ସରପଞ୍ଚଙ୍କ ସ୍ବାମୀଙ୍କ ନାଁରେ ଏତଲା ଦେଲେ ବିଡିଓ

ଖଣ୍ଡଗିରି : ମଙ୍ଗଳବାର ଜଟଣୀ ବ୍ଲକ କାର୍ଯ୍ୟାଳୟରେ ଘଟିଥିବା ଗଣ୍ଡଗୋଳକୁ ନେଇ ଜଟଣୀ ଥାନାରେ ମାମଲା ରୁଜୁ ହୋଇଛି। ଗଙ୍ଗପଡ଼ା ସରପଞ୍ଚ ଗୀତାଞ୍ଜଳି ମହାରଣାଙ୍କ ସ୍ବାମୀ ସୁଧାଂଶୁ ମହାରଣା ଓରଫ୍ କାଳୁ ଗଣ୍ଡଗୋଳ କରିଛନ୍ତି ବୋଲି ବିଡିଓ ବାସୁଦେବ ମାହାରି ବିଧିବଦ୍ଧ ଭାବେ ପୁଲିସ ନିକଟରେ ଏତଲା କରିଛନ୍ତି। ପୁଲିସ ମଧ୍ୟ ଏକ ମାମଲା ରୁଜୁ କରିଛି। ବିଡିଓଙ୍କ ଅଭିଯୋଗ ଅନୁସାରେ ମଙ୍ଗଳବାର ଅପରାହ୍ଣ ପ୍ରାୟ ୪ଟାବେଳେ କାଳୁ ତାଙ୍କ ୪ ଜଣ ସହଯୋଗୀଙ୍କୁ ଧରି ତାଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ ଓ ପାଟିତୁଣ୍ଡ କରିବା ସହ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିଥିଲେ। ସେଠାରେ ଉପସ୍ଥିତ ଅନ୍ୟ କର୍ମଚାରୀମାନେ ତାଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶାନ୍ତ ପଡ଼ି ନଥିଲେ। ଏମିତିକି କିଛି ମହିଳା ଅଧିକାରୀ ଥିବା ସତ୍ବେ କାଳୁ ବହୁ ଅଶାଳୀନ ଭାଷା ପ୍ରୟୋଗ କରିଥିଲେ। ମଦ ବୋତଲ ଭାଙ୍ଗି କର୍ମଚାରୀମାନଙ୍କୁ ଭୟଭୀତ କରାଇଥିଲେ ଓ ଶେଷରେ ବୋମାମାଡ଼ କରିବେ ବୋଲି ଧମକ ଦେଇଥିଲେ। ଫଳରେ ଭୟଭୀତ ହୋଇ ଅନ୍ୟ କର୍ମଚାରୀମାନେ ବାହାରକୁ ଚାଲି ଯାଇଥିଲେ। କିଛି ସମୟ ପରେ କାଳୁ ତାଙ୍କ ସହଯୋଗୀମାନଙ୍କୁ ନେଇ ସେଠାରୁ ପଳାଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ କାଳୁଙ୍କୁ ଖୋଜୁଥିବାବେଳେ ସେ ଫେରାର୍ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର