ଖେଳାଳି ରହୁଥିବା ହୋଟେଲରେ ଖାଦ୍ୟ ଯାଞ୍ଚ ଆରମ୍ଭ

ଭୁବନେଶ୍ବର: ହକି ବିଶ୍ବକପ୍‌ର ଖେଳିବାକୁ ଆସିଥିବା ଖେଳାଳିମାନେ ଯେଉଁ ତାରକା ହୋଟେଲରେ ରହୁଛନ୍ତି, ସେଠାରେ ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥାର ଯାଞ୍ଚ ଆରମ୍ଭ ହୋଇଛି। ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଆଜି ଏକାଧିକ ତାରକା‌ ହୋଟେଲରେ ଖାଦ୍ୟର ଯାଞ୍ଚ କରିଛନ୍ତି। ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ଏଭଳି ଯାଞ୍ଚ ଜାରି ରହିବ। ଏହାସହ ଆସନ୍ତା ୧ତାରିଖରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଷ୍ଟ୍ରିଟ୍ ଫୁଡ୍‌ ଫେଷ୍ଟିଭାଲରେ ମଧ୍ୟ ସମାନ ଢଙ୍ଗରେ ଖାଦ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ରାଜଧାନୀରେ ହକି ବିଶ୍ବକପ୍‌କୁ ନଜରରେ ରଖି ୮ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ବା ଏଫ୍ଏସ୍‌ଓ ନିଯୁକ୍ତ ହୋଇଛନ୍ତି। ୪ଜଣ ଏଫ୍‌ଏସ୍‌ଓ ଗୋଟିଏ ପର୍ଯ୍ୟାୟରେ ଯାଞ୍ଚ କରୁଛନ୍ତି। ଖାଦ୍ୟର ମାନ କିଭଳି ବଜାୟ ରହିବ ଓ ଉପଯୁକ୍ତ ପରିବେଶରେ ଖାଦ୍ୟ ପ୍ରସ୍ତୁତ କରାଯିବ ତାହା ଉପରେ ଗୁରୁତ୍ବ ଦିଆଯାଉଛି। ଖେଳାଳି ରହୁଥିବା ହୋଟେଲ୍‌ ବାଦ୍ ମ୍ୟାଚ୍ ଅଫିସିଆଲ୍, ହକି ଇଣ୍ଡିଆର ଅଧିକାରୀମାନେ ରହୁଥିବା ହୋଟେଲରେ ମଧ୍ୟ ଯାଞ୍ଚ କରାଯିବ ବୋଲି ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ବ୍ୟାଣ୍ଡ୍‌ର ଦୁଇ କର୍ମକର୍ତା ଆହତ, ଦର୍ଶକଙ୍କ ଗୋଡ଼ ଜଖମ
ଗତକାଲି ହକି ବିଶ୍ବକପ୍ ପାଇଁ ହୋଇଥିବା ରଂଗାରଂଗ ଉଦ୍‌ଘାଟନୀ ଉତ୍ସବ ଚାଲିଥିବା ସମୟରେ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିବା ବ୍ୟାଣ୍ଡ୍‌ର ଦୁଇ ଜଣ ସଦସ୍ୟ ଆହତ ହୋଇଥିଲେ। ଗୋଟିଏ ନୃତ୍ୟ ପରେ ଅନ୍ୟ ଏକ ନୃ୍ତ୍ୟ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ହାତରେ ଲୁହା ଧାର ବାଜିବା କାରଣରୁ ହାତ କଟି ଯାଇଥିଲା। ଏହାସହ ଜଣେ କ୍ରେନ୍ ‌ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି। ଷ୍ଟାଡିୟମ୍ ପରିସରରେ ଥିବା ଫାଷ୍ଟଏଡ୍ କେନ୍ଦ୍ରରେ ସେମାନଙ୍କ ଚିକିତ୍ସା କରାଯାଇଥିଲା। ସେହିପରି ଉଦ୍‌ଘାଟନୀ ଉତ୍ସବ ଦେଖିବାକୁ ଆସିଥିବା ଜଣେ ଦର୍ଶକ ଶିଡ଼ିରୁ ଓହ୍ଲାଉଥିବା ବେଳେ ପଡ଼ି ଯାଇଥିଲେ। ‌ତାଙ୍କ ନାଁ ହେଉଛି ଜ୍ୟୋତିରଂଜନ ସାହୁ। ଘର ୟୁନିଟ୍-୯ ଅଞ୍ଚଳରେ। ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଏକ୍ସ-ରେ କରାଯିବା ସହ ଚିକିତ୍ସା କରାଯାଇଥିଲା। ପଡ଼ିଯିବା କାରଣରୁ ତାଙ୍କ ଗୋଡ଼ ଜଖମ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର