଳି ପରେ ବି ଗାଦି ଛାଡ଼ୁନଥିବା ଅଧିକାରୀଙ୍କ ପ୍ରସଙ୍ଗକୁ ନେଇ ସରଗରମ ହୋଇଛି। ବଦଳି ନ ହେଲା ନାହିଁ ସମ୍ପୃକ୍ତ ମହିଳା ଅଧିକାରୀଙ୍କୁ ଏଷ୍ଟାବ୍ଲିସ୍‌ମେଣ୍ଟ ସେକ୍ସନ ଦାୟିତ୍ବରୁ ହଟାଇ ଅନ୍ୟ ଦାୟିତ୍ବ ଦେବା ପାଇଁ ମେୟର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ହୋଇ ନ ଥିବାରୁ ୩୧ ନମ୍ବର ୱାର୍ଡର କର୍ପୋରେଟର ବୈଠକ ବର୍ଜନ କରିଛନ୍ତି। ‌ବୈଠକ ଆରମ୍ଭରେ କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର ଏହି ପ୍ରସଙ୍ଗ ଉଠାଇଥିଲେ। ବେଶ୍‌ କିଛି ସମୟ ଏହା ଉପରେ ମେୟର ଓ କମିସନର ଚର୍ଚ୍ଚା କରିବା ପରେ ମଧ୍ୟ ପ୍ରତିଶ୍ରୁତି ନ ମିଳିବାରୁ ସେ ବୈଠକ ଛାଡ଼ି ଚାଲି ଯାଇଥିଲେ। ଏହା ପରେ ବିଧିବଦ୍ଧ ଭାବରେ ବୈଠକ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର