ନୂଆ ରୂପରେ ସରକାରୀ ହାଇସ୍କୁଲ

ଆସନ୍ତା ସପ୍ତାହରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ଭିତ୍ତିଭୂମିର ଯାଞ୍ଚ କଲେ ଖୋର୍ଧା ଜିଲ୍ଲାପାଳ

ଭୁବନେଶ୍ବର : ବଦଳୁଛି ରାଜଧାନୀରେ ଥିବା ସରକାରୀ ହାଇସ୍କୁଲର ରୂପ। ୫-ଟି ଅନ୍ତର୍ଗତ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳର ୧୬ଟି ଓ ଭୁବନେଶ୍ବର ବ୍ଲକ ଅଞ୍ଚଳର ଦୁଇଟି ସ୍କୁଲକୁ ନୂଆ ରୂପ ଦେବା କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନଭେମ୍ବର ୧୪ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବାରୁ ବିଏମ୍‌ସି ସମେତ ଖୋର୍ଧା ଜିଲ୍ଲା ପ୍ରଶାସନ ଓ ଶିକ୍ଷା ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିଛନ୍ତି।

ଚଳିତ ମାସ ତୃତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୂପାନ୍ତରଣ ବିଦ୍ୟାଳୟଗୁଡ଼ିକର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ତାହାକୁ ନଜରରେ ରଖି ଦୁଇ ସପ୍ତାହ ହେଲା ଅଧିକାରୀମାନେ ବିଦ୍ୟାଳୟକୁ ଘନଘନ ଗସ୍ତ କରି ଭିତ୍ତିଭୂମି ଯାଞ୍ଚ କରିବା ସହ କାର୍ଯ୍ୟର ଅଗ୍ରଗତି ବୁଲି ଦେଖିଛନ୍ତି। ଖୋର୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମଧ୍ୟ ୟୁନିଟ୍‌-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଓ ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରି ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ସ୍ମାର୍ଟ କ୍ଲାସରୁମ୍‌, ଲାଇବ୍ରେରି, ଲାବରୋଟାରି, ଅତିରିକ୍ତ କ୍ଲାସରୁମ୍‌ ଆଦି ଯାଞ୍ଚ କରିଥିଲେ। ବଡ଼ଗଡ଼ ହାଇସ୍କୁଲର ଖେଳ ପଡ଼ିଆ ଓ ପାଚେରିକୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଉଚ୍ଚ ପ୍ରଶଂସା କରିଥିଲେ। ସେପଟେ କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିବାକୁ ବିଏମ୍‌ସି ପକ୍ଷରୁ ଜଣେ ଲେଖାଏଁ ଅଧିକାରୀଙ୍କୁ ଗୋଟିଏ ଲେଖାଏଁ ସ୍କୁଲ ଦାୟିତ୍ବ ଦିଆଯାଇଛି। ସେମାନେ ସ୍କୁଲ ଗସ୍ତ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ। ନିର୍ଧାରିତ ସମୟ ପୂର୍ବରୁ ଯେପରି କାର୍ଯ୍ୟ ଶେଷ ହେବ, ସେଥିପ୍ରତି ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ମଧ୍ୟ ଇତିମଧ୍ୟରେ ରୂପାନ୍ତରଣ ହୋଇଥିବା ବିଦ୍ୟାଳୟଗୁଡ଼ିକୁ ଗସ୍ତ କରି କାର୍ଯ୍ୟର ତଦାରଖ କରିଛନ୍ତି।

ସୂଚନା ଅନୁଯାୟୀ, ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଖୋର୍ଧା ଜିଲ୍ଲାର ୩୮ଟି ବିଦ୍ୟାଳୟକୁ ସାମିଲ କରାଯାଇଛି। ଯେଉଁଥିରେ ଭୁବନେଶ୍ବରର ୧୮ଟି ବିଦ୍ୟାଳୟ ରହିଛି। ବିଏମ୍‌ସି ଅଞ୍ଚଳରେ ୧୬ଟି ଓ ଭୁବନେଶ୍ବର ବ୍ଲକ ଅଞ୍ଚଳରେ ଦୁଇଟି ବିଦ୍ୟାଳୟ ରହିଛି। ବିଦ୍ୟାଳୟ ‌କିଭଳି ଉନ୍ନତମାନର ହେବ, ସେଥିପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପରାମର୍ଶ ଲୋଡ଼ା ଯାଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶିକ୍ଷା ଅଧିକାର ଆଇନ(ଆରଟିଇ)କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ସ୍ମାର୍ଟ କ୍ଲାସରୁମ୍‌, ସ୍ମାର୍ଟ ଲାଇବ୍ରେରି, ସାଇନ୍ସ ଲାବରୋଟାରିକୁ ପ୍ରାଥମିକତା ଦିଆଯାଇଛି। ବିଦ୍ୟାଳୟରେ ଥିବା ବିଲ୍‌ଡିଂଗୁଡ଼ିକର ପୁନରୁଦ୍ଧାର, ଆବଶ୍ୟକ ହେଲେ ନୂତନ ବିଲ୍‌ଡିଂ ନିର୍ମାଣ, ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ଟଏଲେଟ୍‌ କମ୍ପ୍ଲେକ୍ସ ହୋଇଛି। ସ୍କୁଲର ରଙ୍ଗ ପିଲାଙ୍କ ଉପଯୋଗୀ ହେବା ସହ ଡେକ୍ସ ଓ ବେଞ୍ଚର ଉଚ୍ଚତାକୁ ଗୁରୁତ୍ବ ଦିଆଯାଇଛି। ବିସ୍ତୀର୍ଣ୍ଣ ଖେଳ ପଡ଼ିଆ ନିର୍ମାଣକୁ ବି ଏଥିରେ ସାମିଲ ହୋଇଛି। ଛାତ୍ରଛାତ୍ରୀ ବର୍ଷ ସାରା ଯେପରି ଖେଳ ପଡ଼ିଆକୁ ଉପଯୋଗ କରିପାରିବେ, ସେଥିପ୍ରତି ଗୁରୁତ୍ବ ଦିଆଯା‌ଇଛି। ଯଦି ସ୍କୁଲର ନିଜସ୍ବ ଖେଳ ପଡ଼ିଆ ନ ଥିବ, ନିକଟରେ ଥିବା ବିଦ୍ୟାଳୟର ଖେଳପଡ଼ିଆକୁ ପିଲାମାନଙ୍କ ପାଇଁ ବ୍ୟବହାର କରାଯାଇ ପାରିବ। ସିବିଏସ୍‌ଇ ପରି କେନ୍ଦ୍ରୀୟ ବୋର୍ଡ ଛାତ୍ରଛାତ୍ରୀଙ୍କ ସହ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପିଲାଙ୍କୁ ସମକକ୍ଷ କରିବା ଲାଗି ପ୍ରତିଯୋଗିତାକୁ ଅଧିକ ପ୍ରାଧାନ୍ୟ ମିଳିବ। ଆଗକୁ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଲାଗି ପ୍ରଶିକ୍ଷଣ ଶିବିର ହେବ। ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀଙ୍କୁ ବି ସାମିଲ କରାଯିବ। ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦେବା ଲାଗି ରାଜ୍ୟ ସରକାର ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି।

ରୂପାନ୍ତରଣ ସ୍କୁଲ୍‌ର ନାମ
ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୧
ବିଏମ୍‌ ଉଚ୍ଚ ବିଦ୍ୟାଳୟ, ପୁରୁଣା ଭୁବନେଶ୍ବର
କ୍ୟାପିଟାଲ୍‌ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୩
ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୯
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୯
ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୮
ଟି.ବି. ପ୍ରେସ୍‌ ଉଚ୍ଚ ବିଦ୍ୟାଳୟ
କ୍ୟାପିଟାଲ୍‌ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ-୨
ସରକାରୀ ଉଚ୍ଚ ବିଦ୍ୟାଳୟ, ଖଣ୍ଡଗିରି
ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ଗଡ଼
ସରକାରୀ ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀସାଗର
ସୟଦ ମମ୍‌ତାଜ୍‌ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ, ନୂଆପଲ୍ଲୀ
ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୬
ମହାରଥା ବିଦ୍ୟାପୀଠ, ନହରକଣ୍ଟା
ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର, ଫେଜ୍‌-୨
ସରକାରୀ ଉଚ୍ଚ ବିଦ୍ୟାଳୟ, ସହିଦ ନଗର
ସରକାରୀ ଉଚ୍ଚ ବିଦ୍ୟାଳୟ, ନନ୍ଦନକାନନ
ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ, କେନ୍ଦୁପାଟଣା

ସମ୍ବନ୍ଧିତ ଖବର