ଏଠି ବି ଚାଲିଯିବ ଜୀବନ! ଶକ୍ତି ବିଭାଗର ବେପରୁଆ ନୀତି
ସହର ସାରା ଓହଳିଛି ବିଦ୍ୟୁତ୍ ତାର ମରୁଛନ୍ତି ଲୋକେ, ଚେତୁନାହାନ୍ତି ଅଧିକାରୀ
ଭୁବନେଶ୍ବର: ବ୍ରହ୍ମପୁରସ୍ଥିତ ଗୋଳନ୍ଥରା ଥାନା ଅନ୍ତର୍ଗତ ମେଲପତୁରୁ ନିକଟରେ ଯାତ୍ରୀବାହୀ ବସ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ୯ଜଣଙ୍କ ମୃତ୍ୟୁ ଘଟିଛି। ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଦୀର୍ଘ ଦିନ ହେଲା ଗାଁ ନିକଟରେ ବିଦ୍ୟୁତ୍ ତାର ଓହଳି ରହିଥିବା ନେଇ ଗ୍ରାମବାସୀ ବାରମ୍ବାର ଶକ୍ତି ବିଭାଗକୁ ଖବର ଦେଇଥିଲେ। ମାତ୍ର ବିଦ୍ୟୁତ ବିଭାଗର ଅଧିକାରୀ ଏଥିପ୍ରତି ଗୁରୁତ୍ବ ନ ଦେବାରୁ କ୍ଷଣକ ଭିତରେ ୯ଟି ଜୀବନ ଚାଲି ଯାଇଛି। ବ୍ରହ୍ମପୁରରେ ଏଭଳି ଘଟଣା ପରେ ଏବେ ଭୁବନେଶ୍ବରରେ ବିଦ୍ୟୁତ୍ ସଂଯୋଗ କିଭଳି ରହିଛି, ତାହାର ସ୍ଥିତି ପରଖିଥିଲା ସମ୍ବାଦ ଟିମ୍। ସହରରେ ବିଦ୍ୟୁତ୍ ସଂଯୋଗକୁ ଅଣ୍ଡରଗ୍ରାଉଣ୍ଡ କରିବାକୁ ଦୀର୍ଘ ବର୍ଷ ହେଲା ଯୋଜନା ଚାଲିଛି। ତେବେ ଆଜି ପର୍ଯ୍ୟନ୍ତ ହୋଇ ପାରିନି। ଏବେ ବି ସହର ଓ ଏହାର ଉପକଣ୍ଠରେ ୧୧ କେଭି, ୩୩ କେଭି ଓ ଏଲ୍ଟି(ଲୋ-ଟେନ୍ସନ୍) ବିଦ୍ୟୁତ୍ ତାର ଝୁଲି ରହିଛି। ଏଠି ବି କେତେବେଳେ ଯେ ଜୀବନ ଚାଲିଯିବ, ତାହା କହିବା ମୁସ୍କିଲ୍।
ବିସିଡିଡି-୨(ଭୁବନେଶ୍ବର ସିଟି ଡିଷ୍ଟ୍ରିବୁସନ ଡିଭିଜନ-୨)କୁ ଯଦି ବିଚାରକୁ ନିଆଯାଏ, ତେବେ ଚନ୍ଦ୍ରଶେଖରପୁର ବିଡିଏ କଲୋନି ପାତାଳେଶ୍ବର ମନ୍ଦିର ସମ୍ମୁଖରେ ଏଲ୍ଟି(ଲୋ ଟେନ୍ସନ୍) ତାର ଝୁଲି ରହିଛି। ତାର ଏତେ ତଳକୁ ଖସି ଆସିଛି ଯେ ଗାଡ଼ିରେ ଯାଉଥିବା ଲୋକେ କେତେବେଳେ ଯେ କରେଣ୍ଟ ଖାଇବେ, ତାହା କେହି କହିପାରିବେ ନାହିଁ। ଶ୍ରୀବିହାର ପ୍ରବେଶ ପଥ ନିକଟରେ ୪ ପୋଲ୍ଠାରୁ ୬ଟା ସ୍ପାନ୍ ତାର ଓହଳି ରହିଛି। ଭରତପୁର ଜିଏ ପ୍ଲଟ ନିକଟରେ ୧୧ କେଭି ଓ ୩୩ କେଭି ଘର ନିକଟରେ ଯାଇଛି। ୧୧ କେଭି ତାର ଘରଠାରୁ ମାତ୍ର ଦୁଇ ଫୁଟ ଦୂରରେ ଯାଇଥିବା ବେଳେ ୩୩ କେଭି ମାତ୍ର ୫ ଫୁଟ୍ ବ୍ୟବଧାନରେ ଯାଇଛି। ବରମୁଣ୍ଡା ଲେନ୍-୭ରେ ଏଲ୍ଟି ତାର ବହୁ ତଳେ ଯାଇଥିବା ଦେଖିବାକୁ ମିଳୁଛି। ଇନ୍ଫୋସିଟି ଥାନା ଅଧୀନ ଶିଶୁବିହାରରେ ଥିବା ୩ ମହଲା ବିଶିଷ୍ଟ ଏକ କୋଠା ନିକଟରେ ୩୩ କେଭି ବିଦ୍ୟୁତ୍ ତାର ଯାଇଛି। ଏହି ତାର ସଂସ୍ପର୍ଶରେ ଆସି ଗତ ଦେଢ଼ ମାସ ମଧ୍ୟରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଏଠାରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜାନୁଆରି ତୃତୀୟ ସପ୍ତାହରେ ଭଡ଼ା ନେବାକୁ ଆସିଥିବା ଜଣେ ଯୁବକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଅଧା ଜଳି ଯାଇଥିଲେ। ଏହି ଘଟଣା ପରେ ବିଡିଏ ଓ ବିଏମ୍ସି ପକ୍ଷରୁ ମିଳିତ ଭାବେ ତଦନ୍ତ କରାଯାଇ ଉକ୍ତ ୩ ମହଲା କୋଠା ସହ ବିଦ୍ୟୁତ୍ ତାର ନିକଟ ଦେଇ ଯାଇଥିବା ଅନ୍ୟ କିଛି ଲୋକଙ୍କ ଘରର ତାଜା, ବାଲକୋନି ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଜୟଦେବ ବିହାର ପାଲ୍ ହାଇଟ୍ ନିକଟରେ ଆମ୍ବ ଗଛରୁ ଆମ୍ବ ତୋଳୁଥିବା ବେଳେ ଜଣେ ଯୁବକ ୧୧ କେଭି ତାରରେ ଲାଗି ଜଳି ଯାଇଥିଲେ। ଉକ୍ତ ଦୁଇ ଘଟଣା ନିମିତମାତ୍ର। ଏହାବାଦ୍ ପ୍ରତିଦିନ ସହରର କେଉଁଠି ନା କେଉଁଠି ବିଦ୍ୟୁତ୍ ସଂସ୍ପର୍ଶରେ ଜୀବନ ଯାଉଛି।
ପୁରୁଣା ଭୁବନେଶ୍ବର ଅଞ୍ଚଳ କଥା ଯଦି ଦେଖାଯାଏ, ବିଏମ୍ ହାଇସ୍କୁଲ ଖେଳ ପଡ଼ିଆ ନିକଟରେ ରାସ୍ତାରେ ଓହଳି ରହିଥିବା ୧୧ କେଭି ବିଦ୍ୟୁତ୍ ତାର କିଛି ଦିନ ତଳେ ଛିଣ୍ଡି ଯାଇଥିଲା। ଏକ ଟ୍ରକ୍ ଉକ୍ତ ରାସ୍ତାରେ ଯିବା ସମୟରେ ତାହା ୧୧କେଭି ତାରରେ ଲାଗି ଛିଣ୍ଡି ଯାଇଥିଲା। ଅବଶ୍ୟ ଏଥିରେ କାହାର ଜୀବନ ଯାଇ ନଥିଲା। ଜମେଶ୍ବର ପାଟଣାରେ ଏଲ୍ଟି ବିଦ୍ୟୁତ୍ ତାର ଦୀର୍ଘ ଦିନ ହେଲା ଓହଳି ରହିଛି। ଉପରକୁ ଉଠାଇବା ପାଇଁ ଦୁଇଟି ଖୁଣ୍ଟ ପୋତା ଯାଇଥିଲେ ମଧ୍ୟ ତାହାକୁ ଉଠାଯାଉନାହିଁ। ପରିମାଣସ୍ବରୂପ କେତେବେଳେ ଏହି ତାର ଲାଗି ଜୀବନ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି। କେବଳ ବିଦ୍ୟୁତ୍ ତାର ନୁହେଁ, ସହରର ଅନେକ ସ୍ଥାନରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର୍ ମୁକୁଳା ପଡ଼ିଛି। କେଉଁଠି ଟ୍ରାନ୍ସଫର୍ମର୍ ଉପରେ ଗଛ ମାଡ଼ି ଗଲାଣି ତ ଆଉ କେଉଁଠି ଗଛ ଡାଳ ୧୧ କେଭି ବିଦ୍ୟୁତ୍ ତାର ଉପରକୁ ଚଢ଼ି ଆସିଲାଣି। ଯେଉଁଥିପାଇଁ ପ୍ରତି ସପ୍ତାହରେ ଅନେକ ଗୃହପାଳିତ ପଶୁଙ୍କ ଜୀବନ ମଧ୍ୟ ଯାଉଛି। ଟ୍ରାନ୍ସଫର୍ମର୍ଗୁଡ଼ିକୁ ୧୧ କେଭି ବିଦ୍ୟୁତ୍ ତାର ସଂଯୋଗ ହୋଇଛି। ଏହା ନିକଟରେ ଲୋକେ ଚଳପ୍ରଚଳ ହେଉଥିବାରୁ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦେଇ ହେବ ନାହିଁ।