ଭକ୍ତ ଦେଖିବେନି ସ୍ନାନ ପୂର୍ଣ୍ଣିମା

ଭୁବନେଶ୍ବର: ରାତି ପାହିଲେ, ପ୍ରଭୁ ୧୦୮ କଳସ ତୀର୍ଥ ଜଳରେ ସ୍ନାନ କରିବେ। ଗରମରୁ ତ୍ରାହି ପାଇଁ ଗାଧୋଇବା ପରେ ଜ୍ବରରେ ପଡ଼ିବେ। ଅଥଚ ଏ ମାନବୀୟ ଲୀଳାକୁ ଭକ୍ତ ଉପଭୋଗ କରିପାରିବେ ନାହିଁ। ରାଜଧାନୀରେ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଏନେଇ ନୀତି ନିର୍ଘଣ୍ଟ ସରିଛି। ହେଲେ ଭକ୍ତ ଓ ଭଗବାନଙ୍କ ମିଳନର ଅପୂର୍ବ ଦୃଶ୍ୟ କାଲି ଦେଖିବାକୁ ମିଳିବ ନାହିଁ। ବରଂ ଭକ୍ତଙ୍କ ଦର୍ଶନରୁ ଏହି ମାନବୀୟ ଲୀଳାକୁ ଦୂରେଇ ରଖିବା ପାଇଁ ପ୍ରଭୁଙ୍କ ଆଗରେ ପରଦା ଟଣାଯିବ। ବିଭିନ୍ନ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଇସ୍କନରେ ଆସନ୍ତାକାଲି ଯଥାବିଧି ମଙ୍ଗଳ ଆଳତି, ଗୁରୁ ପୂଜା ପରେ ପ୍ରଭୁ ସ୍ନାନ ବେଦିକୁ ବିଜେ କରିବେ। ସକାଳ ୧୦ଟାରେ ସ୍ନାନ ପର୍ବ ଆରମ୍ଭ ହେବ। ଅପରାହ୍‌ଣରେ ମହାପ୍ରଭୁଙ୍କ ହାତୀ ବେଶ ମଧ୍ୟ ହେବ। ତେବେ ଭକ୍ତଙ୍କୁ ଏହି ବିରଳ ଦର୍ଶନରୁ ବଞ୍ଚିତ ରଖାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ ବୋଲି ଇସ୍କନର ସୂଚନା ଅଧିକାରୀ ରାଧାକାନ୍ତ ଦାସ କହିଛନ୍ତି। ଜାଗମରା ଜଗନ୍ନାଥ ମନ୍ଦିରରେ ସକାଳ ସାଢ଼େ ୮ଟାରେ ପହଣ୍ଡି ହୋଇ ପ୍ରଭୁ ସ୍ନାନ ମଣ୍ଡପକୁ ବିଜେ କରିବେ। ଦିନ ‌୧ଟା ସୁଦ୍ଧା ସମସ୍ତ ନୀତିକାନ୍ତି ଶେଷ ହୋଇ ୪ଟା ସୁଦ୍ଧା ହାତୀ ବେଶ ଶେଷ ହେବ। ମନ୍ଦିର ପରିଚାଳନା କମିଟି ଓ ପୂଜକଙ୍କ ସମେତ ମାତ୍ର ୨୦ ଜଣରେ ସୀମିତ ରହିବ ସ୍ନାନ ଯାତ୍ରା ପର୍ବ। ତେବେ ରଥଯାତ୍ରା ହେବା ଆଶା କ୍ଷୀଣ ବୋଲି ଜାଗମରା ଧର୍ମବିହାର ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଅଜୟ ପଟ୍ଟନାୟକ କହିଛନ୍ତି।

ଓୟୁଏଟିସ୍ଥିତ ଜଗନ୍ନାଥ ମନ୍ଦିରରେ ୪ଜଣ ପୂଜକ ଓ ୪ଜଣ ଟ୍ରଷ୍ଟ ସଦସ୍ୟଙ୍କ ଉପସ୍ଥିତିରେ ପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ହେବ। ପ୍ରଭୁଙ୍କ ଏହି ସ୍ନାନପର୍ବରୁ ଭକ୍ତଙ୍କୁ ଦୂରେଇ ରଖିବା ପାଇଁ ସ୍ନାନ ମଣ୍ଡପ ଆଗରେ ପରଦା ଟଣାଯିବ। ବ୍ୟାରିକେଡ୍‌ ହେବ। ଗୋଟିଏ ଘଣ୍ଟରେ ପ୍ରଭୁଙ୍କ ପହଣ୍ଡି କରାଯିବ। ବାହାର ଭୋଗ ଅନୁମତି ଦିଆଯିବ ନାହିଁ। ସନ୍ଧ୍ୟାରେ ପ୍ରଭୁ ଅଣସର ଘରକୁ ବିଜେ କରିବେ ବୋଲି ଓୟୁଏଟି ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟର ବାମନ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି। କୋଳଥିଆରେ ମଧ୍ୟ ୮ଜଣ ଦଇତାପତି ଓ ୨ ଜଣ ପୂଜକଙ୍କ ସହାୟତାରେ ସ୍ନାନ ପୂର୍ଣ୍ଣିମା ପର୍ବ ଅନୁଷ୍ଠିତ ହେବ। ରାଜଧାନୀରେ ୬୦ରୁ ଅଧିକ ସ୍ଥାନରେ ଏହିଭଳି ଗୁପ୍ତ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ମାତ୍ର ରଥଯାତ୍ରା କରିବା ନେଇ ଆଶା ଛାଡ଼ିନାହାନ୍ତି ମନ୍ଦିର ପରିଚାଳନା କମିଟି। ଯଦି ପ୍ରଶାସନ ୧୦ ଦିନ ସମୟ ଥାଇ ଅନୁମତି ଦିଏ ରଥ ନିର୍ମାଣ କରିଦେ‌ବେ‌ ବୋଲି କହିଛନ୍ତି। ତେବେ ଅନେକ ରଥଯାତ୍ରା କରିବେ ନାହିଁ ବୋଲି ମଧ୍ୟ ମାନସିକ ପ୍ରସ୍ତୁତି କରିସାରିଲେ। ଏହା ସତ୍ତ୍ବେ ଠାକୁରଙ୍କ ରଥଯାତ୍ରାର ବିଭିନ୍ନ ରୀତିନୀତି ମନ୍ଦିର ମଧ୍ୟରେ ଅନୁଷ୍ଠିତ ‌କରିବା ନେଇ ମନ୍ଦିର ପରିଚାଳନା କମିଟିର କର୍ମକର୍ତା ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧିତ ଖବର