ବିରାଜିବେ ମହାମାୟା, ଝଲସିବ ଝୁମରୱାଲା ବଙ୍ଗଳା

ଚନ୍ଦ୍ରଶେଖରପୁର: କୋଲକାତାର ଝୁମରୱାଲା‌ ବଙ୍ଗଳାରେ ବିରାଜିବେ ମା’। ପଳାଶୁଣୀ ଦୁର୍ଗାପୂଜା ସମିତି ଏଥର ଦୁର୍ଗାପୂଜାରେ ଏହି ଆକର୍ଷଣ ଭେଟିଦେବ। ଏଥିପାଇଁ କୋଲକାତାର ୩୦ ଜଣ କାରିଗର ନିୟୋଜିତ ହୋଇଛନ୍ତି। ଅଗଷ୍ଟ ୧୫ ତାରିଖ ପରଠୁ ତୋରଣ ନିର୍ମାଣ କାମ ଆରମ୍ଭ ହୋଇଛି। ଏଥିସହ କଟକର ମୂର୍ତି କାରିଗରଙ୍କ ଦ୍ବାରା ୧୪ ଫୁଟର ମୃଣ୍ମୟୀ ମୂର୍ତି ନିର୍ମିତ ହେଉଛି। ମୂର୍ତି ପଛ ପାର୍ଶ୍ବରେ ୨୩ ଫୁଟର ଜରି ମେଢ଼ ଶୋଭା ପାଇବ। ଚଳିତ ବର୍ଷ ପଳାଶୁଣୀ ପୂଜା ୩୫ ବର୍ଷରେ ପଦାର୍ପଣ କରିଥିବା ବେଳେ ପୂଜାକୁ ନିଆରା ଢଙ୍ଗରେ ପାଳନ କରାଯିବ ବୋଲି ସମିତିର ସହ ସମ୍ପାଦକ ସିଲୁ ଲେଙ୍କା ଓ ସ୍ମରଣ ଲେଙ୍କା କହିଛନ୍ତି।

ପୂଜାରେ ମା’ଙ୍କ ଖେଚୁଡ଼ି ଭୋଗ ଓ ଦହି ପଖାଳ ପ୍ରସାଦ ପାଇବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ବ୍ରହ୍ମପୁରର ମା’ନାରାୟଣୀ ପୀଠ ଓ ପଳାଶୁଣୀ ଗ୍ରାମ ଦେବୀ ମା’ଖଣ୍ଡେଶ୍ବରୀଙ୍କ ନିକଟରୁ ଆଜ୍ଞାମାଳ ଆସିବାପରେ ମା’ଙ୍କ ଚକ୍ଷୁଦାନ କରାଯାଇ ପୀଠପୂଜା କରାଯିବ। ପୂଜାରେ ସମସ୍ତ ପାର୍ଶ୍ବ ଦେବୀ ଓ ଦେବତାଙ୍କ ସମେତ ମା’ ଦୁର୍ଗାଙ୍କୁ ସୁନା ଅଳଙ୍କାରରେ ସଜାଯିବ। ପୂଜା ପାଇଁ ୧୮ରୁ ୨୦ ଲକ୍ଷ ଟଙ୍କା ଖର୍ଚ ହେଉଥିବା ବେଳେ ଅଳଙ୍କାର କିଣାରେ ୫ଲକ୍ଷ ଟଙ୍କା ଖର୍ଚ ହୋଇଛି। ୬୦ ଫୁଟର ତୋରଣ ସହ ୬ଟି ବଡ଼ ଏଇଡି ଲାଇଟ୍‌ ଗେଟ୍ ଶୋଭା ବଢ଼ାଇବ। ଶ୍ରଦ୍ଧାଳୁମାନେ ଯେପରି ପଲିଥିନ୍ ବ୍ୟବହାର ନକରିବେ ସେଥିପାଇଁ ନିବେଦନ କରାଯାଉଛି। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ୪୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ସମସ୍ତ ଶ୍ରଦ୍ଧାଳୁ ପୂଜା କାର୍ଯ୍ୟ ସମ୍ପାଦନାରେ ସହଯୋଗ କରିବା ପାଇଁ ସିମିତିର ସଭାପତି ପ୍ରଭାତ କୁମାର ପରିଡ଼ା, ସମ୍ପାଦକ ଅଶୋକ କୁମାର ସାହୁ, ଉପସଭାପତି ରମେଶ କୁମାର ସାହୁ, କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ସାହୁ ଓ ସୌଭାଗ୍ୟ ଲେଙ୍କା ଓ ଅନ୍ୟ ସଦସ୍ୟମାନେ ନିବେଦନ କରିଛନ୍ତି।

ପୂଜାର ଉଦ୍ଦେଶ୍ୟ ଭାଇଚାରା
ରାଜଧାନୀରେ ଦିନକୁ ଦିନ ଲୋକଙ୍କ ମଧ୍ୟରେ ମାନବିକତା କମିଯାଉଥିବା ବେଳେ ଆମ ପଳାଶୁଣୀ ପୂଜା ସମିତି ଭାଇଚାରାକୁ ବଜାୟ ରଖିବା ଉଦ୍ଦେଶ୍ୟ ନେଇ ୩୫ ବର୍ଷ ହେଲା ପୂଜା କରି ଆସୁଛି। ଚାନ୍ଦା ଅପେକ୍ଷା ଲୋକେ ସ୍ବତଃ ଦେଉଥିବା ଦାନରେ ପୂଜା କରାଯାଇ ଆସୁଛି। ଏହା ହିଁ ଆମ ଭାଇଚାରାକୁ ବଞ୍ଚେଇ ରଖିବାରେ ସହଯୋଗ କରିଆସୁଛି।
ପ୍ରଭାତ କୁମାର ପରିଡ଼ା (ସଭାପତି)

ପ୍ଲାଷ୍ଟିକ୍ ମୁକ୍ତ ପୂଜା ପାଇଁ ସଚେତନ ରଥ ବୁଲୁଛି
ପୂଜାରେ ନିୟୋଜିତ ହୋଇଥିବା ‌ସ୍ବେଚ୍ଛାସେବୀମାନେ ଅପରାଧିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ସହିତ ମହିଳାଙ୍କୁ ସମ୍ମାନ ଦିଗରେ ସଚେତନ ରହିବେ। ପୂଜା ପେଣ୍ଡାଲରେ ଏନେଇ ସିସିଟିଭି କ୍ୟାମେରାର ଖଞ୍ଜାଯାଇଛି। ଏହା ବ୍ୟତୀତ ପ୍ଲାଷ୍ଟିକ୍ ମୁକ୍ତ ପୂଜାକୁ ଆମେ ସଂକଳ୍ପ ଭାବେ ନେଇଛୁ। ଏଥିପାଇଁ ଆଜିଠାରୁ ସଚେତନ ରଥ ଆମ ଅଞ୍ଚଳରେ ପ୍ରଚାର କରିବା ଆରମ୍ଭ କରିଛି।
ଅଶୋକ କୁମାର ସାହୁ (ସମ୍ପାଦକ)

ସମ୍ବନ୍ଧିତ ଖବର