ଫନିର ୨ ମାସ ପରେ ବି…ମରାମତି ହେଉନି ସିୟୁଜି ହୋ‌ର୍ଡିଂ

ବରିଷ୍ଠ ଅଧିକାରୀଙ୍କୁ ହୋଇପାରୁନି ସିଧାସଳଖ ଅଭିଯୋଗ

ଭୁବନେଶ୍ବର : ତିନି ମାସ ତଳେ କମିସନରେଟ ପୁଲିସ ଅଧୀନରେ ଥିବା ସମସ୍ତ ଥାନା ସମ୍ମୁଖରେ ଇନ୍ସପେକ୍ଟର, ଏସିପି ଓ ଡିସିପିଙ୍କ ମୋବାଇଲ ନମ୍ବର ଲାଗିଥିଲା। କମିସନରେଟ୍‌ ପୁଲିସର ଯୋଜନା ଥିଲା, ଅଭିଯୋଗକାରୀ ସିଧାସଳଖ ସେହି ମୋବାଇଲ ନମ୍ବରରେ ଯୋଗାଯୋଗ କରି ନିଜ ଅଭିଯୋଗ, ସମସ୍ୟା ଆଦି ସମ୍ପର୍କରେ ଅବଗତ କରାଇପାରିବେ। ଯୋଜନା ମଧ୍ୟ ବେଶ୍‌ ଭଲ ଭାବେ କାର୍ଯ୍ୟକାରୀ ହେଉଥିଲା। ଅଭିଯୋଗକାରୀ ସିଧାସଳଖ ନିଜ ଅଭିଯୋଗ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇପାରୁଥିଲେ। କିନ୍ତୁ ଗତ ମେ ମାସରେ ହୋଇଥିବା ବାତ୍ୟା ‘ଫନି’ ସବୁ ନଷ୍ଟ କରି ଦେଇଛି। ଥାନା ସମ୍ମୁଖରେ ଲାଗିଥିବା ହୋର୍ଡିଂ କେଉଁଠି ଉଡ଼ି ଯାଇଛି ତ ମୋଡ଼ି ମକଚି ହୋଇଯାଇଛି। କିନ୍ତୁ ‘ଫନି’କୁ ଦୁଇ ମାସରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ହୋର୍ଡିଂ ସବୁ ସଜଡ଼ା ଯାଇପାରିନାହିଁ। ସେହିପରି ଫନି ମାଡ଼ରେ କମିସନରେଟ୍‌ ପୁଲିସର ବିଭିନ୍ନ ହୋର୍ଡିଂ ଉପୁଡ଼ି ପଡ଼ିଥିଲା। ଫଳରେ ଥାନା ଏବେ କେଉଁଠି ଅଛି ଅନେକ ଜାଣିପାରୁନାହାନ୍ତି। ରାଜଧାନୀ ବାହାରୁ ଆସୁଥିବା ଲୋକ ଏଭଳି ସମସ୍ୟାରେ ବେଶି ପଡ଼ୁଛନ୍ତି। କ୍ୟାପିଟାଲ, ସହିଦନଗର ଓ ଖାରବେଳନଗର ଥାନା ହୋ‌ର୍ଡିଂ ଆଉ ନାହିଁ। ହୋ‌ର୍ଡିଂ ସବୁ ଥାନା ପଛ ପଟେ ଡେରା ହୋଇଛି।

ପୁଲିସ କମିସନର ସତ୍ୟଜିତ ମହାନ୍ତି ଏଭଳି ଏକ ଅଭିନବ ଯୋଜନା ଲାଗୁ କରିବାକୁ ଚିନ୍ତା କରିଥିଲେ। ଦେଶର ଅନ୍ୟାନ୍ୟ ସହର ଭଳି କମିସନରେଟ୍‌ ପୁଲିସର ପ୍ରତ୍ୟେକ ଥାନା ଅଧୀନରେ ବରିଷ୍ଠ ଅଧିକାରୀଙ୍କ ସିୟୁଜି ନମ୍ବର ଲେଖାଥିବା ଏକ ହୋର୍ଡିଂ ଲଗାଇବାକୁ ଯୋଜନା ହୋଇଥିଲା। ଗତ ମାର୍ଚ ୧୫ତାରିଖରେ ରାଜଧାନୀ ଓ କଟକରେ ଏଭଳି ହୋର୍ଡିଂ ଲାଗିଥିଲା। ଏଥିରେ ବରିଷ୍ଠ ଅଧିକାରୀଙ୍କ ମୋବାଇଲ ନମ୍ବର ସହ ହ୍ବାଟ୍‌ସ ଆପ ନମ୍ବର ମଧ୍ୟ ଥିଲା। ବଡ଼ କଥା ହେଉଛି ଥାନା ଇନ୍ସପେକ୍ଟର, ଏସିପି କିମ୍ବା ଡିସିପି ବଦଳି ଗଲେ ମଧ୍ୟ ନମ୍ବରରେ କୌଣସି ପରିବର୍ତନ କରାଯିବ ନାହିଁ। ବାତ୍ୟାରେ ହୋର୍ଡିଂ ଭାଙ୍ଗିଯିବା ପରେ ଏହାର ସିଧାସଳଖ ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ିଛି। କାରଣ ଅଭିଯୋଗକାରୀ ସିଧାସଳଖ ଏହି ମୋବାଇଲ ନମ୍ବରରେ ଯୋଗାଯୋଗ କରି ନିଜ ଅସୁବିଧା ସମ୍ପର୍କରେ ଅବଗତ କରାଇ ପାରୁଥି‌ଲେ। ଏପରିକି କେହି ତାଙ୍କୁ ଥାନାରେ ହଇରାଣ କଲେ କିମ୍ବା ତାଙ୍କ ଅଭିଯୋଗ ଶୁଣୁ ନଥିଲେ, ଅଭିଯୋଗକାରୀ ଚାହିଁଲେ ସିଧାସଳଖ ଏସିପି କିମ୍ବା ଡିସିପିଙ୍କୁ ଯୋଗାଯୋଗ କରି ନିଜ ଅଭିଯୋଗ ଜଣାଇପାରନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ବିଭାଗରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟ ନେଇ ଏଭଳି ଯୋଜନା କରିଥିଲି। ତେବେ ଫନି ବାତ୍ୟାରେ ଏଥିରେ କ୍ଷତି ପହଞ୍ଚିଛି। ଖୁବ୍‌ ଶୀଘ୍ର ଏହାର ମରାମତି କରାଯିବ, ନଚେତ୍‌ ନୂଆ ହୋ‌ର୍ଡିଂ ଲାଗିବ ବୋଲି ପୁଲିସ କମିସନର୍‌ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର