ଗ୍ରାମାଞ୍ଚଳରେ ଅଧିକ ସ୍ଥାୟୀ ଶାଖା ଖୋଲ, ବ୍ୟାଙ୍କଙ୍କୁ କହିଲେ ସରକାର

ଗ୍ରାମାଞ୍ଚଳରେ ଅଧିକ ସ୍ଥାୟୀ ଶାଖା ଖୋଲ, ବ୍ୟାଙ୍କଙ୍କୁ କହିଲେ ସରକାର

ଭୁବନେଶ୍ବର: ଗ୍ରାମାଞ୍ଚଳରେ ଅଧିକ ସ୍ଥାୟୀ ଶାଖା ଖୋଲିବାକୁ ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାର କହିଛନ୍ତି। ବ୍ୟାଙ୍କ ସେବା ପହଞ୍ଚି ନଥିବା ଗ୍ରାମଗୁଡ଼ିକରେ ଶୀଘ୍ର ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍ ଖୋଲିବା ଏବଂ ରାଜ୍ୟରେ ଅଧିକ ପରିମାଣର ମୋବାଇଲ୍ ଏଟିଏମ୍ ଓ ମା‌ଇକ୍ରୋ ଏଟିଏମ୍ ସ୍ଥାପନ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଆଜି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟିର ୧୫୩ତମ ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥ) ତୁହିନ୍‌କାନ୍ତ ପାଣ୍ଡେ ବ୍ୟାଙ୍କଗୁଡ଼ିକୁ ଏହି ପରାମର୍ଶ ଦେଇଛନ୍ତି। ସେ କହିଲେ, ବ୍ୟାଙ୍କ ନଥିବା ସ୍ଥାନରେ ବ୍ୟାଙ୍କିଙ୍ଗ୍‌ କରେସ୍‌ପଣ୍ଡେଣ୍ଟ୍‌ (ବିସି) ନିଯୁକ୍ତ କରିବା ପାଇଁ ବ୍ୟାଙ୍କଗୁଡ଼ିକର ପରିଚାଳନା କତୃର୍ପକ୍ଷ ଧ୍ୟାନ ଦେବା ଦରକାର। ଆଜି କରାଯାଇଥିବା ସମୀକ୍ଷାରୁ ଜଣାପଡ଼ିଛି ଯେ, ନଭେମ୍ବର ୧୬ ତାରିଖ ସୁଦ୍ଧା ରାଜ୍ୟର ୧୯୮୪ ଗ୍ରାମରେ ବ୍ୟାଙ୍କିଙ୍ଗ୍‌ କରେସ୍‌ପଣ୍ଡେଣ୍ଟ୍‌ ମୂତୟନ କରାଯାଇଛି। ଏବେବି ୩୦୩ଟି ଗ୍ରାମରେ ବ୍ୟାଙ୍କ ସେବା ପହଞ୍ଚି ନାହିଁ। ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏସବୁ ଅଞ୍ଚଳରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ଶ୍ରୀ ପାଣ୍ଡେ ବ୍ୟାଙ୍କଗୁଡ଼ିକୁ କୁହିଛନ୍ତି। କୃଷି କ୍ଷେତ୍ର ସମେତ ମତ୍ସ୍ୟ, ଗୋପାଳନ, ଖଦି ଓ ଗ୍ରାମୀଣ ଶିଳ୍ପ, ସାମାଜିକ ଭିତ୍ତିଭୂମି ଓ ଶିକ୍ଷା ଆଦି କ୍ଷେତ୍ରକୁ ଅଧିକ ଋଣ ଯୋଗାଇ ଦେବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ମତ୍ସ୍ୟ ଓ ଗୋପାଳନ ଦ୍ବାରା ଚାଷୀଙ୍କ ଆୟ ଦ୍ବିଗୁଣିତ ହୋଇପାରିବ ବୋଲି ଏହି ବୈଠକରେ ମତ ପ୍ରକାଶ ପାଇଥିଲା। ୨୦୧୮-୧୯ ପାଇଁ ୭୧,୪୨୦ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସେଥି ମଧ୍ୟରୁ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କଗୁଡ଼ିକ ୩୧,୧୫୮ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ପାଇଁ ଧାର୍ଯ୍ୟ କରାଯାଇଥିବା ଋଣ ଲକ୍ଷ୍ୟର ୭୨.୬୯% ହାସଲ ହୋଇପାରିଛି।

ସମ୍ବନ୍ଧିତ ଖବର