ଭୁବନେଶ୍ୱର : ରାଜ୍ୟ ପରିବହନ ବିଭାଗର ସ୍ବତନ୍ତ୍ର ୱେବ୍ସାଇଟ୍ ‘ବାହନ’ରୁ ବାଦ୍ ପଡ଼ିଛି ଭୁବନେଶ୍ୱରର ଗୁଗ୍ନାନି ମୋଟର୍ସ। ସମ୍ପୃକ୍ତ ସଂସ୍ଥା ଏଣିକି ଏହି ଆପ୍ରେ ଆଉ କୌଣସି ତଥ୍ୟ ଅପ୍ଲୋଡ୍ କରିପାରିବ ନାହିଁ। ସରକାରଙ୍କ ନିର୍ଦ୍ଦେଶ ମୁତାବକ ବିକ୍ରି ହେଉଥିବା ଗାଡ଼ିର ସମସ୍ତ ତଥ୍ୟ ଏହି ଆପ୍ରେ ଅପ୍ଲୋଡ୍ କରିବା କଥା। କିନ୍ତୁ ସଂସ୍ଥା ୫ଶହ ଗାଡ଼ି ବିକ୍ରି କରିଥିଲେ ମଧ୍ୟ ସେଗୁଡ଼ିକର ତଥ୍ୟ ଅଦ୍ୟାବଧି ଅପ୍ଲୋଡ୍ କରି ନଥିବାରୁ ଏହି ୱେବ୍ସାଇଟ୍ରୁ ସଂସ୍ଥାକୁ ବ୍ଲକ୍ କରାଯାଇଥିବା ଜଣାଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ)। ଏଥିରୁ ବାଦ୍ ପଡ଼ିଲେ ସଂସ୍ଥା ବିକ୍ରି କରୁଥିବା ନୂଆ ଗାଡ଼ିର ପଞ୍ଜୀକରଣ ପାଇଁ ଆବେଦନ କରିପାରିବ ନାହିଁ। ବ୍ଲକ୍ କରାଯାଇଥିବାରୁ ପୁରୁଣା ୫ଶହ ଗାଡ଼ିର ତଥ୍ୟ ମଧ୍ୟ ସଂସ୍ଥା ଅପ୍ଲୋଡ୍ କରିବାରୁ ବଞ୍ଚିତ ହୋଇଛି। ନୂଆ ଗାଡ଼ି ବିକ୍ରି କରିବା ପାଇଁ ଆବେଦନରୁ ମଧ୍ୟ ବଞ୍ଚିତ ହୋଇଛି। କହିବାକୁ ଗଲେ ସମ୍ପୃକ୍ତ ସଂସ୍ଥା ଆନୁଷ୍ଠାନିକ ଭାବରେ ଗାଡ଼ି ବିକ୍ରି କରିବାର ସ୍ବୀକୃତି ହରାଇଛି।
ସୂଚନା ମୁତାବକ, ବର୍ତ୍ତମାନ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, କୌଣସି ଗାଡ଼ି ଡିଲର ଏଚ୍ଏସ୍ଆରପି (ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍) ନମ୍ବର ପ୍ଲେଟ୍ ନଲଗାଇ ଗାଡ଼ି ବିକ୍ରି କରିପାରିବେ ନାହିଁ। ତା’ ଛଡ଼ା ବିକ୍ରି ପୂର୍ବରୁ ଏହି ବାହନ ପୋର୍ଟାଲ ଜରିଆରେ ସମ୍ପୃକ୍ତ ଆରଟିଓଙ୍କଠାରୁ ଗାଡ଼ିର ପଞ୍ଜୀକରଣ ନମ୍ବର ବୁକିଂ କରିବେ। ଗାଡ଼ି ନମ୍ବର (ଏଚ୍ଏସ୍ଆରପି) ବିନା ଡିଲର୍ ଗାଡ଼ି ବିକ୍ରି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ବାହନ ପୋର୍ଟାଲ ବିନା ଏହି ପଞ୍ଜୀକରଣ ସମ୍ଭବ ନୁହେଁ। ଆଗକୁ କୌଣସି ଡିଲର ଏଭଳି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ଟିଏ ପକ୍ଷରୁ କୁହାଯାଇଛି।