ଖଣ୍ଡଗିରି-ଉଦୟଗିରି ମହୋତ୍ସବର ପ୍ରଥମ ସନ୍ଧ୍ୟା: ମନ ମୋହିଲା ଓଡ଼ିଶୀ, ସମ୍ବଲପୁରୀ

ଖଣ୍ତଗିରି: ପବିତ୍ର କୁମ୍ଭମେଳା ସହ ଆଜିଠାରୁ ଆରମ୍ଭ ହୋଇଛି ଖଣ୍ଡଗିରି-ଉଦୟଗିରି ମହୋତ୍ସବ। ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହ ଭୁବନେଶ୍ବର ମହାନଗର ନିଗମ ଓ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଏହି ୩ ଦିନିଆ ମହୋତ୍ସବ ଖଣ୍ଡଗିରିରେ ମେଳା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି। ପ୍ରଥମ ସନ୍ଧ୍ୟାରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ମୀରା ଦାସଙ୍କ କଟକ ଗୁଞ୍ଜନ ଡ୍ୟାନ୍‌ସ ଏକାଡେମି ପକ୍ଷରୁ ଚମତ୍କୃତ କଳା ପ୍ରଦର୍ଶନ କରାଯାଇଥିଲା। ନୃତ୍ୟଶିଳ୍ପୀମାନେ ଅଭିନୟରେ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ସମୟର ବାଇଶି ପାହାଚରେ ପହଣ୍ଡି ବିଜେ ଓ ଜୀବଜଗତ ସୃଷ୍ଟି ପାଇଁ ପଞ୍ଚଭୂତର ଭୂମିକା ଉପରେ ନିଖୁଣ ଅଭିନୟ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ। ପରେ ପରେ ରାଉରକେଲାର କଳାକାରମାନେ ହିପପ୍ ଡ୍ୟାନ୍‌ସ ପରିବେଷଣ କରିଥିଲେ। ତେବେ କଳାହାଣ୍ଡିର କସ୍ତୁରୀ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଦର୍ଶକମାନଙ୍କ ମନକୁ କିଣି ନେଇଥିଲେ। ଛୁଟୁକୁଛୁଟା ନୃତ୍ୟାଭିନୟରେ ସେମାନେ ଦୁଲୁଦୁଲି ତାଳେ ତାଳେ ସମ୍ବଲପୁରୀ ନାଚରେ ମଞ୍ଚ ଦୁଲୁକାଇ ଦେଇଥିଲେ। ପ୍ରାରମ୍ଭରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ବିଧାୟକ ବିଜୟ କୁମାର ମହାନ୍ତି, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ସଂସ୍କୃତି ବିଭାଗ ନିର୍ଦେଶକ ବିଜୟ କୁମାର ନାୟକ ଓ ଯୁଗ୍ମ ନିର୍ଦେଶକ ଉତ୍କଳ ପତି, ପୂର୍ବତନ କର୍ପୋରେଟର ଦିଲ୍ଲୀପ ମାଝୀ, ଅଶ୍ବିନୀ କୁମାର ସୁନ୍ଦରରାୟ, ହୃଦୟବଲ୍ଲଭ ସାମନ୍ତରାୟ, ସୁଜିତ୍ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର