ବିସର୍ଜନ ହେ‌ଲେ ବୁଢ଼ା ଗଣେଶ

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ଜମେଶ୍ୱରପାଟଣାର ପ୍ରସିଦ୍ଧ ବୁଢ଼ା ଗଣେଶ ପୂଜା ଆଜି ସରିଛି ଓ ବିଶାଳ ‌ଶୋଭାଯାତ୍ରାରେ ଠାକୁରଙ୍କୁ ନେଇ ବିସର୍ଜନ କରାଯାଇଛି। ଦୀର୍ଘ ୪୬ବର୍ଷ ହେଲା ହୋଇଆସୁଥିବା ଏହି ପ୍ରସିଦ୍ଧ ବୁଢ଼ା ଗଣେଶ ପୂଜାର ଏହି ବିସର୍ଜନ ଅବସରରେ ବିଭିନ୍ନ ପାରମ୍ପରିକ ବାଦ୍ୟର ମହାସମାରୋହ ଦେଖିବାକୁ ମିଳିଥିଲା। ଜମେଶ୍ୱରପାଟଣା ସାହିର ଯୁବକମାନଙ୍କ ଦ୍ବାରା ଆୟୋଜିତ ଏହି ଶୋଭାଯାତ୍ରାରେ ମହିଳାଙ୍କ ଘୁମୁରା, ଦାଣ୍ଡିଆ ଓ ସମ୍ବଲପୁରୀ ନୃତ୍ୟ ବାଦ୍ୟ ଥିଲା‌ ବଡ଼ ଆକର୍ଷଣ।

ସେହିଭଳି ଟିଟିଲାଗଡ଼ ଘଣ୍ଟ, ଡିଜେ, କଣ୍ଡେଇ, ଦୋଳି ଆଦି ୨୦ରୁ ଊର୍ଦ୍ଧ୍ବ ପ୍ରକାରର ବାଜା ଶୋଭାଯାତ୍ରାର ଶୋଭା ବଢ଼ାଇଥିଲା। ଶତାଧିକ ମୁରବିଙ୍କ ସହ ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, ଡ. ଲିଙ୍ଗରାଜ ସାହୁ, କର୍ପୋରେଟର ଶିବ ପ୍ରସାଦ ବେହେରା, ଦାଶରଥୀ ଗରାବଡ଼ୁ, ପ୍ରମୋଦ ଦାସ, ଆଇନଜୀବୀ ପ୍ରଶାନ୍ତ ସମର୍ଥା, ପ୍ରଫୁଲ୍ଲ ସାହୁ, ସୁବାସ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ପାତ୍ର ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ରାତିରେ ବହୁ ବିଶୃଙ୍ଖଳା ହେଉଥିବାରୁ ମୁରବିମାନଙ୍କ ପରାମର୍ଶକୁ ମାନି ଯୁବକମାନେ ଦିନରେ ବିସର୍ଜନ ଶୋଭାଯାତ୍ରାର ଆୟୋଜନ କରିଥିଳେ। ଏହାକୁ ଆଜି ରାଜଧାନୀର ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।

ସମ୍ବନ୍ଧିତ ଖବର