ଉପକଣ୍ଠକୁ ଆ‌ସୁଥିଲେ, ଏବେ ସହର ଛାତିରେ ହାତୀ

ଜଙ୍ଗଲ ମୁହାଁ ମଣିଷ, ଜନବସତି ମୁହାଁ ହାତୀ

ଭୁବନେଶ୍ବର: ଦିନ ଥିଲା ରାଜଧାନୀ ଉପକଣ୍ଠରେ ଥିଲା ଘଞ୍ଚ ଜଙ୍ଗଲ। ବୁଲୁଥିଲେ ହାତୀ, ଭାଲୁ, କଲରାପତରିଆ। ନା ଥିଲା ଖାଦ୍ୟର ଅଭାବ, ନା କଂକ୍ରିଟ୍‌ ଜଙ୍ଗଲର ଭୟ। ଦୁଇରୁ ତିନି ଦଶନ୍ଧି ମଧ୍ୟରେ ବଦଳିଯାଇଛି ରାଜଧାନୀର କଳେବର। ଜଙ୍ଗଲ ମୁହାଁ ହୋଇଛନ୍ତି ମଣିଷ। ଆଉ ଜନବସତି ମୁହାଁ ହୋଇଛନ୍ତି ବନ୍ୟପ୍ରାଣୀ। ହାତୀ, ବାଘ, ଭାଲୁ ଏବେ ସହର ଭିତରେ ପ୍ରବେଶ କରୁଛନ୍ତି। କେତେବେଳେ ବିମାନବନ୍ଦର ଭିତରକୁ କଲରାପତରିଆ ପଶିଯାଉଛି ତ ଆଉ କେତେବେଳେ ଭରତପୁରରେ ଦନ୍ତା କରୁଛି ଉତ୍ପାତ। ଘର ପାଚେରି ଭାଙ୍ଗୁଛି। ଲୋକଙ୍କ ବାଡ଼ିରେ ପଶି ଫସଲ ଉଜାଡ଼ୁଛି। ଅନେକ ଥର ହାତୀ ପଶିବା ସହ ବ୍ୟାପକ ଭଙ୍ଗାରୁଜା କରିବାର ନଜରି ରହିଛି। ମାତ୍ର ଏଥର ହାତୀ ଏକାମ୍ର କ୍ଷେତ୍ରରେ ପଶିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେଉଁଠୁ ଓ କେମିତି ଦନ୍ତା ଆସିଲା, ତାହା ଅନେକକୁ ଆଶ୍ଚର୍ଯ୍ୟ ଚକିତ କରିଛି। ଖୋର୍ଦ୍ଧାରୁ ଡେଲାଙ୍ଗ, ପିପିଲି ଓ ଧଉଳି ଦେଇ ଗତକାଲି ମଧ୍ୟରାତ୍ରରେ ରାଜଧାନୀ ଭିତରକୁ ଦନ୍ତା ପ୍ରବେଶ କରିଥିବା କୁହାଯାଉଛି। ଦୀର୍ଘ ବାଟ ଅତିକ୍ରମ କରି ଆସିଥିଲେ ମଧ୍ୟ ବନ ବିଭାଗ ଅଧିକାରୀମାନେ ହାତୀର ବାଟ ଓଗାଳିଲେ ନାହିଁ କାହିଁକି? ଗତକାଲି ସନ୍ଧ୍ୟାରୁ ହାତୀଟି ପିପିଲି ନିକଟରେ ଦେଖାଦେଇଥିଲେ ମଧ୍ୟ ସେଠାରେ ଟ୍ରାଙ୍କୁଲାଇଜ୍‌ କରାଗଲା ନାହିଁ କାହିଁକି? ରାତି ବଦଳରେ ଯଦି ଦିନରେ ହାତୀଟି ସହରରେ ପଶିଥା’ନ୍ତା, ତେବେ କଟକ ଘଟଣାର ପୁନରାବୃତ୍ତି ହୋଇଥା’ନ୍ତା ଓ ଜୀବନହାନୀ ହୋଇଥା’ନ୍ତା ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ହାତୀଟି ଖୋର୍ଧାର ରାମେଶ୍ୱର ବନାଞ୍ଚଳ ଦେଇ ଡେଲାଙ୍ଗ, ପିପିଲି, ଧଉଳି, ସାମନ୍ତରାପୁର, ଲିଙ୍ଗରାଜ ମନ୍ଦିର, ଭୀମଟାଙ୍ଗୀ, ପୋଖରୀପୁଟ ଓ ଶେଷରେ ପାତ୍ରପଡ଼ାରେ ପହଞ୍ଚିଥିଲା। ଗୋଟିଏ ରାତିରେ ସେ ପାଖାପାଖି ୪୦ କିମି ଅତିକ୍ରମ କରିଛି। ପିପିଲି ନିକଟରୁ ହାତୀଟିକୁ ଟ୍ରାକ୍‌ କରାଯାଇଥିଲା। କେଉଁ ଆଡ଼େ ଯାଉଛି ଆମେ ନଜର ରଖିଥିଲୁ। ୩ଟି ବନଖଣ୍ଡର ଡିଏଫ୍‌ଓଙ୍କ ନେତୃତ୍ବରେ ହାତୀ ଧରା କାର୍ଯ୍ୟ ଆରମ୍ଭ ହୋଇଥିଲା। ଡିଏଫ୍‌ଓଙ୍କ ସହ ନନ୍ଦନକାନନର ୩ ଜଣିଆ ଦଳ ମଧ୍ୟ ସାମିଲ ହୋଇଥିଲେ। ଜଣେ ମହୁନ୍ତଙ୍କୁ ବି ସାମିଲ କରାଯାଇଥିଲା।

ପିଛା କରାଯିବା ବେଳେ ହାତୀଟି ଧଉଳି ନିକଟ ଗ୍ରାମ୍ୟ ଜଙ୍ଗଲରେ ପଶିଯାଇଥିଲା। ତେଣୁ ରାତିରେ ତାହାକୁ ଖୋଜି ପାଇବା ସମ୍ଭବପର ହୋଇନ ଥିଲା। ତେଣୁ ନିରାଶ ହେବାକୁ ପଡ଼ିଥିଲା। ତଥାପି କର୍ମଚାରୀମାନେ ଜଗି ରହିଥିଲେ। ରାତି ପ୍ରାୟ ଦୁଇଟା ସମୟରେ ହାତୀଟି ଭୁବନେଶ୍ବରମୁହାଁ ହୋଇଥିଲା। ସେଠାରେ ପିଛା କରାଯାଇଥିଲେ ମଧ୍ୟ ଏଣେତେଣେ ଗଳିରେ ପଶିଯିବା ଦ୍ବାରା ଟ୍ରାଙ୍କୁଲାଇଜ୍‌ କରାଯାଇପାରିନଥିଲା। ଦେଖାଯାଇଛି ଯେ ସାଧାରଣତଃ ଦିନରେ ହାତୀମାନେ ବୁଲନ୍ତି ନାହିଁ। ତେଣୁ ଭୋର୍‌ ସମୟକୁ ଅପେକ୍ଷା କରିଥିଲୁ। ପାତ୍ରପଡ଼ା ନିକଟରେ ହାତୀ ଥିବା ଖବର ମିଳିବା କ୍ଷଣି ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ନିୟମ ଅନୁସାରେ, ହାତୀଟି ଯେଉଁ ଅଞ୍ଚଳରୁ ସହରମୁହାଁ ହୋଇଥାଏ, ତାକୁ ସେହି ଅଞ୍ଚଳରେ ଛଡ଼ାଯିବା କଥା। ସେହି ଅନୁଯାୟୀ ଖୋର୍ଧା ବନଖଣ୍ଡରେ ହାତୀକୁ ଛାଡ଼ିବା ପାଇଁ ଯୋଜନା କରାଯାଇଥିଲା। ମାତ୍ର ସେହି ଅଞ୍ଚଳରେ ପ୍ରବଳ ବିରୋଧ ହେବାରୁ ବନ ବିଭାଗ ଶେଷରେ ହାତୀକୁ ଚନ୍ଦକାରେ ଛାଡ଼ିଥିଲା।

ସମ୍ବନ୍ଧିତ ଖବର