ପୁଣ୍ୟ ଉତ୍କଳର ପ୍ରତିଷ୍ଠା ଦିବସ ଓ ସମ୍ମାନ ସମାରୋହ : ‘ରସଗୋଲା ଓଡ଼ିଶାର’

ଭୁବନେଶ୍ୱର : ପୁଣ୍ୟ ଉତ୍କଳର ଚତୁର୍ଥ ପ୍ରତିଷ୍ଠା ଦିବସ ଓ ସମ୍ମାନ ସମାରୋହ-ୟୁନିଟ ୮ ବିଏମ୍‌ସି କମ୍ୟୁନିଟି ସେଣ୍ଟର୍‌ଠାରେ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଗବେଷକ ତଥା ପ୍ରାବନ୍ଧିକ ଅସିତ ମହାନ୍ତି ଯୋଗଦେଇ ରସଗୋଲା କିଭଳି ପୂର୍ବବତ୍‌ ଉତ୍କଳର ଗୌରବ ହୋଇପାରିବ ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଦାଣ୍ଡି ରାମାୟଣରେ ୫ ଶହ ବର୍ଷ ତଳେ ରସଗୋଲା ଓଡ଼ିଶାର ବୋଲି ପ୍ରମାଣ ରହିଥିବା ବେଳେ ସାହୁ ସମ୍ପ୍ରଦାୟର ଲୋକମାନେ ଏହାକୁ ତିଆରି କରିଥାନ୍ତି। କିନ୍ତୁ ବଙ୍ଗୀୟମାନେ ମିଥ୍ୟା ତଥ୍ୟ ଉପସ୍ଥାପନ କରି ଏହାର ଜିଆଇ ମାନ୍ୟତା ହାସଲ କରିଛନ୍ତି। ମାତ୍ର ଆମେ ଯେଉଁ ତଥ୍ୟ ପାଇଛୁ, ସେଥିରୁ ରସଗୋଲା କେବଳ ଓଡ଼ିଶାର ବୋଲି ପ୍ରମାଣିତ ହେଉଛି ବୋଲି ଶ୍ରୀ ମହାନ୍ତି କହିଥିଲେ।

ବିଶିଷ୍ଟ ସ୍ତମ୍ଭକାର ଶ୍ରୀରାମ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ନିର୍ବାଚନ କମିସନର ରବି ନାରାୟଣ ସେନାପତି ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‌ ଡ. କମଳାକାନ୍ତ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରାଯାଇଥିଲା। ରସଗୋଲା କ୍ଷେତ୍ରରେ ବିଶେଷ ଗବେଷଣା ପାଇଁ ଶ୍ରୀ ମହାନ୍ତିଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିବା ବେଳେ ଗାୟତ୍ରୀ ମହାନ୍ତିଙ୍କୁ ସିଦ୍ଧେଶ୍ୱରୀ ସେବା ସମ୍ମାନ, ଡା. ଅଞ୍ଜଳି ଛୋଟରାୟଙ୍କୁ କ୍ଷେତ୍ରମଣି ସେବା ସମ୍ମାନ, ବାଲୁକାଶିଳ୍ପୀ ମାନସ ସାହୁଙ୍କୁ ଶିଳ୍ପୀ ସମ୍ମାନ, ଇଂ ଜ୍ୟୋତିପ୍ରକାଶ ଚାନ୍ଦଙ୍କୁ କଳ୍ପତରୁ ସେବା ସମ୍ମାନ, ସନ୍ତୋଷ ସାହୁଙ୍କୁ ଶୁକଦେବ ସ୍ମୃତି ସମ୍ମାନ, ସାରଦା ପ୍ରସାଦ ମହାନ୍ତିଙ୍କୁ ପୁଣ୍ୟ ଉତ୍କଳ ସମ୍ମାନ, ଗାୟକ ସୁଧାକର ବଂଶୀଧର ବାରିକଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ମୋ ମା ମୋ ମାଟି’, ଡ. ବିମ୍ବାଧର ବେହେରାଙ୍କ ‘ବାଥୁଡ଼ି ଜନଜାତି ଜୀବନଧାରା ଓ ସଂସ୍କୃତି’ ଉନ୍ମୋଚିତ ହୋଇଥିଲା। ପୁଣ୍ୟ ଉତ୍କଳର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ମୁରଲୀଧର ପରିଡ଼ା, ସାଂଗଠନିକ ସଂପାଦକ ଅସିତ ସାମଲ, ଶିବାନନ୍ଦ ଦାସ, ନାରାୟଣ ସେଠୀ, ମନୋଜ ବାରିକ, ଗୁରୁଶ୍ରୀ ବିରବର ଜେନା, ଶିବ ତ୍ରିପାଠୀ, ନଳିନୀକାନ୍ତ ଦାସ, ଦେବବ୍ରତ ଦାସ, ଅନନ୍ତ ଗୋପାଳ ସାହୁ, ରାଜମୋହନ ମହାନ୍ତି ଓ ପ୍ରବୀଣ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର