ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଖଣ୍ଡ ଦୀପ ଜାଳିଲେ ହକି କୋଚ୍‌ ହରେନ୍ଦ୍ର

ପୁରୁଣା ଭୁବନେଶ୍ୱର: ଭାରତୀୟ ପୁରୁଷ ହକି ଟିମ୍‌ର କୋଚ୍‌ ହରେନ୍ଦ୍ର ସିଂ ଆଜି ପୂର୍ବାହ୍ଣରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ସହିତ ଅଖଣ୍ଡ ଦୀପ ଜାଳିଛନ୍ତି। ସେ ଠାକୁରଙ୍କ ନିକଟରେ ଘର୍ଷଣ ଲାଗି କରିବା ସହ ପୂଜାର୍ଚନା କରିଥିଲେ। ହକି ବିଶ୍ବକପ୍‌ରେ ଭାରତର ଭଲ ପ୍ରଦର୍ଶନ ପାଇଁ ସେ ଏହି ପୂଜାର୍ଚନା କରିଥିବା କହିଥିଲେ। ପ୍ରଥମେ ସେ ସିଦ୍ଧି ବିନାୟକଙ୍କୁ ଦର୍ଶନ କରିଥିଲେ। ପରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ଭୁବନେଶ୍ୱରୀଙ୍କୁ ପୂଜାର୍ଚନା କରିଥିଲେ। ସେବାୟତ ରାଜକିଶୋର ମହାପାତ୍ର ତାଙ୍କୁ ବେଢ଼ା ବୁଲାଇଥିଲେ। ଏହି ଅବସରରେ ସେ କହିଥିଲେ, ଭାରତ ଯେଉଁ ଦିନ ଖେଳିବ, ସେଦିନ ସେ ଆସି ପୂଜା କରିବା ସହ ଅଖଣ୍ଡ ଦୀପ ଜାଳିବେ। ସେହିପରି ମଧ୍ୟାହ୍ନ ସାଢ଼େ ୧୨ଟାରେ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ଚେୟାରମ୍ୟାନ୍‌ ରାଜୀବ ଶୁକ୍ଳା ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଆସିଥିଲେ। ସେ ପ୍ରଥମେ ସିଦ୍ଧି ବିନାୟକଙ୍କ ଦର୍ଶନ କରି ଶ୍ରୀଲିଙ୍ଗରାଜ, ମା’ପାର୍ବତୀ ଓ ଭୁବନେଶ୍ୱରୀଙ୍କୁ ପୂଜାର୍ଚନା କରିଥିଲେ। ଶ୍ରୀ ମହାପାତ୍ର ତାଙ୍କୁ ବେଢ଼ା ପରିକ୍ରମା କରାଇଥିଲେ। ସେହିପରି ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରେନ୍ଦ୍ର ବାତ୍ରାଙ୍କ ପତ୍ନୀ ଚେତନ ବାତ୍ରା ମଧ୍ୟ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସି ଠାକୁରଙ୍କୁ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର