ଦୁଇ ସ୍କୁଲ୍ ଛାତ୍ରୀଙ୍କୁ ଅପହରଣ ଘଟଣା : ଅପହର୍ତ୍ତା ଓ ଅପହୃତା ଅପରିଚିତ ନଥିଲେ

ପୂର୍ବରୁ ଘଟିଛି ଏମିତି ୫ଟି ଘଟଣା

ଚନ୍ଦ୍ରଶେଖରପୁର : ବୁଧବାର ଇନ୍‌ଫୋସିଟି ଥାନା ଅଧୀନ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଦୁଇ ଛାତ୍ରୀଙ୍କୁ ଅପହରଣ ଘଟଣା ନୂଆ ମୋଡ଼ ନେଇଛି। ଉଭୟ ଅପହର୍ତ୍ତା ଓ ଅପହୃତା ପରସ୍ପରକୁ ଆଗରୁ ଜାଣିଥିଲେ। ସ୍କୁଲ ଛୁଟି ହେବା ପରେ ଛାତ୍ରୀମାନେ ନିକଟରେ ଥିବା ଇଞ୍ଜିନିୟରିଂ କଲେଜ ଛାତ୍ରମାନଙ୍କ ସହ ଫେରାର୍‌ ହେବା ଲାଗି ଉଦ୍ୟମ କରିଥିଲେ। ପୂର୍ବରୁ ମଧ୍ୟ ସେମାନେ ଏକାଧିକ ଥର ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହୋଇପାରି ନଥିଲେ। ତେଣୁ ଏଥର ଅପହରଣର ନାଟକ କରି ଚାଲିଯିବାକୁ ଯେଉଁ ଯୋଜନା କରିଥିଲେ, ତାହା ମଧ୍ୟ ସଫଳ ହୋଇପାରି ନାହିଁ। ଛାତ୍ରୀମାନଙ୍କ ପରିବାର ଓ ସ୍କୁଲ୍ କର୍ତୃପକ୍ଷଙ୍କ ବିହିତ ପଦକ୍ଷେପ ଯୋଗୁଁ ପୁଲିସ ସେମାନଙ୍କୁ ‌ଘଣ୍ଟାଏ ମଧ୍ୟରେ ଖୋଜି ବାହାର କରିଥିଲା। ଧରା ପଡ଼ିଥିବା ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କୁ ପୁଲିସ ଅଟକ ରଖିଥିଲା। ଛାତ୍ରୀଙ୍କ ପରିବାରଲୋକ ଓ ସ୍କୁଲ କର୍ତୃପକ୍ଷ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି। ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୁଲିସ ତାଗିଦ୍‌ କରି ଛାଡ଼ି ଦେଇଛି। ଛାତ୍ରୀମାନଙ୍କୁ କାଉନ୍‌ସେଲିଂ କରାଯାଇଥିବା ପୁଲିସ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ଏଭଳି କାର୍ଯ୍ୟକଳାପ ପରେ ଘରୋଇ ସ୍କୁଲ ଓ କଲେଜ କର୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ମୋବାଇଲ୍ବ୍ୟ ବହାର କଟକଣା ନିୟମକୁ କଡ଼ାକଡ଼ି କରିବା ଲାଗି ବିଭିନ୍ନ ସ୍କୁଲ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକର ଅଭିଭାବକ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବିଷୟରେ ସ୍କୁଲ୍ କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ସ୍କୁଲ୍‌ କ୍ୟାମ୍ପସ୍ ନିକଟରେ ବାହାର ଛାତ୍ର କିମ୍ବା ଅସାମାଜିକ ଯୁବକଙ୍କ ଖଟି କରାଇ ନ ଦେବା ନେଇ ସ୍କୁଲ୍ ସିକ୍ୟୁରିଟି ଗାର୍ଡଙ୍କୁ ତାଗିଦ୍ କରାଯାଇଛି। ଏଥିସହ ଛାତ୍ରଛାତ୍ରୀଙ୍କୁ ଫଲୋ କରୁଥିବା ଗାଡ଼ିର କାଗଜପତ୍ର କଡ଼ାକଡ଼ି ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। କୌଣସି ପ୍ରକାର ଆପତ୍ତିଜନକ ଘଟଣା ନଜରକୁ ଆସିଲେ, କର୍ମଚାରୀମାନେ ତୁରନ୍ତ ସ୍ଥାନୀୟ ଥାନାକୁ ସୂଚନା ଦେବା ପାଇଁ ମଧ୍ୟ ପରାମର୍ଶ ‌ଦିଆଯାଇଛି।

ପୂର୍ବରୁ ଘଟିଛି ଏମିତି ୫ଟି ଘଟଣା

ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରୁ ଛାତ୍ରଛାତ୍ରୀ ଫେରାର୍ ହୋଇ ପରେ ଧରାପଡ଼ିଥିବା ଘଟଣା ନୂଆ ନୁହେଁ। ଗତ ବର୍ଷକ ମଧ୍ୟରେ ରାଜଧାନୀରେ ଏମିତି ୫ଟି ଘଟଣା ଘଟିଛି। ଇନ୍‌ଫୋସିଟି ଥାନା ଅଧୀନରେ ଥିବା ଏକ ଡିଗ୍ରି କଲେଜର ଜଣେ ଛାତ୍ର ସ୍କୁଲ ଛୁଟି ପରେ ସେହି ଅଞ୍ଚଳର ଜଣେ ଛାତ୍ରୀଙ୍କୁ ନେଇ ଫେରାର୍ ହୋଇଯାଇଥିଲେ। ପରିବାର ଲୋକଙ୍କଠାରୁ ସୂଚନା ପାଇ ପୁଲିସ୍ ଉଭୟଙ୍କୁ ଭୁବନେଶ୍ବର ରେଳ ଷ୍ଟେସନ୍ ନିକଟରେ କାବୁ କରିଥିଲା। ସେହିପରି ଏକ ଘରୋଇ ବିଜ୍ଞାନ କଲେଜର ଛାତ୍ର ଜଣେ ଛାତ୍ରୀଙ୍କୁ ନେଇ ପଳାଉଥିବା ବେଳେ ଚାଇଲ୍ଡ ହେଲ୍‌ପ ଲାଇନ୍ ଉଭୟଙ୍କୁ ପୁରୀ ବେଳାଭୂମିରୁ ଉଦ୍ଧାର କରି ପରିବାରଲୋକଙ୍କୁ ହସ୍ତା‌ନ୍ତର କରିଥିଲା। ଚନ୍ଦ୍ରଶେଖରପୁର ଥାନା ନିକଟ ଏକ ଘରୋଇ ସ୍କୁଲ୍‌ର ଛାତ୍ରୀ ତାଙ୍କ ଦୁଇ ଯୁବକ ବନ୍ଧୁଙ୍କ ସହ କୋଣାର୍କ ଯିବା ସମୟରେ ପୁଲିସ ସେମାନଙ୍କ ଗାଡ଼ି ନମ୍ବର ଯାଞ୍ଚ କରି ପିପିଲି ଟୋଲଗେଟ୍ ନିକଟରୁ ଉଦ୍ଧାର କରିଥିଲା। ସେହିଭଳି ବିବାହ ପ୍ରଲୋଭନ ଦେଖାଇ ଜଣେ ଶିଳ୍ପପତିଙ୍କ ଝିଅଙ୍କୁ ସ୍କୁଲ ନିକଟରୁ ଜଣେ ଯୁବକ କାର୍‌ରେ ବସାଇ ନେଇଥିଲେ। ଅଭିଯୋଗ ପରେ ପୁଲିସ ସେମାନଙ୍କୁ ରମ୍ଭା ନିକଟରୁ ଉଦ୍ଧାର କରିଥିଲା। ୧୦ ଦିନ ତଳେ ଇନ୍‌ଫୋସିଟି ଛକରେ ଥିବା ଏକ ଶିକ୍ଷାନୁଷ୍ଠାନର ଏକାଦଶ ଶ୍ରେଣୀର ଛାତ୍ରୀଙ୍କୁ ସେହି ଶିକ୍ଷାନୁ‌ଷ୍ଠାନର ଜଣେ ଛାତ୍ର ବିବାହ ପ୍ରଲୋଭନ ଦେଖାଇ ପଥରଗାଡ଼ିଆ ଅଞ୍ଚଳରେ ଥିବା ଏକ ଭଡ଼ା ଘରେ ରଖିଥିଲା। ପରିବାର ଲୋକଙ୍କଠାରୁ ଅଭିଯୋଗ ପାଇ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର