ବାଲିଅନ୍ତାରେ କରୋନା ନେଲା ଆଉ ଦୁଇ ଜୀବନ, ମୃତ୍ୟୁସଂଖ୍ୟା ୧୬ ଛୁଇଁଲା

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ କରୋନା ଭୂତାଣୁ ପୁଣି ଦୁଇଜଣଙ୍କ ପ୍ରାଣ ନେଇଛି। ଦୁଇ ଜଣଙ୍କ ମୃତ୍ୟୁକୁ ମିଶାଇ ଏହି ଅଞ୍ଚଳରେ ମୋଟ ୧୬ଜଣଙ୍କର ମୃତ୍ୟୁ ହୋଲାଣି। ଦୁଇ ମୃତକଙ୍କ ମଧ୍ୟରେ ଜଣେ ପ୍ରତାପଶାସନ ପଞ୍ଚାୟତ ଅଧୀନ ବାଳକାଟି ବଜାରରେ ରହୁଥିବା ୮୫ ବର୍ଷୀୟ ବରିଷ୍ଠ ନାଗରିକ। ସତ୍ୟନଗର ଶ୍ମଶାନରେ ଆଜି ଅପରାହ୍‌ଣରେ ତାଙ୍କ ଶବ ସତ୍କାର କରାଯାଇଥିଲା। ଗତ ୪ ଦିନ ତଳେ ମସ୍ତିଷ୍କରେ ଗଭୀର ଆଘାତ ଲାଗିବା ଯୋଗୁଁ ସେ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। ସେଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗତକାଲି ରାତି ୩ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ସେହିପରି ଆଜି ଅପରାହ୍‌ଣରେ ଉକ୍ତ ବ୍ଲକ ଅଧୀନ ବେଣୁପୁର ପଞ୍ଚାୟତର ଜଣେ ବ୍ୟବସାୟୀ (୫୫)ଙ୍କର ମୃତ୍ୟୁ ହୋଇଛି। ଦୁଇ ସପ୍ତାହ ତଳେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାରଲୋକ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଇଥିଲେ। ସେଠାରେ ପରୀକ୍ଷା କରାଇବାରୁ ସେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କର ଚିକିତ୍ସା କରାଯାଇଥିଲା। କୋଭିଡ୍‌ ସହ ଅନ୍ୟ ଦୁଇଟି ଦୀର୍ଘକାଳୀନ ରୋଗରେ ସେ ପୀଡ଼ିତ ଥିବାରୁ ସ୍ବାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହୋଇପଡ଼ିଥିଲା। ତେଣୁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ସଂକଟାପନ୍ନ ହୋଇପଡ଼ିଥିଲା। କିଛି ଦିନ ବ୍ୟବଧାନରେ ଦୁଇଥର ତାଙ୍କର ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ହେଲେ ଦୁଇଥର ଯାକ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ଆଜି ଅପରାହ୍‌ଣରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆସନ୍ତାକାଲି ଉକ୍ତ ହସ୍ପିଟାଲ ପକ୍ଷରୁ ତାଙ୍କ ମୃତଦେହ ବିଏମସିକୁ ହସ୍ତାନ୍ତର କରିବା ପରେ ସତ୍ୟନଗର ଶ୍ମଶାନରେ ସତ୍କାର କରାଯିବ ବୋଲି ଜଣେ ସଂପର୍କୀୟ କହିଛନ୍ତି। ଗତ ୧୧ ତାରିଖରେ ବେଣୁପୁର ପଞ୍ଚାୟତରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁଇ ସପ୍ତାହ ମଧ୍ୟରେ ବେଣୁପୁର ପଞ୍ଚାୟତରେ ଦୁଇଜଣଙ୍କର କରୋନା ମୃତ୍ୟୁ ଘଟଣା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇ ଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦୁଇଟି ମୃତ୍ୟୁ ଘଟଣା ପରେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତର ବିଭିନ୍ନ ଗାଁ, ଗଳି ସାନିଟାଇଜ କରାନଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ବାଳକାଟି ଅଞ୍ଚଳରେ ୯ଜଣ, ଉମାଦେଇ ବ୍ରହ୍ମପୁର ପଞ୍ଚାୟତରେ ଜଣେ, ପ୍ରତାପରୁଦ୍ରପୁର ପଞ୍ଚାୟତରେ ୨ଜଣ, ବାଲିଅନ୍ତା ପଞ୍ଚାୟତରେ ଜଣେ ସରକଣା ପଞ୍ଚାୟତରେ ଅନ୍ୟ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର