ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ : ଡାକ୍ତର ଅଛନ୍ତି, କ୍ଷାରସୂତ୍ର ଚିକିତ୍ସା ହେଉନି

କାମରେ ଲାଗୁନି ଓଟି, ରେଫର ହେଉଛନ୍ତି ରୋଗୀ

ଭୁବନେଶ୍ୱର : ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ଅଜବ ବ୍ୟବସ୍ଥା ଦେଖିବାକୁ ମିଳିଛି। ଚିକିତ୍ସାଳୟରେ ଅର୍ଶ, ମଳକଣ୍ଟକର ଅସ୍ତ୍ରୋପଚାର ପାଇଁ ଅସ୍ତ୍ରୋପଚାର ଗୃହ ବା ଓଟି ରହିଛି, ଡାକ୍ତର ବି ଅଛନ୍ତି। ମାତ୍ର ଅସ୍ତ୍ରୋପଚାର ହେଉନି। ରୋଗୀମାନଙ୍କୁ ଅନ୍ୟ ସ୍ଥାନକୁ ରେଫର୍‌ କରି ଦିଆଯାଉଥିବା ଅଭିଯୋଗ ଆସୁଛି। ଚିକିତ୍ସାଳୟ କର୍ତୃପକ୍ଷ ଏ ସଂପର୍କରେ ଜାଣିଛନ୍ତି, ଆୟୁଷ ନିର୍ଦେଶାଳୟକୁ ନିୟମିତ ଡାକ୍ତର ପାଇଁ ପ୍ରସ୍ତାବ ଦିଆଯାଇଛି। ମାତ୍ର କୌଣସି ନିଷ୍ପତ୍ତି ହେଉନାହିଁ।

ଆୟୁର୍ବେଦିକ ଚିକିତ୍ସାରେ ପଞ୍ଚକର୍ମ ଓ କ୍ଷାରସୂତ୍ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା। ରାଜଧାନୀସ୍ଥିତ ଚିକିତ୍ସାଳୟରେ ପୂର୍ବରୁ କ୍ଷାରସୂତ୍ର ଚିକିତ୍ସା ହେଉନଥିଲା। ତେବେ ଗତ ୨ ବର୍ଷ ତଳେ ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ଶୈଲ୍ୟ ବିଭାଗ ବରିଷ୍ଠ ଡାକ୍ତରଙ୍କୁ ଏହି କାମ ପାଇଁ ଏଠାରେ ମୁତୟନ କରାଯାଇଛି। ପ୍ରତି ବୁଧବାର ରାଜଧାନୀ ଆୟୁର୍ବେଦିକ ଚିକିତ୍ସାଳୟକୁ ଆସି ସେ ଚିକିତ୍ସା କରୁଛନ୍ତି। ସଂପୃକ୍ତ ଡାକ୍ତରଙ୍କୁ ରାଜଧାନୀକୁ ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଅର୍ଶ ଓ ଫିସ୍ତୁଲା ରୋଗୀମାନଙ୍କ ଅସ୍ତ୍ରୋପଚାର କରିବା। କିନ୍ତୁ ତାହା କରାଯିବା ବଦଳରେ ରୋଗୀଙ୍କୁ ଅନ୍ୟତ୍ର ରେଫର କରାଯାଉଥିବା ସୂଚନା ମିଳିଛି। ଅସ୍ତ୍ରୋପଚାର ହେଉ ନ ଥିବାରୁ ଚିକିତ୍ସାଳୟରେ ଥିବା ଓଟି ମଧ୍ୟ କୌଣସି କାମରେ ଲାଗୁ ନାହିଁ। ଫଳରେ ସଂପୃକ୍ତ ଡାକ୍ତର ଏଠାରେ ଅନ୍ୟ ଡାକ୍ତରଙ୍କ ଭଳି ସାଧାରଣ ରୋଗୀ ଚିକିତ୍ସା କରୁଛନ୍ତି। ଅପରପକ୍ଷେ ଉଦ୍ଦେଶ୍ୟ ପୂରଣ ହେଉ ନ ଥିବାରୁ ଉକ୍ତ ଡାକ୍ତରଙ୍କ ମୁତୟନକୁ ବାତିଲ କରିବା ଭଳି ପରିସ୍ଥିତି ଦେଖାଦେଇଛି ବୋଲି ଜଣେ ଉଚ୍ଚପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି।

ରାଜଧାନୀର ଭରତପୁରରେ କେନ୍ଦ୍ର ସରକାରଙ୍କ ଏକ ଆୟୁର୍ବେଦିକ ଚିକିତ୍ସାଳୟ ରହିଛି। ସେଠାରେ କ୍ଷାରସୂତ୍ର ଚିକିତ୍ସା କରାଯାଉଛି। ଜଣେ ରୋଗୀ ପିଛା କ୍ଷାରସୂତ୍ର ପାଇଁ ୧୨୦ଟଙ୍କା ନିଆଯାଉଥିବା ବେଳେ ଥ୍ରେଡିଂ ପାଇଁ ୩୦ଟଙ୍କା ନିଆଯାଉଛି। ମାତ୍ର ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏହି ଚିକିତ୍ସାଳୟରେ କ୍ଷାରସୂତ୍ର କରାଯାଉନି। ଫଳରେ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତି ବା ଆରକେଏସ୍‌ ପାଣ୍ଠିକୁ ଅର୍ଥ ଆସି ପାରୁ ନାହିଁ।

ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉପ-ଅଧୀକ୍ଷକ ଡା. ଚିତ୍ତରଂଜନ ରାୟଗୁରୁ କହିଛନ୍ତି, ଏଠାରେ ଶୈଲ୍ୟ ବିଭାଗର ଡାକ୍ତର ପଦବି ନାହିଁ। ନିର୍ଦେଶାଳୟ ପକ୍ଷରୁ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟରୁ ଜଣେ ଡାକ୍ତରଙ୍କୁ ମୁତୟନ କରାଯାଇଛି। ସପ୍ତାହର ଗୋଟିଏ ଦିନ ସେ ଏଠାକୁ ଆସି ଚିକିତ୍ସା କରୁଛନ୍ତି। ମାତ୍ର ଗୋଟିଏ ଦିନ ଚିକିତ୍ସା ପାଇଁ ଆସୁଥିବାରୁ କେବଳ ଫିସ୍ତୁଲାର ଚିକିତ୍ସା ହେଉଛି, ଅର୍ଶର ହୋଇପାରୁନି। ଅର୍ଶ ରୋଗୀଙ୍କୁ ଅବଜରଭେସନ୍‌ରେ ରଖିବାର ଆବଶ୍ୟକତା ଥିବାରୁ ଗୋଟିଏ ଦିନରେ ତାହା ସମ୍ଭବ ହେଉନାହିଁ। ତେବେ ପୁରୀରେ ଯେଉଁ ରୋଗୀମାନେ ଅର୍ଶର ଅସ୍ତ୍ରୋପଚାର କରାଉଛନ୍ତି, ରାଜଧାନୀରେ ସେମାନଙ୍କ ଥ୍ରେଡିଂ କରାଯାଉଛି। ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ଜଣେ ନିୟମିତ ଶୈଲ୍ୟ ଡାକ୍ତର ନିଯୁକ୍ତ ପାଇଁ ପ୍ରସ୍ତାବ ରହିଛି, ସରକାର ଏ ନେଇ ନିଷ୍ପତ୍ତି ନେବେ। ଚିକିତ୍ସାଳୟରେ ଥିବା ଓଟିରେ ସ୍ତ୍ରୀ ଓ ପ୍ରସୂତି ରୋଗ ଓ ଅନ୍ୟ ସାଧାରଣ ରୋଗର ଅସ୍ତ୍ରୋପଚାର ହେଉଛି। ତେବେ ପୁରୀରୁ ଆସୁଥିବା ଶୈଲ୍ୟ ଡାକ୍ତରଙ୍କ ମୁତୟନ ବାତିଲ କରାଯିବା ନେଇ କୌଣସି ଖବର ନ ଥିବା ଡା. ରାୟଗୁରୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର