ଦୁଇ ସାମ୍ବାଦିକଙ୍କୁ ଇଫ୍‌କୋ ଇମ୍‍କା ପୁରସ୍କାର

ଇମ୍‍କା ୧୦ମ ବାର୍ଷିକ ସମ୍ମିଳନୀ ‘କୁ କନେକସନ୍‌୨୦୨୨’

ଭୁବନେଶ୍ବର: ଭାରତୀୟ ଜନସଂଚାର ସଂସ୍ଥାନର ପୁରାତନ ଛାତ୍ର ସଂସଦ(ଇମ୍‍କା) ଓଡ଼ିଶା ଶାଖାର ୧୦ମ ବାର୍ଷିକ ସମ୍ମିଳନୀ ‘କୁ କନେକସନ୍‌ ୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଷଷ୍ଠ ଇଫ୍‍କୋ ଇମ୍‍କା ପୁରସ୍କାର’ ପ୍ରଦାନ କରାଯାଇଛି। ବରିଷ୍ଠ ସାମ୍ବାଦିକା ଶାରଦା ଲାହଙ୍ଗୀରଙ୍କୁ ‘ଜର୍ଣ୍ଣାଲିଷ୍ଟ ଅଫ୍‍ ଦ ଇୟର’(ପ୍ରକାଶନ) ଓ ଭାରତୀୟ ଭାଷା ରିପୋର୍ଟର୍‌ ଅଫ୍‍ ଦ ଇୟର(ପ୍ରସାରଣ) ଭାବେ ଜ୍ୟୋତିସ୍ମିତା ନାୟକଙ୍କୁ ପୁରସ୍କୃତ କରାଯାଇଛି।

ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର୍‌ ମୃଣାଳ ଚାଟାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇମ୍‍କାର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ରହିବା ଦରକାର। ଏ ଦିଗରେ ଇମ୍‍କା ଭଲ ଉଦ୍ୟମ କରିଆସୁଛି। ଆଇଆଇଏମ୍‍ସିର ପୁରାତନ ଛାତ୍ରଛାତ୍ରୀ ସବୁ କ୍ଷେତ୍ରରେ ଭଲ କାମ କରି ଅନୁଷ୍ଠାନର ଗୌରବ ବଢ଼ାଇ ଆସୁଛନ୍ତି। ଓଡ଼ିଶା ଶାଖା ସଭାପତି ସଂଜୟ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପ୍ରତିଷ୍ଠାତା ସଦସ୍ୟ ରିତେଶ ବର୍ମା ସଂସଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ, କରୋନା ସମୟରେ ସାମ୍ବାଦିକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ସ୍ବାସ୍ଥ୍ୟର ସୁରକ୍ଷା ନେଇ ଇମ୍‍କା ଯୋଜନା କରୁଛି।

କାର୍ଯ୍ୟକ୍ରମରେ ସଂସ୍ଥାନର ରୌପ୍ୟଜୟନ୍ତୀ ବ୍ୟାଚ୍‌ର ଛାତ୍ରଛାତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଯଯାତି କରନ, ଶାରଦା ଲାହାଙ୍ଗୀର, ତପନ ସ୍ବାଇଁ, ପବିତ୍ର ମୋହନ ସେନାପତି, ସଙ୍ଗୀତା ଅଗ୍ରଓ୍ବାଲ, ପ୍ରଦୀପ୍ତ ତ୍ରିପାଠୀଙ୍କୁ ସମ୍ବର୍ଧିତ କରାଯାଇଥିଲା। କେନ୍ଦ୍ରୀୟ କମିଟିର ପରିଚାଳନା ପରିଷଦ ସଦସ୍ୟ ଦାଦନ ବିଶ୍ବକର୍ମା ଉପସ୍ଥିତ ଥିଲେ। ଓଡ଼ିଶା ଶାଖା ସଂପାଦକ ଜ୍ୟୋତିପ୍ରକାଶ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର