ଠିକଣା ପଚାରି ଲୁଟୁଛନ୍ତି : ଟାର୍ଗେଟ୍‌ରେ ଗହଣା ପିନ୍ଧା ମହିଳା

ସିସିଟିଭି ଫୁଟେଜ୍‌ ଧରି ବୁଲୁଛି ପୁଲିସ

ବାଲିପାଟଣା : ସ୍ଥାନୀୟ ଅଞ୍ଚଳର ଗାଁ ଗାଁରେ ମାତିଥିବା ଛିନ୍‌ତାଇ ଗ୍ୟାଙ୍ଗ୍‌କୁ ଠାବ କରିବାରେ ପୁଲିସର ବିଫଳତାକୁ ନେଇ ତୀବ୍ର ପ୍ରତକ୍ରିୟା ପ୍ରକାଶ ପାଇଛି। ମହିଳାମାନେ ବେକରୁ କାନରୁ ଗହଣା ଖୋଲି ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି। ଏଣେ ତିନି ତିନିଟି ଲୁଟ୍‌ର ସିସିଟିଭି ଫୁଟେଜ୍‌କୁ ଧରି ପୁଲିସ ଅନ୍ଧାରରେ ବାଡ଼ି ବୁଲାଉଛି। କିନ୍ତୁ ଦୁର୍ବୃତ୍ତମାନେ ୬୦ ଘଣ୍ଟା ପରେ ବି ପୁଲିସ ପାଇଁ ଅପହଞ୍ଚ ହୋଇ ରହିଛନ୍ତି। କମିସନରେଟ୍‌ ପୁଲିସର ଆଧୁନିକ ଜ୍ଞାନକୌଶଳ ଦୁର୍ବୃତ୍ତମାନଙ୍କ ବୁଦ୍ଧି ଆଗରେ ହାର୍ ମାନିଛି ବୋଲି ଲୋକେ ଚର୍ଚ୍ଚା କରିବା ସହ ଆଉ ପୁଲିସ ଉପରେ ଭରସା ନ କରି ନିଜେ ସତର୍କ ରହିବାକୁ ପ୍ରସ୍ତୁତ ହେଉଛନ୍ତି। ପୁଲିସ ଉପରୁ ଆସ୍ଥା ହରାଇଥିବା ‌ମହିଳାମାନେ ଏଣିକି ଦୁର୍ବୃତ୍ତମାନଙ୍କ ଭୟରେ ଆଉ ଗହଣା ପିନ୍ଧି ବାହାରକୁ ବାହାରିବେ ନାହିଁ ବୋଲି ପ୍ରଚାର ହୋଇଗଲାଣି।

ଉଲ୍ଲେଖଯୋଗ୍ୟ ଯେ ଏହି ଛିନ୍‌ତାଇ ଗ୍ୟାଙ୍ଗ୍‌ ଗାଁ ରାସ୍ତାରେ ଏକୁଟିଆ ମହିଳାଙ୍କୁ ଦେଖି ପ୍ରଥମେ କୌଣସି ଜଣେ ସାର୍‌ଙ୍କ ନାଁ ପଚାରୁଛନ୍ତି। ଦୁର୍ବୃତ୍ତମାନେ ନେଇଥିବା ବିଶ୍ବନାଥ ସାର୍‌, ସନାତନ ସାର୍‌ ଓ ବିଷ୍ଣୁ ସାର୍‌ଙ୍କ ନାଁକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଗତ ସୋମବାର ଦିନ ବାଲିପାଟଣା ଗିରିଙ୍ଗ ମହାନ୍ତି ସାହି ଗ୍ରାମର ବାସନ୍ତୀ ମଞ୍ଜରୀ ମହାନ୍ତିଙ୍କ ବେକରୁ ଚେନ୍‌ ଲୁଟ୍‌ ହୋଇଥିଲା। ଦୁର୍ବୃତ୍ତଦ୍ବୟ ବାସନ୍ତୀଙ୍କୁ ବିଶ୍ବନାଥ ସାର୍‌ଙ୍କ ଘର କୋଉଁଠି ବୋଲି ପଚାରିଥିଲେ। ସେହିଭଳି ପଦ୍ମପୁର ଗାଁର ମନୋରମା ମାହାପାତ୍ର ଘର ପିଣ୍ତାରେ ବସିଥିଲେ। ପାଖକୁ ଆସି ଦୁର୍ବୃତ୍ତ ଜଣକ ସନାତନ ସାର୍‌ଙ୍କ ଘର କେଉଁଠି ପଚାରିଥିଲା ଓ ଅତର୍କିତଭାବେ ତାଙ୍କ ବେକରୁ ଚେନ୍‌ ଟାଣି ନେଇଥିଲା। ଏହି ଦୁଇ ଲୁଟ୍‌ର ଚିତ୍ର ସିସିଟିଭି ଫୁଟେଜ୍‌ରେ ରହିଛି। ସେହିଭଳି ବନମାଳିପୁର ଡେରାସାହି ଗ୍ରାମର ନିଶାମଣି ଦାସଙ୍କ ବେକରୁ ହୋଇଥିବା ଚେନ୍‌ ଲୁଟ୍‌ର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜ୍‌ରେ ରହିଛି। ଏହି ମାମଲାରେ ଦୁର୍ବୃତ୍ତଙ୍କ ବାଇକ୍‌ ଓ ଲୁଟେରାଙ୍କ ଚେହେରା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଜୋନ୍‌ –୪ ଏସିପି ରବି ଶତପଥୀଙ୍କୁ ସୋମବାର ଲୁଟ୍‌ ଘଟଣା ବାବଦରେ ପଚାରିବାରୁ ସେ ଥାନାରୁ ବୁଝିଦେବା ପାଇଁ କହି କାନ୍ଧ ଖସାଇ ଦେଇଥିଲେ। କିନ୍ତୁ ପରେ ଲୁଟେରାଙ୍କୁ ଚିହ୍ନଟ କରାଯାଇଛି ଓ ଖୁବ ଶ୍ରୀଘ୍ର ଧରାଯିବ କହିଥିଲେ।

ସମ୍ବନ୍ଧିତ ଖବର