କିଡ୍‌ନି ବିକିବାକୁ ଯୋଗାଯୋଗ କରି ଠକ ହାବୁଡ଼ରେ ଯୁବକ, ଡିସିପିଙ୍କୁ ଅଭିଯୋଗ

ଭୁବନେଶ୍ବର: ଅସହ୍ୟ ହୋଇଛି କରୋନା କଷଣ। ଏଭଳି ସ୍ଥିତିରେ ଲକ୍ଷ ଲକ୍ଷ ଟଙ୍କାର ଧାର ସୁଝିବା ପାଇଁ ଜଣେ ଯୁବକ ୩କୋଟି ଟଙ୍କାରେ ନିଜ କିଡ୍‌ନି ବିକିବାକୁ ଉଦ୍ୟମ କରି ଠକଙ୍କ ହାବୁଡ଼ରେ ପଡ଼ିଛନ୍ତି। କିଡ୍‌ନି କିଣିବା ସଂସ୍ଥା ଠକ ବୋଲି ଜାଣିବା ପରେ ଯୁବକଜଣଙ୍କ ଭୁବନେଶ୍ବର ଡିସିପିଙ୍କୁ ଅଭିଯୋଗ କରିଛନ୍ତି। ଯୁବକଜଣଙ୍କ ହେଲେ, ରାଜକନିକା ଓଳାଭରର ସୋମନାଥ ଗାହାଣ। ପେଟ ଚିନ୍ତାରେ ସେ ଭୁବନେଶ୍ବର ଆସି ତମାଣ୍ଡୋରେ ଭଡ଼ା ଘରେ ରହିଥିଲେ। ଫେବ୍ରୁଆରି ୧୪ତାରିଖରେ ସେ ୩ଲକ୍ଷ ଟଙ୍କା ସିକ୍ୟୁରିଟି ଜମା ଦେଇ କଳିଙ୍ଗ ବିହାର ଛକରେ ହୋଟେଲ ଖୋଲିଥିଲେ। ବେପାର ଲାଗି ଆସିବା ବେଳକୁ କରୋନା ଲକ୍‌ଡାଉନ୍‌ ବାଧକ ସାଜିଲା। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ମାଲିକ କହିଥିଲା, ଭଡ଼ା କଥା ଚିନ୍ତା କରନା, ଯେତେବେଳେ ଖୋଲିବ ଖୋଲ। ଗତ ସପ୍ତାହରେ ସେ ହୋଟେଲ ପୁଣିଥରେ ଖୋଲିବା ପାଇଁ ଯାଇଥିଲେ। ହେଲେ ମାଲିକ ୫ମାସର ଭଡ଼ା ବାବଦକୁ ୬୦ ହଜାର ଟଙ୍କା ଦାବି କରିଥିଲେ। ନ ହେଲେ ଜମା ଥିବା ୩ ଲକ୍ଷ ଟଙ୍କାରୁ କାଟି ଦେବାକୁ କହିଥିଲେ।

ଏଭଳି ସ୍ଥିତିରେ ସୋମନାଥ ‘ସେଲ୍ ୟୋର କିଡ୍‌ନି’ ଶୀର୍ଷକ ଏକ ବିଜ୍ଞାପନ ସେ ଫେସବୁକ୍‌ରେ ଦେଖିଲେ। ସେଥିରେ ଥିବା ନମ୍ବରରେ ଯୋଗାଯୋଗ କରିବାରୁ କିଡ୍‌ନି ବଦଳରେ ୩ କୋଟି ଟଙ୍କା ମିଳିବ ବୋଲି ତାଙ୍କୁ କୁହାଗଲା। ହ୍ବାଟସ୍‌-ଆପ୍‌ ଜରିଆରେ ସୋମନାଥଙ୍କୁ ସେମାନେ ଦିଲ୍ଲୀ ମହର୍ଷି ବାଲ୍ମିକୀ ହସ୍ପିଟାଲକୁ ଡାକିଥିଲେ। ଆସିବା ପୂର୍ବରୁ ଏକ ଆକାଉଣ୍ଟରେ ୬,୮୦୦ ଟଙ୍କା ଜମା କରିବାକୁ କହିଥିଲେ। ସୋମନାଥ ଦିଲ୍ଲୀ ଯିବା ପାଇଁ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହାୟତା ଲୋଡ଼ିଥିଲେ। କିନ୍ତୁ ସଂପୃକ୍ତ ସଂସ୍ଥା ଠକ ହୋଇଥିବା ସନ୍ଦେହ କରି ସବ୍ୟସାଚୀ ତାଙ୍କୁ ଡିସିପିଙ୍କୁ ଭେଟିବାକୁ ପରାମର୍ଶ ଦେଇଥିଲେ। ଆଜି ଭୁବନେଶ୍ୱର ଡିସିପିଙ୍କୁ ଭେଟିବା ପରେ ସମ୍ପୃକ୍ତ ସଂସ୍ଥା ଠକ ବୋଲି ଜଣାପଡ଼ିଥିଲା। ଏହାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ସୁପାରିସ୍‌ କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ସୋସିଆଲ ମିଡିଆରେ ଏଭଳି ଅନେକ ବିଜ୍ଞାପନ ରହିଛି। ଏହାକୁ ବିଶ୍ବାସ କରି ଟଙ୍କା ଜମା କରନ୍ତୁ ନାହିଁ ବୋଲି ଡିସିପି ଉମାଶଙ୍କର ଦାଶ ପରାମର୍ଶ ଦେଇଛନ୍ତି। କେବଳ ସୋମନାଥ ନୁହନ୍ତି, ଚନ୍ଦ୍ରଶେଖରପୁରର ସୁକାନ୍ତ ସାହୁ ଓ ବାଲେଶ୍ୱରର ତପନ କୁମାର ମାଝି ମଧ୍ୟ ଏଭଳି ଠକଙ୍କ ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର