ପିଏଚ୍‌ଡି ପାଣି‌ରେ ଡ୍ରେନ୍‌ର ପଚାଜଳ ମିଶିବା ଘଟଣା, ଡ୍ରେନ୍‌ ଅନୁଧ୍ୟାନ କଲେ ୱାଟ୍‌କୋ ଅଧିକାରୀ

ସମାଧାନ ନହେବା ଯାଏ ଟ୍ୟାଙ୍କର୍‌ରେ ପାଣି ଯୋଗାଣ

ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ମୂଳପଡ଼ିଆ ଅଞ୍ଚଳରେ ଦେଖାଦେଇଥିବା ପାଣି ସମସ୍ୟା ସଂପର୍କରେ ଆଜି ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଅଧିକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି। ୱାଟ୍‌କୋର ଅଧିକାରୀମାନେ ଆଜି ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଡ୍ରେନ୍‌ର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାସହ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଲୋକଙ୍କୁ ଟ୍ୟାଙ୍କର୍‌ ଯୋଗେ ପାଣି ଯୋଗାଣ କରିବ ୱଟ୍‌କୋ। ଏଥିପାଇଁ ୱାଟ୍‌କୋ ପକ୍ଷରୁ ମାଇକ୍‌ ବୁଲି ପ୍ରଚାର କରିଛି। ପ୍ରାୟ ୪ ହଜାର ଲୋକଙ୍କୁ ପାଣି ଯୋଗାଣ କରାଯିବ। ବିଭିନ୍ନ ଛକରେ ପାଣି ଟାଙ୍କି ମଧ୍ୟ ରଖାଯିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଞ୍ଚଳକୁ ପାଇପ୍‌ ଯୋଗେ ଯୋଗାଯାଉଥିବା ଜଳରେ ଡ୍ରେନ୍‌ର ପଚାପାଣି ମିଶି ଯାଉଥିଲା।

ପ୍ରାୟ ୨ଦିନ ହେବ ଏହି ସମସ୍ୟା ଦେଖାଦେବାରୁ ପାଟଣାସାହି, ପରକରଣ ସାହି, ବଣିଆ ସାହି, ଦର୍ଜୀ ସାହି, ବଡ଼ଦାଣ୍ଡ ସାହି, ଜମେଶ୍ବର ସାହି, ବଡ଼ୁ ସାହି, ଚେମେଡ଼ି ସାହି, ମିଶ୍ର ସାହି, ସୁଆର ସାହି, ନାରଦ ସାହି, ଗୋଡ଼ି ପୋଖରୀ ସାହି, ବେହେରା ସାହି, ଜ୍ଞାନ ନଗର, ବ୍ୟାଙ୍କ ‌କଲୋନି, ଗୋବିନ୍ଦେଶ୍ବର ଲେନ୍‌, କୁଞ୍ଜ ପାଟଣା ସାହିବାସିନ୍ଦା ପାଣି ପାଇଁ ହନ୍ତସନ୍ତ ହୋଇଥିଲେ।

ଏ ସଂପର୍କରେ ଆଜି ରିପୋର୍ଟ ପ୍ରକାଶ ପାଇବା ପରେ ୱାଟ୍‌କୋର ପରିଚାଳନା‌ ନିର୍ଦ୍ଦେଶକ ପ୍ରଦୀପ୍ତ ସ୍ବାଇଁ, ଜେନେରାଲ ମ୍ୟାନେଜର୍ ଗୁରୁଚରଣ ସାହୁ, ଏସ୍‌ଡିଓ ଈଶ୍ବର ଚନ୍ଦ୍ର ପ୍ରଧାନ, ଆସିଷ୍ଟାଣ୍ଟ ମ୍ୟାନେଜର ନୃସିଂହ ଚରଣ ସାହୁ ପ୍ରମୁଖ ଗୋସାଗରେଶ୍ବର ଛକରୁ ଜମେଶ୍ବରପାଟଣା ୱାଟକୋ ଜଳ ଯୋଗାଣ କେନ୍ଦ୍ର ପର୍ଯ୍ୟନ୍ତ ପାଣି ସଂଯୋଗଗୁଡ଼ିକୁ ଅନୁଧ୍ୟାନ କରିଥିଲେ। ଏଥିସହ ବିଭିନ୍ନ ଲୋକଙ୍କ ଘରୁ ବୋତଲରେ ପାଣି ସଂଗ୍ରହ କରି ଭ୍ରାମ୍ୟମାଣ ଜଳ ପରୀକ୍ଷାଗାରରେ ପରୀକ୍ଷା କରାଇଥିଲେ। କେଉଁ ସ୍ଥାନରେ ପାଇପ୍‌ ଲାଇନ୍‌ ଫାଟିଛି, ଡ୍ରେନ୍‌ ସ୍ଲାବ୍‌ ବାହାର କରି ତାହା ମଧ୍ୟ ଅନୁଧ୍ୟାନ କରିଥିଲେ। ବିଭିନ୍ନ ସ୍ଥାନରେ ପୁରୁଣା ପାଇପ୍‌ ଲାଇନ୍‌ ସଂଯୋଗ ଡ୍ରେନ୍‌ ନିକଟରେ ଯାଇଥିବାରୁ ଏହାକୁ ନୂଆ ସଂଯୋଗ କରାଯାଇ ପାଣି ଦିଆଯାଇଛି। ଏଥିପାଇଁ ୱାଟକୋର ପକ୍ଷରୁ ୧୦ଜଣ ପାଇପ୍‌ ମିସ୍ତ୍ରୀ ସମେତ ୧୫ଜଣ କର୍ମଚାରୀ ନିଯୁକ୍ତି ହୋଇଛନ୍ତି।

ସମ୍ବନ୍ଧିତ ଖବର