ବାହାରକୁ ଗଲେ ଫୁଲ ସାର୍ଟ ପିନ୍ଧନ୍ତୁ, କାହିଁକି ଏଭଳି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ବୃଦ୍ଧି ପଛର କାରଣ ଓ ନିରାକରଣ ବାବଦରେ ଆଜି ରାଜଧାନୀବାସୀଙ୍କୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର | ସେ କହିଛନ୍ତି ଯେ ବର୍ଷା ଦିନେ ଡେଙ୍ଗୁ, ଚିକେନଗୁନିଆ ଓ ମ୍ୟାଲେରିଆ ବ୍ୟାପେ । ସବୁ ବର୍ଷ ଏହି ସମୟରେ ବଢ଼େ । ଭୁବନେଶ୍ୱରରେ ଏ ବର୍ଷ ଲକଡାଉନ ବର୍ଷା ଦିନ ଯାଏ ଥିଲା । ତେଣୁ ଅଧିକାଂଶ ସ୍କୁଲ, ପାର୍କ, ଗ୍ୟାରେଜ ତାଲା ପଡିରହିଲା । ଅନେକ ବାସଗୃହ, ନିର୍ମାଣାଧୀନ ଘର ବି ତାଲା ପଡି ରହିଥିଲା | ତେଣୁ ପାଣି ଜମି ଏଭଳି ଡେଙ୍ଗୁ ସ୍ଥିତି ଉପୁଜିଥିଲା ।

ବିଏମସି ସହ ମିଶି ମଶା ବଂଶ ବିସ୍ତାର ରୋକିବାକୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଲୋକମାନେ ସପ୍ତାହରେ ଗୋଟିଏ ଦିନ ବିଭିନ୍ନ ସାମଗ୍ରୀରୁ ପାଣି ଖାଲି କରିଦେଲେ ମଶା ବଂଶ ବିସ୍ତାର ବନ୍ଦ ହୋଇଯିବ। ସେହିପରି ବାହାରକୁ ଗଲେ ଫୁଲ ସାର୍ଟ ପିନ୍ଧନ୍ତୁ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ତୃତୀୟ ଲହର ନେଇ ପ୍ରସ୍ତୁତ ଅଛୁ । ଦ୍ଵିତୀୟ ଲହରରେ ଆମେ ସଫଳତାର ସହ କାମ କରିଛୁ । ତୃତୀୟ ଲହରରେ ପିଲାଙ୍କ ସଂକ୍ରମଣ ବଢ଼ିବ ବୋଲି ଆକଳନ କରାଯାଉଛି । ଆମେ ସେଥିଲାଗି ୩ ହଜାର ବେଡ଼ ପ୍ରସ୍ତୁତ କରି ରଖାଯାଇଛି ।

ପିଲାଙ୍କ ଚିକିତ୍ସା ଲାଗି ଡାକ୍ତର, ନର୍ସ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଲୋକଙ୍କୁ ସଚେତନ କରାଇବା କାମ ବି ଆରମ୍ଭ ହୋଇଗଲାଣି । ତେଣୁ କିଛି ଅସୁବିଧା ହେବନି । ତୃତୀୟ ଲହର ସଫଳତାର ସହ ମୁକାବିଲା ହୋଇପାରିବ ।

ସମ୍ବନ୍ଧିତ ଖବର