୧୮୭୦ ଅମାନିଆ ଗଣିଲେ ଲକ୍ଷେ ୫୮ହଜାର

ଏମ୍ବାସି କ୍ଲବ୍‌କୁ ୧୦ହଜାର ଜରିମାନା, ମାସ୍କ ଚେକିଂରୁ ପୁଲିସକୁ ମାଡ଼, ଯୁବକ ଗିରଫ

ଭୁବନେଶ୍ବର : ରାଜଧାନୀରେ ବିଏମ୍‌ସି ଓ କମିସନରେଟ୍ ପୁଲିସ ପକ୍ଷରୁ କୋଭିଡ କଟକଣା ମାନୁନଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ ଜାରି ରହିଛି। କମିସନରେଟ ପୁଲିସ ଆଜି ୧୮୭୦ ଜଣ ଅମାନିଆଙ୍କଠାରୁ ୧ଲକ୍ଷ ୫୮ହଜାର ୫୫୦ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ଚନ୍ଦ୍ରଶେଖରପୁରରେ ଥିବା ଏମ୍ବାସି କ୍ଲବ୍‌ ଏବଂ ସ୍କାଏ ଲାଉଞ୍ଜ୍‌ରେ କୋଭିଡ କଟକଣା ଉଲ୍ଲଂଘନ ହୋଇଥିବାରୁ ବିଏମ୍‌ସି ୧୦ହଜାର ଟଙ୍କା ଜରିମାନା ଆଦାୟ କରିଛି। ବିଏମ୍‌ସିର ଆସିଷ୍ଟାଣ୍ଟ କମିସନର ଲିଲନ ପ୍ରସାଦ ସାହୁଙ୍କ ନେତୃତ୍ବରେ ଏକ ଟିମ୍‌ ଏହି କ୍ଲବ୍‌ରେ ଚଢ଼ଉ କରିଥିଲା।

ମାସ୍କ ଚେକିଂରୁ ପୁଲିସକୁ ମାଡ଼, ଯୁବକ ଗିରଫ
ଭୁବନେଶ୍ବର : ମାସ୍କ ଚେକିଂ କରୁଥିବା ଜଣେ ପୁଲିସ୍‌ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାସୁପୁର ଅଞ୍ଚଳର ପ୍ରଶାନ୍ତ କୁମାର ବିଶ୍ବାଳଙ୍କୁ ଗିରଫ କରିଛି। ପ୍ରଶାନ୍ତ ବମିଖାଲ ଅଞ୍ଚଳରେ ରହନ୍ତି। ତାଙ୍କ ବିରୋଧରେ ଆଇପିସି ଦଫା ୬୯,୨୭୦,୨୯୪,୩୫୩, ୫୦୬ ଓ ମହାମାରୀ ଆଇନର ଧାରା ୩ ଲାଗିଛି। ପୁଲିସ୍‌ ସୂଚନା ଅନୁସାରେ, ଆଜି ସକାଳେ ଲକ୍ଷ୍ମୀସାଗର ଥାନାର ଏଏସ୍‌ଆଇ ଅଭିମନ୍ୟୁ ଚୌଧୁରୀ ବମିଖାଲ ଛକରେ ମାସ୍କ ଯାଞ୍ଚ କରୁଥିଲେ। ସେହି ବାଟ ଦେଇ ଯାଉଥିବା ପ୍ରଶାନ୍ତଙ୍କୁ ସେ ଅଟକାଇଥିଲେ। ତେବେ ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରଶାନ୍ତ ତାଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ। ଏ ସଂକ୍ରାନ୍ତରେ ଅଭିମନ୍ୟୁ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।

ଉତ୍କଳ ବିଶ୍ବବିଦ୍ୟାଳୟରେ କରୋନା, ଘୁଞ୍ଚିଲା ପରୀକ୍ଷା
ଭୁବନେଶ୍ୱ : ଉତ୍କଳ ବିଶ୍ବବିଦ୍ୟାଳୟର ସୋସିଓଲୋଜି ପିଜି ବିଭାଗର ଜଣେ ବିଦ୍ୟାର୍ଥୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଆଗାମୀ ଦିନରେ ହେବାକୁ ଥିବା ପ୍ରଥମ ସେମିଷ୍ଟର୍‌ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷା ସଂପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର