ଆସ୍ଥାନାଙ୍କ ଏତଲାକୁ ସିଭିସି କାର୍ଯ୍ୟାଳୟରେ ଯାଞ୍ଚ କରିବେ ବର୍ମା

ଦିଲ୍ଲୀ ହାଇକୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଚାଲିଥିବା ବିବାଦ ପୁଣି ଏକ ରୋଚକ ମୋଡ଼ ନେଇଛି। ଶ୍ରୀ ଆସ୍ଥାନା ଯେଉଁ ଏଫଆଇଆର ଦାଖଲ କରିଛନ୍ତି ତାହାକୁ ସିବିଆଇ ନିର୍ଦ୍ଦେଶକ ଶ୍ରୀ ବର୍ମା ଏବଂ ଯୁଗ୍ମ ନିର୍ଦ୍ଦେଶକ ଏ. କେ. ଶର୍ମା କେନ୍ଦ୍ରୀୟ ଭିଜିଲାନ୍ସ କମିସନ(ସିଭିସି)ଙ୍କ କାର୍ଯ୍ୟାଳୟରେ ଯାଞ୍ଚ କରିପାରିବେ। ଦିଲ୍ଲୀ ହାଇକୋର୍ଟ ଉଭୟ ଶ୍ରୀ ବର୍ମା ଓ ଶ୍ରୀ ଶର୍ମାଙ୍କୁ ଆଜି ଏହି ଅନୁମତି ପ୍ରଦାନ କରିଛନ୍ତି। ଏହି ଅଭିଯୋଗର ଦସ୍ତାବିଜ ଏବେ ସିଭିସିଙ୍କ ତତ୍ତ୍ବାବଧାନରେ ରହିଛି। ଶ୍ରୀ ବର୍ମା ସିଭିସି କାର୍ଯ୍ୟାଳୟରେ ଗୁରୁବାର ଅପରାହ୍ଣ ୪ଟା ୩୦ରେ ଏହାକୁ ଯାଞ୍ଚ କରିପାରିବେ। ଯାଞ୍ଚ ସମୟରେ ତାଙ୍କ ନିକଟରେ‌ ସିବିଆଇ ଏସ୍‌ପି ସତୀଶ ଡାଗର ଉପସ୍ଥିତ ରହିବେ। ସେହିଭଳି ଶ୍ରୀ ଶର୍ମା ଶୁକ୍ରବାର ସିଭିସି କାର୍ଯ୍ୟାଳୟକୁ ଯାଇ ଏହି ଫାଇଲ ଖୋଲି ଦେଖିପାରିବେ। ଆସ୍ଥାନଙ୍କ ଅଭିଯୋଗରେ ସେମାନଙ୍କ ବିରୋଧରେ ମନ୍ଦ ଉଦ୍ଦେଶ୍ୟ ରଖାଯାଇଛି। ସେଗୁଡ଼ିକ କ’ଣ ତାହା ସେମାନଙ୍କର ଠିକ୍ ଭାବେ ମନେ ନାହିଁ। ‌ତେଣୁ ତାହାକୁ ଜାଣିବା ଲାଗି ସେମାନଙ୍କୁ ଅନୁମତି ଦେବାକୁ ବର୍ମାଙ୍କ ଓକିଲ ଯୁକ୍ତି ବାଢ଼ିବା ପରେ କୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏଥିସହିତ ଶ୍ରୀ ଶର୍ମାଙ୍କ ଓକିଲ କିଛି ଦସ୍ତାବିଜ କୋର୍ଟଙ୍କ ଅନୁଧ୍ୟାନ ପାଇଁ ଦାଖଲ କରିବାକୁ ଚାହିଁଥିଲେ। ଏହା ଶୁଣିବା ପରେ ଅଦାଲତ କହିଥିଲେ, ଶ୍ରୀ ଶର୍ମାଙ୍କ ପକ୍ଷରୁ ଯେଉଁ ଦସ୍ତାବିଜ ଦାଖଲ କରାଯିବ ଅନ୍ୟାଦେଶ ପର୍ଯ୍ୟନ୍ତ ତାହାକୁ ବନ୍ଦ ଲଫାପା ମଧ୍ୟରେ ରଖାଯିବ। ଅନ୍ୟପକ୍ଷରେ ଶ୍ରୀ ଆସ୍ଥାନା ଓ ସିବିଆଇ ଡିଏସପି ଦେବେନ୍ଦର କୁମାରଙ୍କ ବିରୋଧରେ ଯେଉଁ ମାମଲା ଦାଏର ହୋଇଛି ତାହାକୁ ଖାରଜ କରିବା ଲାଗି ସେମାନେ ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ଉତ୍ତର ରଖିବାକୁ ଅଦାଲତ ଶ୍ରୀ ବର୍ମାଙ୍କୁ ସପ୍ତାହେ ସମୟ ଦେଇଛନ୍ତି। ଏହି ମାମଲା ଉପରେ ରହିତାଦେଶ ବଜାୟ ରଖିବା ପାଇଁ ଅଦାଲତ ଯେଉଁ ଆଦେଶ ପୂର୍ବରୁ ଦେଇଥିଲେ ତାହାର ସମୟସୀମାକୁ ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ସମ୍ବନ୍ଧିତ ଖବର