କଂଗ୍ରେସର ହରତାଳ‌: ଜୋର୍‌ଜବରଦସ୍ତି କଲେନି, ଚକୋଲେଟ୍‌ ଦେଇ ବୁଝାଇଲେ

ଭୁବନେଶ୍ବର : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ଗୃହମନ୍ତ୍ରୀଙ୍କୁ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ ଡାକରା ଦିଆଯାଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ପ୍ରଦେଶ କଂଗ୍ରେସ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏଭଳି ନିଷ୍ପତ୍ତି ନିଆଯିବା ପରେ ଆଜି ରାଜଧାନୀରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏ କଂଗ୍ରେସ କର୍ମୀମାନେ ହରତାଳ କରିଥିଲେ। ମୋଟର ସାଇକେଲ୍‌ ଶୋଭାଯାତ୍ରା ସହ ବିଭିନ୍ନ ଜାଗାରେ ପିକେଟିଂ କରିଥିଲେ କର୍ମୀ। ହରତାଳ ଶାନ୍ତିପୂର୍ଣ୍ଣ ହୋଇଥିଲା। ଧର୍ମଘଟକୁ ସ୍ୱତଃପ୍ରବୃତ ଭାବେ ଜନସାଧାରଣ ସମର୍ଥନ କରିଥିବାରୁ ୩୩ ଗୋଟି ସାଂଗଠନିକ ଜିଲ୍ଲାର କଂଗ୍ରେସ ନେତା ଓ ସମସ୍ତ ଛାମୁଆ ସଂଗଠନକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କୃତଜ୍ଞତା ଜଣାଇଥିଲେ।

ସକାଳେ ବାଣୀବିହାର ଛକରୁ କଂଗ୍ରେସ କର୍ମୀଙ୍କର ଏକ ମୋଟର ସାଇକେଲ୍‌ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ମନୋଜ ବିଶ୍ୱାଳ, ତାପସ କୁମାର ସେଠୀ, କିରଣ ସାହୁ, ନିହାର ବେହେରା, ଅନନ୍ତ ସାମନ୍ତରାୟ, ଅରମାନ ଜେନା ପ୍ରମୁଖଙ୍କ ନେତୃତ୍ବରେ କର୍ମୀମାନେ ବସ୍‌ଯାତ୍ରୀ ଓ ଅନ୍ୟ ପଥଚାରୀଙ୍କୁ ଚକୋଲେଟ୍‌ ଦେଇ ହରତାଳ କାରଣ ସମ୍ପର୍କରେ ବୁଝାଇଥିଲେ। ମମିତାଙ୍କ ମୃତ୍ୟୁରେ ସରକାର କିଭଳି ପ୍ରତ୍ୟକ୍ଷ ଭାବରେ ଦାୟୀ ଓ ଅଭିଯୁକ୍ତମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କିଭଳି ଘଣ୍ଟ ଘୋଡ଼ାଉଛନ୍ତି, ତାହା ବର୍ଣ୍ଣନା କରିଥିଲେ। ପରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ସେମାନେ ହରତାଳ କରିଥିଲେ।

ପୂର୍ବାହ୍ନରେ କର୍ମୀମାନେ ରେଳଷ୍ଟେସନ୍‌ରେ ପହଞ୍ଚି ପିକେଟିଂ କରିଥିଲେ। ସରକାର ବିରୋଧୀ ସ୍ଲୋଗାନ୍‌ ଦେବା ସହ ମମିତାଙ୍କୁ ନ୍ୟାୟ ଦେବାକୁ ହେଲେ ପ୍ରତ୍ୟେକ ନାଗରିକ ଆନ୍ଦୋଳନରେ ସାମିଲ ହେବା ଜରୁରୀ ବୋଲି ବୁଝାଇଥିଲେ। ଜୟଦେବବିହାର, ଆଚାର୍ଯ୍ୟବିହାର, ରାଜମହଲ, ଏଜି, କଳ୍ପନା, ରାଜଭବନ ପ୍ରଭୃତି ପ୍ରମୁଖ ଛକରେ କର୍ମୀମାନେ ପିକେଟିଂ କରିଥିଲେ। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିବା ସହ ସରକାରୀ ବିରୋଧୀ ସ୍ଲୋଗାନ୍‌ ଦେଇଥିଲେ। ଏଥିରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସନ୍ତୋଷ ସିଂ ସାଲୁଜା, ଏଆଇସିସି ସଂପାଦକ ଶରତ ରାଉତ, ପିସିସି ଉପସଭାପତି ଶିବାନନ୍ଦ ରାୟ, ଦେବାଶିଷ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଯଜ୍ଞେଶ୍ୱର ବାବୁ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ରଶ୍ମି ମହାପାତ୍ର, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ଅମିୟ ପାଣ୍ଡବ, ମନୋଜ ମହାପାତ୍ର, ପ୍ରକାଶ ମିଶ୍ର, ଦୀପକ କୁମାର ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ମୋହନ ଜେନା, ସୌମେନ୍ଦ୍ର ମହାନ୍ତି, ଦେବରାଜ ମିଶ୍ର, ମିତ୍ରଭାନୁ ମହାପାତ୍ର, ଶୁଭ୍ରଜ୍ୟୋତି ଲେଙ୍କାଙ୍କ ସମେତ ଶତାଧିକ କର୍ମୀ ସାମିଲ ଥିଲେ।

ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ନେତା ସହର ପରିକ୍ରମା କରି ସଚିବାଳାୟ ଆଡ଼କୁ ଅଗ୍ରସର ହେଉଥିବା ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ରାଜଧାନୀର ବିଭିନ୍ନ ସ୍ଥାନରେ ବ୍ଲକ ସଭାପତି ଓ ଜିଲ୍ଲା କଂଗ୍ରେସ କର୍ମୀମାନେ ହରତାଳରେ ସାମିଲ ହୋଇଥିଲେ। ଏହି ହରତାଳ ଡାକରାରେ ବସ୍‌ ଓ ରେଳ ଯାତ୍ରା, ପରିବହନ ସେବା ପ୍ରଭାବିତ ହୋଇ ନଥିଲା। ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ଖୋଲା ରହିଥିଲା। ସରକାରଙ୍କ ‘ମୋ ବସ୍‌’ ସେବା ମଧ୍ୟ ଅବ୍ୟାହତ ରହିଥିଲା।

ସମ୍ବନ୍ଧିତ ଖବର