ଧସିଲା ବାଣୀବିହାର ଗାନ୍ଧୀ ‌ପେଣ୍ଡାଲ, ମାସକ ପରେ ବି ଅଧା ଗଢ଼ା ଅହିଂସା ସ୍ଥଳ

ସନ୍ଧ୍ୟା ହେଲେ ଅନ୍ଧାରରେ ଗାନ୍ଧୀ ମୂର୍ତ୍ତି

ଭୁବନେଶ୍ବର: କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚରେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରତିଷ୍ଠା ହୋଇଛି ଅହିଂସା ସ୍ଥଳ। ଯେଉଁଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରହିଛି। ଏକ ପାର୍କ ମଧ୍ୟ ନିର୍ମାଣ ହୋଇଛି। ଗତ ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀ ଅବସରରେ ଅଧାପନ୍ତରିଆ ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହାକୁ ଉଦ୍‌ଘାଟନ କରିଥିଲେ। ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଫଳକ ଲଗାଇବା ସହ ପାର୍କକୁ ସୁସଜ୍ଜିତ କରା ଯାଇଥିଲା। ତେବେ ମାସେ ନ ହେଉଣୁ ପାର୍କରେ ନିର୍ମାଣ ହୋଇଥିବା ଗାନ୍ଧୀ ପେଣ୍ଡାଲ(ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥାନ) ଧସିଛି। ପରିଜା ଲାଇବ୍ରେରି ପାର୍ଶ୍ବ ପେଣ୍ଡାଲରୁ ଖଣ୍ଡ ଖଣ୍ଡ ଇଟା ତ‌ଳକୁ ଖସିପଡ଼ିଛି। ‌ଫଳରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଶ୍ଚର୍ଯ୍ୟର କଥା ହେଉଛି ଯେ କୋଟିଏ ଟଙ୍କାରେ ତରବରିଆ ଭାବେ ଉଦ୍‌ଘାଟିତ ହୋଇଥିବା ଏହି ଅହିଂସା ସ୍ଥଳର କାମ ଆହୁରି ୪୦ ପ୍ରତିଶତ ବାକି ରହିଛି। ରାଜ୍ୟପାଳ ପ୍ରଫେସର ଲାଲ୍‌ ଓ ତାଙ୍କ ବ୍ୟକ୍ତିଗତ ସଚିବ ଅତିଥି ଭା‌ବେ ଆସୁଥିବାରୁ ଗାନ୍ଧୀ ଜୟନ୍ତୀ ତଥା ଅକ୍ଟୋବର ୨ ସୁଦ୍ଧା ଏହି ପାର୍କର ସମ୍ମୁଖ ଭାଗକୁ ଗ୍ରିଲ ଲଗାଇ ଦିଆଯାଇଥିଲା। ବାମ ପାର୍ଶ୍ବର କିଛି ଅଞ୍ଚଳରେ ବି ଗ୍ରିଲ୍‌ ଲାଗିଥିଲା। ତେବେ ବାକି ଅଞ୍ଚଳରେ କୌଣସି ଗ୍ରିଲ୍‌ ଲାଗି ନଥିଲା। କପଡ଼ା ୱାଲ୍‌ କରି କାମ ଚଳାଇ ଦେଇଥିଲେ। ମାସକ ପରେ ବି କୌଣସି ସୁଧାର ଆସିନି। ଏପର୍ଯ୍ୟନ୍ତ ଗ୍ରିଲ୍‌ ଲାଗିପାରି ନାହିଁ। ଅଧା ଗଢ଼ା ହୋଇ ରହିଛି। ସନ୍ଧ୍ୟା ସମୟରେ ପାର୍କ ପରିସରରେ ଲାଇଟ୍‌ ଜଳୁଥିଲେ ମଧ୍ୟ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନ୍ଧାରରେ ରହୁଛି। ଫଟୋ ଉଠାଇବା ପାଇଁ ଛାତ୍ରଛାତ୍ରୀ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ଚଢ଼ିଯାଉଥିଲେ ମଧ୍ୟ ପ୍ରତିବାଦ କରିବାକୁ କେହି ନାହାନ୍ତି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଜାତିର ପିତାଙ୍କୁ କିଭଳି ସମ୍ମାନ ଦେଉଛନ୍ତି ତାହା ଏଥିରୁ ସ୍ପଷ୍ଟ ଅନୁମେୟ।

କେବଳ ସେତିକି ନୁହେଁ, ମାସେ ନ ପୂରୁଣୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଥିବା ଚଟାଣରେ ପଡ଼ିଥିବା ଟାଇଲ୍‌ ଫାଟି ଆଁ କଲାଣି। କେତେବେଳେ ଯେ ଗଳି ପଡ଼ିବ କେହି କହିପାରିବେ ନାହିଁ। ପରିଜା ଲାଇବ୍ରେରି ପାର୍ଶ୍ବକୁ ଲାଗିରହିଥିବା ପାର୍କର ପାଦଚଲା ରାସ୍ତାରୁ ଇଟା ଉଠିଗଲାଣି। ଏନେଇ କେତେଜଣ ଛାତ୍ର ସ୍ବର ଉଠାଇବାରୁ ତାହାକୁ ଚାପିବାକୁ ଉଦ୍ୟମ ହେଉଛି। ଠିକାଦାର ମଧ୍ୟ ନିଜର ଦୋଷ ଲୁଚାଇବାକୁ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ‌କେତେଜଣ ଛାତ୍ର ଧସିଯାଇଥିବା ଗାନ୍ଧୀ ପେଣ୍ଡାଲ ଫଟୋ ଉଠାଇବାରୁ ଠିକାଦାର ସେମାନଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଖବର ପାଇ ଗତ ଶନିବାର ସାମ୍ବାଦିକମାନେ ଫଟୋ ଉଠାଇବାରୁ ଠିକାଦାର ଜଣକ ଚତୁରତାର ସହ ଧସି ଯାଇଥିବା ଗାନ୍ଧୀ ପେଣ୍ଡାଲକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରୁଛନ୍ତି। ଭାଙ୍ଗିଥିବା ପାଦଚଲା ରାସ୍ତାକୁ ବି ମରାମତି କରୁଥିବା ସୂଚନା ମିଳିଛି। ଏନେଇ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।

ସମ୍ବନ୍ଧିତ ଖବର