ସରକାରୀ ସ୍କୁଲରେ ହେବ ସ୍ମାର୍ଟ କ୍ଲାସ୍‌ରୁମ୍

୫ସ୍କୁଲ ବୁଲିଲେ ୫-ଟି ସଚିବ, ବିଏମ୍‌ସି କମିସନର
‘ସିଟିଜ୍‌’ ଯୋଜନାରେ ରାଜଧାନୀର ୧୦ରୁ ଅଧିକ ସ୍କୁଲ ଖେଳପଡ଼ିଆର ଉନ୍ନତୀକରଣ ହେବ
ସବୁ ସ୍କୁଲରେ ରହିବ ପାଠାଗାର, ଲାବୋରେଟୋରି

ଭୁବନେଶ୍ବର : ରବିବାର ସକାଳ ପ୍ରାୟ ୬ଟା। ୟୁନିଟ-୬ ବାଳକ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ। ସାଙ୍ଗରେ ଥିଲେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ। ଦୁଇ ଅଧିକାରୀ ସ୍କୁଲରେ ପହଞ୍ଚିଲା ବେଳକୁ ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ, ସ୍କୁଲର ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ। ମାତ୍ର କେଇ ମିନିଟ୍‌ରେ ପୂରା ସ୍କୁଲ ଚକ୍କର କାଟିଲେ। ସାଙ୍ଗରେ ଥିବା ପ୍ରଧାନ ଶିକ୍ଷକଙ୍କୁ ପଚାରିଲେ; ସ୍କୁଲରେ କେତେ ପିଲା ପଢ଼ୁଛନ୍ତି? କେତେ ଶିକ୍ଷକ ଅଛନ୍ତି? ଗତବର୍ଷ ରେଜଲ୍ଟ କ’ଣ ଥିଲା? ‘ମୋ ସ୍କୁଲ’ ଯୋଜନା କିପରି କାର୍ଯ୍ୟକାରୀ ହେଉଛି? କ’ଣ କ’ଣ ସୁବିଧା ଦରକାର? ଖେଳ ପଡ଼ିଆ କେମିତି ଅଛି? ପାଠାଗାର ଅଛି କି ନାହିଁ? ବିଜ୍ଞାନ ଲାବୋରେଟୋରି ଅଛି ନା ନାହିଁ? ଏମିତି ଗୁଡ଼ାଏ ପ୍ରଶ୍ନ।

ଏହାପରେ ମାତ୍ର ଦୁଇ ଘଣ୍ଟା ଭିତରେ ୫-ଟି ସଚିବ ଓ ବିଏମ୍‌ସି କମିସନର ୟୁନିଟ-୧ ବାଳକ ଉଚ୍ଚ ବିଦ୍ୟାଳୟ, କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଆଇଆର୍‌ସି ଭିଲେଜ୍‌ ହାଇସ୍କୁଲ ଆଦି ଆଉ ୪ଟି ସ୍କୁଲ ବି ବୁଲିଲେ। ସବୁ ସ୍କୁଲର ପ୍ରଧାନ ଶିକ୍ଷକ/ ପ୍ରଧାନ ଶିକ୍ଷୟିତ୍ରୀଙ୍କଠାରୁ ଉତ୍ତର ପାଇବା ପରେ ଗୋଟିଏ ଆଦର୍ଶ ସ୍କୁଲ ହେବା ପାଇଁ କ’ଣ ହେବା ଦରକାର, ଭିତ୍ତିଭୂମି କ’ଣ ଅଛି, ସରକାରୀ ସ୍କୁଲରେ କାହିଁକି ଅଧିକ ପିଲା ପଢ଼ୁନାହାନ୍ତି, ରେଜଲ୍ଟ କାହିଁକି ଭଲ ହେଉନି ଭଳି ମୌଳିକ ସମସ୍ୟାର ସମୀକ୍ଷା କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ, ସ୍କୁଲ ପରିଚାଳନା କମିଟିର ମତାମତ ନେଲେ। ସରକାରୀ ସ୍କୁଲରେ କିପରି ଘରୋଇ ସ୍କୁଲ ଭଳି ପରିବେଶ ସୃଷ୍ଟି ହେବ ସେନେଇ ଆଲୋଚନା କରି ବାହୁଡ଼ିଗଲେ।

ପରେ ଏ ନେଇ ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ସରକାରୀ ସ୍କୁଲର ଭିତ୍ତିଭୂମି, ଶିକ୍ଷାପଦ୍ଧତି, ଖେଳପଡ଼ିଆ, ପାଠାଗାର, ଲାବେ‌ାରେଟୋରି ଆଦିର ଉନ୍ନତୀକରଣ ନେଇ ଆଲୋଚନା ହୋଇଥିଲା। ସରକାରୀ ସ୍କୁଲରେ କିପରି ସ୍ମାର୍ଟ କ୍ଲାସରୁମ୍‌ କରାଯିବ ତାହାକୁ ଫୋକସ୍‌ କରାଯାଇଛି। ସବୁ ହାଇସ୍କୁଲରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ରହିବ। ଏନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ।

ପ୍ରତ୍ୟେକ ସ୍କୁଲରେ ଯେପରି ‘ମୋ ସ୍କୁଲ’ ଯୋଜନା କାର୍ଯ୍ୟକ୍ଷମ ହେବ, ସ୍କୁଲକୁ ଅଧିକ ଅନୁଦାନ ମିଳିବ, ଛାତ୍ରଛାତ୍ରୀ ଓ ଶିକ୍ଷକ ଅନୁପାତ ଠିକ୍‌ ରହିବ, ଯେଉଁ ପିଲାଙ୍କର କ୍ରୀଡ଼ା ବା ଅନ୍ୟ କ୍ଷେତ୍ରରେ ପ୍ରତିଭା ଅଛି ସେମାନଙ୍କୁ କିପରି ଅଧିକ ପ୍ରଶିକ୍ଷଣ ଦିଆଯିବ ସେନେଇ ଯୋଜନା ହେଉଛି। ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଯେପରି ଘରୋଇ ସ୍କୁଲ ଭଳି ପାଠାଗାର, ଲାବେ‌ାରେଟୋରି, ଖେଳ ସାମଗ୍ରୀ ମିଳିବ ତାହା ଉପରେ ମଧ୍ୟ ଆଲୋଚନା ହୋଇଛି।

ଏହାବାଦ୍‌ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ‘ସିଟିଜ୍‌’ ଯୋଜନାରେ ପ୍ରାୟ ୧୫ଟି ସ୍କୁଲରେ ଖେଳପଡ଼ିଆର ବିକାଶ କରାଯିବ। ଏଥିପାଇଁ ଏବେ ବିସିସି ସ୍କୁଲ ଗ୍ରାଉଣ୍ଡ (୪.୦୧୫ଏକର), କ୍ୟାପିଟାଲ ହାଇସ୍କୁଲ ପଡ଼ିଆ (୨.୭୯୫ଏକର), ୟୁନିଟ-୨ ବାଳିକା ବିଦ୍ୟାଳୟ (୨.୨୧୯ ଏକର), ୟୁନିଟ-୪ ବାଳିକା ଉଚ୍ଚ ବିଦ୍ୟାଳୟ (୨.୭୫୦ଏକର), ମହାବୀର ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆ (୩.୮୬୦ ଏକର), ୟୁନିଟ-୬ ବାଳକ ଉଚ୍ଚ ବିଦ୍ୟାଳୟ (୮.୧୦୨ ଏକର), ୟୁନିଟ-୬ ବାଳକ ଉଚ୍ଚ ବିଦ୍ୟାଳୟ (୫.୭୮୮ ଏକର), ଏସ୍‌ଏମ୍‌/ବିଏମ୍‌ ସ୍କୁଲ ପଡ଼ିଆ (୧.୭୭୦ ଏକର), ବିଇଡି କଲେଜ ସ୍କୁଲ (୧.୦୧୦ ଏକର), ୟୁନିଟ-୧ ସରକାରୀ ସ୍କୁଲ (୧୦.୧୩୬ଏକର) ଜମି ଚିହ୍ନଟ ହୋଇଛି। ବିକଶିତ ଖେଳପଡ଼ିଆରେ କିପରି ୫ରୁ ୬ପ୍ରକାରର ଖେଳ ଯଥା କ୍ରିକେଟ୍‌, ଫୁଟବଲ୍‌, ବ୍ୟାଡମିଟନ୍, ହକି ଖେଳିବାର ସୁବିଧା ରହିବ, ତହାର ବ୍ୟବସ୍ଥା ରହିବ। ଖେଳପଡ଼ିଆରେ ‌େଲାକଙ୍କ ପ୍ରାତଃଭ୍ରମଣ ଓ ସାଂଧ୍ୟ ଭ୍ରମଣ ପାଇଁ ଜଗିଂ ଟ୍ରାକ୍‌ ରହିବ। ସିଟିଜ୍‌ ଯୋଜନାରେ କେବେଠୁ କ’ଣ ଓ କିପରି କାମ ହେବ ତାହା ମଧ୍ୟ ୫-ଟି ସଚିବଙ୍କୁ ଅବଗତ କରାଯାଇଛି।

ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ଯେ, ୫-ଟି ସଚିବ ଓ ବିଡିଏ ଉପାଧ୍ୟକ୍ଷ ରାଜଧାନୀର ସ୍କୁଲଗୁଡ଼ିକର ଭିତ୍ତିଭୂମି ନେଇ ସନ୍ତୋଷ ପ୍ରକଟ କରିଛନ୍ତି। ଆଇଆରସି ଭିଲେଜ୍‌ ସ୍କୁଲରେ ୧୭୦୦ ପିଲା ପଢ଼ୁଥିବାବେଳେ ଏଠାରେ ଶ୍ରେଣୀଗୃହ କମ୍‌ ଥିବାରୁ ଖୁବ୍‌ ଶୀଘ୍ର ଅଧିକ ଘର ନିର୍ମାଣ କରିବାକୁ କୁହାଯାଇଛି। ସବୁ ସ୍କୁଲରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ‌େଖଳପଡ଼ିଆ, ପାଠାଗାର ବିକଶିତ କରିବା ନେଇ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ‘ମୋ ସ୍କୁଲ’ ଯୋଜନାକୁ କିପରି ଅଧିକ କାର୍ଯ୍ୟକ୍ଷମ କରିହେବ ସେନେଇ ପଦକ୍ଷେପ ନେବାକୁ କୁହାଯାଇଛି। ସୋମବାର ପୂର୍ବାହ୍ନରେ ବିଡିଏ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏଥିପାଇଁ ୧୨ଟି ସ୍କୁଲର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଡକାଯାଇଛି। ବିଡିଏ ଉପାଧ୍ୟକ୍ଷ ସବୁ ସ୍କୁଲର କ’ଣ ଅଛି, କ’ଣ ହେବା ଦରକାର ପଚାରି ବୁଝିବେ।

ସମ୍ବନ୍ଧିତ ଖବର