ମାନିଲେନି କଟକଣା: ୮ କୋଟି ଟଙ୍କାର ବାଣ ଫୁଟେଇଦେଲେ

ପ୍ରଦୂଷଣ ମାତ୍ରା କମିଲା, କିନ୍ତୁ ଚିନ୍ତାଜନକ

ଭୁବନେଶ୍ବର: ନିୟମ ହେଲା। ତାଗିଦ୍‌ କରାଗଲା। ତଣ୍ଡର ଭୟ ବି ଦେଖାଗଲା। ହେଲେ ନିୟମ ସବୁ ଚୁଲିକି ଗଲା। ବାଣ ଫୁଟାଇବା ସମୟ ସନ୍ଧ୍ୟା ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଥିର ହେଲା। ହେଲେ ସଞ୍ଜ ନଇଁବା ମାତ୍ରେ ଅନ୍ଧାରି ଆକାଶରେ ଆତସବାଜି ପ୍ରଦର୍ଶନ ଆରମ୍ଭ ହୋଇଗଲା। ସାଢ଼େ ୫ଟାରୁ ଢୋ ‌ଢାରେ ରାଜଧାନୀ ପ୍ରକମ୍ପିତ ହେଲା। ଗଳିକନ୍ଦି ମୁଖ୍ୟ ରାସ୍ତାରେ ବାଣ ଫୁଟାକୁ ନେଇ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା।

ଦୀପାବଳି ପୂର୍ବରୁ ଦୁଇଦିନ ବର୍ଷା ଦେଖି ମନ ମରିଯାଇଥିଲା। ମାତ୍ର ଦୀପାବଳିର ମନ ମତାଣିଆ ପାଗ ସହରବାସୀଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଦେଇଥିଲା। ରାଜଧାନୀରେ ୧୭୨ଟି ବାଣ ଦୋକାନକୁ ଲାଇସେନ୍‌ସ ମିଳିଥିବା ବେ‌ଳେ ପ୍ରତ୍ୟେକ ୩ରୁ ୪ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲେ। ବାଣ ବିକ୍ରି ପାଇଁ ମାତ୍ର ୩ଦିନ ଅନୁମତି ମିଳିଥିବାରୁ କିଣିବା ପାଇଁ ଦୋକାନରେ ପ୍ରବଳ ଭିଡ଼ ଲାଗିଥିଲା। ଆକଳନ ମୁତାବକ ରାଜଧାନୀ ଓ ଉପକଣ୍ଠରେ ପ୍ରାୟ ୭କୋଟି ଟଙ୍କାର ବାଣ ବିକ୍ରି ହୋଇଥିବା ବ‌େଳେ ରାଜଧାନୀରୁ ୨୭ କିଲୋମିଟର ଦୂରରେ ଜଟଣୀକୁ ବାଣ କିଣିବା ପାଇଁ ଅନେକଙ୍କ ସୁଅ ଛୁଟିଥିଲା। ତେଣୁ ମୋଟାମୋଟି ଆକଳନ ମୁତାବକ ପ୍ରାୟ ୮ କୋଟି ଟଙ୍କାର ବାଣ ଫୁଟିଥିଲା। ସନ୍ଧ୍ୟା ସାଢ଼େ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ବାଣ ଫୁଟା ଚାଲିଥିଲା।

ସୁପ୍ରିମକୋର୍ଟଙ୍କ ପକ୍ଷରୁ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ନିୟମ ହେଲା। ମାତ୍ର ନିୟମ ତ ମାନିବା ତ ଦୂରର କଥା, ବରଂ ୩ ଦିନ ଯାଏ ବାଣ ଫୁଟା ଚାଲିଲା। ଯେମିତି ଆଇନ୍‌କୁ ଜଗିବାର ଦାୟିତ୍ବ ନେଇଥିବା ପୁଲିସ୍‌ ପ୍ରଶାସନ ବି ନାଚାର ପାଲଟି ଯାଇଥିଲେ। ୧୨୫ ଡେସିବଲ୍‌ରୁ ଅଧିକ ଶବ୍ଦ ବିଶିଷ୍ଟ ବାଣ ନଫୁଟାଇବା ପାଇଁ ନିୟମ ହୋଇଥିଲା। ହେଲେ ଯିଏ ଯାହା, ଯେମିତି ପାରିଲା ଫୁଟେଇଲା। ଆଜି ସନ୍ଧ୍ୟାରେ ମଧ୍ୟ ବାଣ ଫୁଟା ଆରମ୍ଭ ହୋଇଯାଇଥିଲା। ତେବେ କଟକଣା ଭାଙ୍ଗୁଥିବା ଲୋକଙ୍କ ଉପରେ ଚଳିତ ବର୍ଷ ଏତେ ପରିମାଣରେ ଚଢ଼ଉ କରାଯାଇନଥିଲା।

ଏସବୁ ସତ୍ତ୍ବେ କିଛି ସାମାଜିକ ଅନୁଷ୍ଠାନ ପକ୍ଷରୁ ଦୀପାବଳିକୁ ନିଆରା ଢଙ୍ଗରେ ପାଳନ କରାଯାଇଥିଲା। କିଛି ବ୍ୟକ୍ତିବିଶେ‌ଷ ଅନାଥ ପିଲାମାନଙ୍କ ସହ ଆଉ କିଛି ପରିବାର ଆଶ୍ରୟସ୍ଥଳୀର ଅନ୍ତେବାସୀଙ୍କ ସହ ସୁଖ ଦୁଃଖ ଆଦାନ ପ୍ରଦାନ ଓ ଭୋଜିଭାତ ସହ ଦୀପାବଳି ମନାଇଥିଲେ। ଅନେକ ଦୀପଜାଳି, ମୁରୁଜ ଆଙ୍କି, ଭୋଜିଭାତ, ବିଭିନ୍ନ ଦେବପୀଠ ଓ ପର୍ଯ୍ୟଟନ ସ୍ଥଳ ବୁଲାବୁଲି କରି ଦିନ ବିତାଇଥିଲେ। ଘରକୁ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ କରିଥିଲେ। ଘର ଓ ଅଫିସ୍‌ଗୁଡ଼ିକ ଏପରି ସଜେଇ ହୋଇଥିଲା, ଯେମିତି ରାଜଧାନୀ ନୂଆ ବୋହୂ ବେଶରେ ସଜେଇ ହୋଇଛି।

ପ୍ରଦୂଷଣ ମାତ୍ରା କମିଲା, କିନ୍ତୁ ଚିନ୍ତାଜନକ
ପୂର୍ବ ବର୍ଷ ୩୦୦ ଦୋକାନ ଖୋଲିଥିବା ବେଳେ ଏଥର ୧୭୨ଟି ଦୋକାନ ଖୋଲିଥିବାରୁ ବିକ୍ରିବଟା ସେଇ ଅନୁପାତରେ କମ୍‌ ହୋଇଛି। କଟକଣା କିଛିକାଂଶରେ କାମ ଦେଇଛି। ମାତ୍ର ଏହା ଯଥେଷ୍ଟ ନୁହେଁ, ଏହାର ପ୍ରଭାବ ସମ୍ପର୍କରେ ସଚେତନ ନଥିବାରୁ ଆମେ ପରିବେଶ କଥା ଚିନ୍ତା ନକରି ଏପରି ବାଣ ଫୁଟାଇ ଚାଲିଛୁ ବୋଲି କହିଛନ୍ତି ପରିବେଶବିତ୍‌ ଡ. ଜୟକୃଷ୍ଣ ପାଣିଗ୍ରାହୀ। ତାଙ୍କ କହିବା ମୁତାବକ, ବାଣ ଫୁଟାଇବା ପରେ ବାୟୁରେ ବିଷାକ୍ତ ଗ୍ୟାସ୍‌ ମିଶି ପବନର ଗତି ମନ୍ଥର ହୋଇଯାଏ। ଏହି ବିଷାକ୍ତ ଗ୍ୟାସ୍‌ ସହ ସୂର୍ଯ୍ୟାଲୋକ ମିଶୁଥିବାରୁ ତାହା ଘନ କୁହୁଡ଼ିର ରୂପ ନେବ। ପିଲା, ବୟସ୍କ‌, ଆଜ୍‌ମା ଓ ଶ୍ବାସ ରୋଗୀଙ୍କ ଉପରେ ଏହା ଗଭୀର ପ୍ରଭାବ ପକାଇବ। ବାଣ ଫୁଟାଇବା ପରେ ବଳକା ବର୍ଜ୍ୟ, କାର୍ବନ, କୋଇଲା ମାଟିରେ ମିଶି ମାଟି ପ୍ରଦୂଷିତ ହେବ। ବର୍ଷାରେ ଏହା ଧୋଇ ନଦୀ ଜଳରେ ମିଶି ନଦୀ ଜଳକୁ ବିଷାକ୍ତ କରିବ। ବିଶେଷକରି ମାଟିରେ ପଡ଼ି ରହିଥିବା ସଲ୍‌ଫର ଅକ୍ସାଇଡ୍‌, ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ରେ ବର୍ଷା ପାଣି ମିଶି ଅମ୍ଳ ବର୍ଷା ସୃଷ୍ଟି କରିବ। ଏହା ବ୍ୟତୀତ ଦୀପାବଳି ଦିନ ବିନ୍ଦୁସାଗର ନଦୀକୂଳରେ ଶ୍ରାଦ୍ଧ ପରେ ପଡ଼ି ରହିଥିବା ପୂଜା ସାମଗ୍ରୀ ବର୍ଜ୍ୟ ଏପର୍ଯ୍ୟନ୍ତ ଉଠିନଥିବାରୁ ତାହା ପାଣିରେ ମିଶି ଶୈବାଳ ଆସ୍ତରଣ ସୃଷ୍ଟି କରିବ। ଜନସାଧାରଣଙ୍କ ସହଯୋଗ ଏବଂ ପ୍ରଶାସନର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ବିନା ଏସବୁର ଅନ୍ୟ ବିକଳ୍ପ ସମାଧାନ ନାହିଁ ବୋଲି ଡ. ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର