ହାଇଟେକ୍‌ ପ୍ଲାଜାରୁ ସୁରକ୍ଷାକର୍ମୀ ଅପହରଣ ଘଟଣା : ଆତଙ୍କିତ ବରିଷ୍ଠ ନାଗରିକ

ପୁରୁଣା ଭୁବନେଶ୍ୱର : ହାଇଟେକ୍‌ ପ୍ଲାଜାର ସିକ୍ୟୁରିଟି ସୁପରଭାଇଜର୍‌ ଅପହରଣ ଘଟଣାକୁ ନେଇ ଏବେ ସେଠିକାର ବରିଷ୍ଠ ନାଗରିକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ଦିନ ଦି’ପହରେ ପ୍ଲାଜା ଭିତରୁ ସୁରକ୍ଷା କର୍ମୀଙ୍କୁ ଅପହରଣ କରାଗଲା। ଅଥଚ ୩ ଦିନ ବିତିବା ପରେ ମଧ୍ୟ ପୁଲିସ ଅପରାଧୀମାନଙ୍କର ଟେର୍ ପାଉନାହିଁ। ରାଜଧାନୀରେ କମିସନରେଟ୍‌ ପୁଲିସର ଏଭଳି ସୁରକ୍ଷା ବ୍ୟବସ୍ଥାକୁ ନେଇ ବରିଷ୍ଠ ନାଗରିକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ତେଣୁ ନିଜ ସୁରକ୍ଷା ପାଇଁ ଏଣିକି ପ୍ଲାଜାରେ ଅଧିକ ସିସିଟିଭି କ୍ୟାମେରା ଲଗାଇବା ସହ ଇଣ୍ଟରକଲ ବ୍ୟବସ୍ଥା ମଧ୍ୟ ଲାଗୁ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

୭ ତାରିଖରେ ହାଇଟେକ୍‌ ପ୍ଲାଜାର ସୁରକ୍ଷାକର୍ମୀ କୈବଲ୍ୟରାଜ ପଟନାୟକ ଓରଫ୍ ଲୁନାଙ୍କୁ ପ୍ଲାଜା ଭିତରୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ। ଖଣ୍ଡା ଓ ବନ୍ଧୁକ ମୁଣ୍ଡରେ ଲଗାଇ ତାଙ୍କୁ ଏକ କାର୍‌ରେ ଉଠାଇ ନେଇଥିଲେ। ବାଟରେ ନିସ୍ତୁକ ମାଡ଼ ମାରିବା ପରେ ବରମୁଣ୍ଡା ଓଭରବ୍ରିଜ୍‌ ତଳେ ଛାଡ଼ି ପଳାଇଥିଲେ। ଅପହରଣ ପଛରେ ଯେଉଁ କାରଣ ଥାଉନା କାହିଁକି ପ୍ଲାଜା ଭିତରକୁ ପଶି ଦୁର୍ବୃତ୍ତମାନେ ଏହି କାଣ୍ଡ ଘଟାଇଥିବାରୁ ବରିଷ୍ଠ ନାଗରିକମାନେ ଭୟଭୀତ ହୋଇପଡ଼ିଛନ୍ତି। ଏମିତି ପରିସ୍ଥିତି ଆଗକୁ ଘଟିବା ଆଶଙ୍କା କରି ସେମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଦୁର୍ବୃତ୍ତମାନେ ସେମାନଙ୍କୁ ଟାର୍ଗେଟ୍‌ କରିବା କିଛି ଅସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି। ତେଣୁ ଆପାର୍ଟମେଣ୍ଟର ସୋସାଇଟି ପୁଲିସ ଏସିପିଙ୍କୁ ଏହି ସମସ୍ୟା ବାବଦରେ ଅବଗତ କରାଇଛନ୍ତି। ସେଠାରେ ଅଧିକ ସଂଖ୍ୟାରେ ବରିଷ୍ଠ ନାଗରିକ ରହୁଥିବାରୁ ଏସିପି ବିଷ୍ଣୁ ପ୍ରସାଦ ପାତ୍ର ସୋସାଇଟିକୁ ଉପରୋକ୍ତ ପରାମର୍ଶ ଦେଇଛନ୍ତି। ଆପାର୍ଟମେଣ୍ଟରେ ଅଧିକ ସିସିଟିଭି ଲଗାଇବା ସହ ଇଣ୍ଟରକଲ୍‌ ବ୍ୟବସ୍ଥା କରିବାକୁ କହିଛନ୍ତି। ପ୍ଲାଜା ଭିତରକୁ ଆସୁଥିବା ଅଜଣା ଗାଡ଼ିମାନଙ୍କର କାଗଜପତ୍ର ଜେରେକ୍ସ୍‌ ରଖିବାକୁ କହିଛନ୍ତି। ସୋସାଇଟିର ସମ୍ପାଦକ ସର୍ବେଶ୍ବର ମହାନ୍ତିଙ୍କ କହିବା କଥା ଏସିପିଙ୍କ ପରାମର୍ଶ ଅନୁସାରେ ଖୁବ୍‌ ଶୀଘ୍ର ବ୍ୟବସ୍ଥା ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର