ଭୁବନେଶ୍ବର ଜିଆର୍‌ପି ଥାନା ଆଇଆଇସିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ରେଲୱେ ଏଡିଜିଙ୍କୁ ଚିଠି ଲେଖିଲେ ଗୁଇନ୍ଦା ଏଡିଜି

ଜବତ ଚୋରା ଗଞ୍ଜେଇ ବିକ୍ରି ଅଭିଯୋଗ
ସଙ୍ଗିନ ଅଭିଯୋଗ ଆଣିଥିଲେ ହାବିଲଦାର

ଭୁବନେଶ୍ବର : ଆଇଆଇସିଙ୍କ ବିରୋଧରେ ସଙ୍ଗିନ୍‌ ଅଭିଯୋଗ। ଟ୍ରେନ୍‌ରୁ ଧରା ପଡ଼ିଥିବା ଚୋରା ଗଞ୍ଜେଇ ବିକ୍ରି କରିବା ଅଭିଯୋଗ ଆସିଛି ଜଣେ ଜିଆରପି ଥାନା ଆଇଆଇସିଙ୍କ ବିରୋଧରେ। ଆଉ କେଉଁ ଅଞ୍ଚଳ ନୁହେଁ, ଏଭଳି ସଙ୍ଗିନ ଅଭିଯୋଗ ଆସିଛି ଭୁବନେଶ୍ବର ଜିଆରପି ଥାନା ଥାନାଧିକାରୀ ଭରତ ସାହୁଙ୍କ ବିରୋଧ‌ରେ। ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ପଦକ ପାଇ ପ୍ରଶଂସା ସାଉଁଟିଥିବା ଭରତ ସାହୁ ଏବେ ଉଚ୍ଚସ୍ତରୀୟ ତଦନ୍ତର ସମ୍ମୁଖୀନ ହେବେ। ଭରତଙ୍କ ବିରୋଧରେ ଆସିଛି ଟ୍ରେନ୍‌ରୁ ଜବତ ଗଞ୍ଜେଇକୁ ବିକ୍ରି କରିଦେବା ଅଭିଯୋଗ। ଆଇଆଇସି ଭରତ ସାହୁଙ୍କ ବିରୋଧରେ ତଦନ୍ତ କରିବା ଲାଗି ରେଲୱେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କୁ ଚିଠି ଲେଖିଛନ୍ତି ଗୁଇନ୍ଦା ଏଡିଜି। ତୁରନ୍ତ ତଦନ୍ତ କରିବା ସହ ଯଦି ଅଭିଯୋଗର ପ୍ରମାଣ ମିଳେ, ତା’ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚିଠିରେ କୁହାଯାଇଛି।

ଆଇଆଇସିଙ୍କ ବିରୋଧରେ ଗୁଇନ୍ଦା ଏଡିଜିଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ ହାବିଲଦାର ଦିନବନ୍ଧୁ ସାହୁ। ଅଭିଯୋଗରୁ ଜଣାପଡ଼ିଛି, ୨୦୧୯ ଅଗଷ୍ଟ ୩ ତାରିଖ ରାତିରେ ଭୁବନେଶ୍ବର ରେଳ ଷ୍ଟେସନ୍‌ର ୧ ନମ୍ବର ପ୍ଲାଟଫର୍ମରେ ଜିଆରପିର ଷ୍ଟ୍ରାଇକିଂ ଫୋର୍ସ ଡ୍ୟୁଟି କରୁଥିବା ବେଳେ ଉତ୍କଳ ଏକ୍ସପ୍ରେସ୍‌ରେ ନୂଆଦିଲ୍ଲୀକୁ ଚୋରାଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଥିଲେ। ତିନୋଟି ଏୟାର ବ୍ୟାଗ୍‌ରେ ଥିବା ଗଞ୍ଜେଇକୁ ଜବତ କରି ଷ୍ଟ୍ରାଇକିଂ ଫୋର୍ସ ହାବିଲଦାର ଓ କନଷ୍ଟେବଳ ଏହାକୁ ଥାନାକୁ ନେଇଥିଲେ। ପରେ ଏଏସ୍ଆଇ ଜେନା ବାବୁ ଏହି ଗଞ୍ଜେଇକୁ ଥାନା ପଛ ପଟେ ଥିବା ରୁମକୁ ନେଇଥିଲେ। ସେହି ରୁମରେ ଡିସିଓ ଏଏସ୍ଆଇ ପି.କେ ସାମଲ ଓ ଅନ୍ୟ କିଛି କର୍ମଚାରୀ ଉପସ୍ଥିତ ଥିଲେ। ସେହି ବ୍ୟାଗ୍ ଖୋଲା ଯିବା ପରେ ବାସ୍ନାରୁ ଗଞ୍ଜେଇ, ଗଞ୍ଜେଇ ବୋଲି ଚିଲାଇଥିଲେ ଷ୍ଟ୍ରାଇକିଂ ଫୋର୍ସ କର୍ମଚାରୀ। ଏହାକୁ ଆଇଆଇସିଙ୍କ ରୁମକୁ ନେବା ପାଇଁ ଉଭୟ ଥାନାଧିକାରୀ ଓ ଡିସିଓ ନିର୍ଦ୍ଦେଶ ଦେଇଥିଲେ। ଆଇଆଇସିଙ୍କ ରୁମରେ ଗଞ୍ଜେଇ ରଖି ଦେଇ ରାତି ଡ୍ୟୁଟି ପାଇଁ ପ୍ଲାଟଫର୍ମକୁ ଚାଲି ଆସିଥିଲୁ। ଦୁଇ ତିନି ଦିନ ପରେ ଏଏସ୍ଆଇ ଏନ.ପି ଜେନା ସେହି ଗଞ୍ଜେଇକୁ ନେଇ ଯାଇଥିଲେ ବୋଲି ଦିନବନ୍ଧୁ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ପ୍ରମାଣ ସ୍ବରୂପ ଜବତ ଗଞ୍ଜେଇର ଦୁଇଟି ଫଟୋ ଅଭିଯୋଗ ସହ ଯୋଡ଼ିଛନ୍ତି ହାବିଲଦାର।

କେବଳ ଏହି ଗୋଟିଏ ମାମଲା ନୁହେଁ, ବର୍ଷ ତମାମ୍ ଟ୍ରେନରେ ଜିଆରପିର ଅସାଧୁ ଅଧିକାରୀ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗ। ରାତି ଟ୍ରେନରେ ଦିଲ୍ଲୀ, ଗୁଜରାଟ ସମେତ ବିଭିନ୍ନ ସ୍ଥାନକୁ ଏହି ଗଞ୍ଜେଇ ଚୋରା ଚାଲାଣ କରାଯାଉଛି। କିଛି ଲୁଟେରାଙ୍କ ସହ ମଧ୍ୟ ସମ୍ପର୍କରେ ଅଛନ୍ତି ଅସାଧୁ ଅଫିସର। ଯେଉଁମାନେ ଯାତ୍ରୀଙ୍କ ଲଗେଜ୍ ଚୋରି କରିଥାନ୍ତି ଓ ସେଥିରୁ ଅସାଧୁ ଅଫିସର ଭାଗ ନିଅନ୍ତି। ସବୁ କଳା କାରବାର ରାତିରେ ହେଉଥିବାରୁ ଷ୍ଟ୍ରାଇକିଂ ଫୋର୍ସ ଡ୍ୟୁଟିକୁ ମଧ୍ୟ ଅଫିସର କମାଇ ଦେଉଛନ୍ତି। ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଷ୍ଟ୍ରାଇକିଂ ଫୋର୍ସ ଡ୍ୟୁଟି ଥିଲେ ବି ଭୋର୍‌ ୪ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଡ୍ୟୁଟି କରିବା ପାଇଁ କୁହାଯାଇଥିଲା। ଗଞ୍ଜେଇ ଚୋରାଚାଲାଣ ସମ୍ପର୍କରେ ଯଦି କେହି ମୁହଁ ଖୋଲନ୍ତି, ତା’ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ଧମକ ଦିଆଯାଉଥିଲା। ଜିଆରପିର ତଳଠୁ ଉପର ଯାଏଁ ଅଧିକାରୀ ସାମିଲ ବୋଲି ଦିନବନ୍ଧୁ ଗୁଇନ୍ଦା ଏଡିଜିଙ୍କୁ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ। ହାବିଲଦାରଙ୍କ ଏହି ଅଭିଯୋଗ ଉପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର