ତ୍ରୁଟି ଶୂନ୍ୟ ହେବ ଏମ୍‌ଏସ୍‌ଏମ୍‌ଇ ଉତ୍ପାଦ

କ୍ୱାଲିଟି କାଉନ୍‌ସିଲ୍‌, ଜିଇଏମ୍‌ ସହଯୋଗରେ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ରାଜ୍ୟର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ଉତ୍ପାଦନ କରୁଥିବା ଉତ୍ପାଦଗୁଡ଼ିକୁ ତ୍ରୁଟି ଶୂନ୍ୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ କ୍ୱାଲିଟି କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଏବଂ ସରକାରୀ ଇ-ମାର୍କେଟ୍‌ ପ୍ଲେସ୍‌ (ଜିଇଏମ୍‌) ଜରିଆରେ ଏକ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକାରୀ କରାଯାଉଛି ବୋଲି ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏଲ୍‌ ଏନ୍‌ ଗୁପ୍ତା କହିଛନ୍ତି। ଏଠାରେ ଚାଲିଥିବା ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳାର ପ୍ରଥମ ସେମିନାରରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ, କଂପାନିଗୁଡ଼ିକର ଉତ୍ପାଦର ମାନ ଏବଂ ମାର୍କେଟିଂ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ‘ଜେଡ୍‌ଇଡି (ଜିରୋ ଇଫେକ୍ଟ, ଜିରୋ ଡିଫେକ୍ଟ)’ କାର୍ଯ୍ୟକାରୀ କରାଯାଉଛି। ଏହା ସହିତ ରାଜ୍ୟରେ ଖୁବ୍‌ଶୀଘ୍ର ଓଡ଼ିଶା ପ୍ରକ୍ୟୁରମେଣ୍ଟ୍‌ ପ୍ରିଫରେନ୍‌ସ ନୀତି କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏମ୍‌ଏସ୍‌ଏମ୍‌ଇଙ୍କ ପାଇଁ ରାଜ୍ୟରେ ୫୪ଟି କ୍ଲଷ୍ଟର୍‌ ଚିହ୍ନଟ କରାଯାଇଛି। ଚଳିତ ଆର୍ଥିକବର୍ଷରେ ୪୦,୩୦୦ ଏମ୍‌ଏସ୍‌ଏମ୍‌ଇ ଉତ୍ପାଦନ ଆରମ୍ଭ କରିଛନ୍ତି ଏବଂ ସେମାନେ ୧,୧୫,୦୦୦ ଲୋକଙ୍କୁ ନିଯୁକ୍ତି ଦେଇଥିବା ସେ ସୂଚନା ଦେଇଛନ୍ତି। ଏହି ଅବସରରେ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ସଚିବ ଡକ୍ଟର ଅରୁଣ କୁମାର ପଣ୍ଡା କହିଛନ୍ତି ଯେ, ୧ କୋଟିରୁ ଅଧିକ ବ୍ୟାବସାୟିକ ସଂସ୍ଥା ଜିଏସ୍‌ଟିରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯% ହେଉଛନ୍ତି ଏମ୍‌ଏସ୍‌ଏମ୍‌ଇ। ଜିଏସ୍‌ଟିରେ ସାମିଲ ହେବା ଦ୍ୱାରା ସେମାନେ ସଂଗଠିତ ସଂସ୍ଥାରେ ପରିଣତ ହୋଇଛନ୍ତି ଏବଂ ଏହା ସେମାନଙ୍କ ପାଇଁ ସୁବିଧାରେ ବ୍ୟାଙ୍କ ଋଣ ହାସଲ କରିବାରେ ସହାୟକ ହେବ। ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ପାଇଁ ରହିଥିବା କ୍ଲଷ୍ଟର୍‌ ବିକାଶ ସ୍କିମ୍‌ଗୁଡ଼ିକର ଲାଭ ଉଠାଇବା ପାଇଁ ସେ କଂପାନିଗୁଡ଼ିକୁ ଆହ୍ଵାନ ଦେଇଛନ୍ତି। ଏହି ଅବସରରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମହାପ୍ରବନ୍ଧକ ସୁଧୀର ଠାକୋରେ, ଏନ୍‌ସିଡିସିର ଏମ୍‌ଡି ସୁନ୍ଦୀପ ନାୟକ, ଏକ୍‌୍‌ଜିମ୍‌ ବ୍ୟାଙ୍କର ମହାପ୍ରବନ୍ଧକ ଉତ୍ପଳ ଗୋଖଲେ, କଷ୍ଟମ୍‌ କମିସନର ଦୀପ୍‌ ଶେଖର ଓ ବୈଦେଶିକ ବ୍ୟାପାରର ଅତିରିକ୍ତ ଡିଜି ଅନୀତା ସେନଗୁପ୍ତା ଉପସ୍ଥିତ ଥିଲେ। ରାଜ୍ୟ ଶିଳ୍ପ ନିର୍ଦେଶକ ଏସ୍‌ ଆର୍‌ ପ୍ରଧାନ ଧନ୍ୟବାଦ ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର