ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଜବତ

ଭୁବନେଶ୍ବର : ଖାରବେଳନଗର ଥାନା ପୁଲିସ୍‌ ଗୁରୁବାର ଦିନ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହକୁ ଜବତ କରିଛି। ସେ ହେଲେ, ୟୁନିଟ୍‌-୩ ତାରିଣୀ ବସ୍ତିର ସସ୍ମିତା ବାରିକ(୨୩)। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ମୁତାବକ, ଦୀର୍ଘ ଦିନ ହେବ ସସ୍ମିତା ପରିବାର ସହ ତାରିଣୀ ବସ୍ତିରେ ରହି ଏକ ଘରୋଇ ସଂସ୍ଥାରେ ଚାକିରି କରିଥିଲେ। ସବୁଦିନ ଭଳି ଗୁରୁବାର ସକାଳୁ ବାପା ଅଜୟ ବାରିକ ସେଲୁନ୍‌କୁ ବାହାରି ଯାଇଥିଲେ। ବଡ଼ ଭଉଣୀ ବି ଅଫିସ୍‌ ଚାଲି ଯାଇଥିଲେ। ହେଲେ କୌଣସି କାରଣରୁ ସସ୍ମିତା ଅଫିସ୍‌ ଯାଇନଥିଲେ। ଦିନ ପ୍ରାୟ ସାଢ଼େ ୧୨ଟାରେ ଅଜୟ ଘରକୁ ଫେରି ଦେଖିବା ବେଳକୁ ସସ୍ମିତାଙ୍କ ଶବ ଫ୍ୟାନ୍‌ରେ ଝୁଲୁଥିଲା। ଝିଅକୁ ଉଦ୍ଧାର କରି ଅଜୟ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲା। ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅପରପକ୍ଷେ ପୁଲିସ ସସ୍ମିତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରିଛି। ପୁଲିସ ତାଙ୍କ ମୋବାଇଲ୍‌ ଜବତ କରି ଯାଞ୍ଚ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଏବଂ ମୋବାଇଲ୍‌ ଯାଞ୍ଚ ରିପୋର୍ଟ ଅସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର